‘ପ୍ରୟାସ’ ପକ୍ଷରୁ ୪ରୁ ନବରାତ୍ର ଦାଣ୍ଡିଆ ନୃତ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ଅବସରରେ ମା’ଙ୍କୁ ସମର୍ପିତ ୮ମ ‘ପ୍ରୟାସ ନବରାତ୍ର ଦାଣ୍ଡିଆ ନୃତ୍ୟ ମହୋତ୍ସବ’ ଆସନ୍ତା ୪ରୁ ୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ୫ ଦିବସୀୟ ଏହି ମହୋତ୍ସବରେ ଅଭିଜ୍ଞ ନୃତ୍ୟଶିଳ୍ପୀଙ୍କ ତତ୍ତ୍ୱାବଧାନରେ ଦାଣ୍ଡିଆ ନୃତ୍ୟ,ଅତ୍ୟାଧୁନିକ ଏଲ୍ଇଡି ଆଲୋକସଜ୍ଜା, ଉନ୍ନତମାନର ଲାଇଭ୍ ବ୍ୟାଣ୍ଡ୍ ସହ ଆଲୋକମାଳାର ଅପୂର୍ବ ସମନ୍ୱୟ, ନୃତ୍ୟାଙ୍ଗନାଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟେଜ୍, ବିଭିନ୍ନ ଖାଦ୍ୟ ସଂସ୍ଥାମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟକର ଖାଦ୍ୟ ପାନୀୟ ଷ୍ଟଲ, ଅଭିଜ୍ଞ ବିୟୁଟିସିଆନ୍‌ଙ୍କ ଦ୍ୱାରା ବିନା ମୂଲ୍ୟରେ ମେକଅପ୍, ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍ କ୍ୟାମେରା ରେକର୍ଡିଂ ସେବା ଆଦି ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି। ମହୋତ୍ସବର ପ୍ରତ୍ୟେକ ଦିନ ‘ଶ୍ରେଷ୍ଠ ନୃତ୍ୟଶିଳ୍ପୀ’, ‘ଶ୍ରେଷ୍ଠ ଦମ୍ପତି’, ‘ଶ୍ରେଷ୍ଠ କଷ୍ଟ୍ୟମ୍‌’ ଏବଂ ‘ଶ୍ରେଷ୍ଠ ଶିଶୁ ନୃତ୍ୟଶିଳ୍ପୀ’ ଆଦି ପୁରସ୍କାର ପ୍ରଦାନ କରାଯିବା ସହ ଅନ୍ତିମ ଦିବସରେ ‘ଦାଣ୍ଡିଆ କୁଇନ୍ ୨୦୧୯’ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯିବ। ଏହି ଅବସରରେ ବିଶିଷ୍ଟ ବ୍ୟବସାୟୀ ଓ ସମାଜସେବୀ ରାଜେଶ କୁମାର ସାହୁଙ୍କୁ ଚଳିତବର୍ଷର ‘ପ୍ରୟାସ ସମ୍ମାନ-୨୦୧୯’ ପ୍ରଦାନ କରାଯିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ବନ ମହାନ୍ତି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କୌସ୍ତୁଭ ଦାସ, ପ୍ରମୋଦ ପଣ୍ଡା, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସନ୍ତୋଷ ଅଗ୍ରୱାଲ, ପ୍ରଶାନ୍ତ ଦାସ, କମଳ ମହାନ୍ତି ଓ ଉମାକାନ୍ତ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର