ଫନିରେ କ୍ଷତି ୨୫୦କୋଟି, ମିଳିଛି ଅଢ଼େଇ କୋଟି

ଭୁବନେଶ୍ବର: ବାତ୍ୟା ଫନିରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ କ୍ବାର୍ଟର୍ସର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହାର ମରାମତି ଓ ପୁନରୁଦ୍ଧାର ପାଇଁ ୨୫୦କୋଟି ଦରକାର ବୋଲି ପୂର୍ତ୍ତ ବିଭାଗ ଖର୍ଚ୍ଚ ଆକଳନ କରିଥିଲା। ଏପରିକି ବାତ୍ୟା ପରେ ପୁନରୁଦ୍ଧାର କାମ ବି ହୋଇଥିଲା। ହେଲେ ସ୍ବତନ୍ତ୍ର ରିଲିଫ କମିସନର ସରକାରୀ କୋଠା ଓ କାର୍ଯ୍ୟାଳୟ ମରାମତି ବାବଦକୁ ୨କୋଟି ୫୪ଲକ୍ଷ ୫୦ ହଜାର ଟଙ୍କା ଦେଇଛନ୍ତି। ତେଣୁ ବାକି ଟଙ୍କା ତୁରନ୍ତ ଆଣିବାକୁ ମୁଖ୍ୟଯନ୍ତ୍ରୀ (କୋଠା) ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖିଛନ୍ତି।

ମୁଖ୍ୟଯନ୍ତ୍ରୀଙ୍କ ହିସାବ ଅନୁଯାୟୀ, ସରକାରୀ କ୍ବାର୍ଟର୍ସ ମରାମତି ପାଇଁ ୧୭୦କୋଟି ଓ ସରକାରୀ କାର୍ଯ୍ୟାଳୟ ମରାମତି ପାଇଁ ୮୦ କୋଟିର ଖର୍ଚ୍ଚ ଆକଳନ ହୋଇଥିଲା। ବାତ୍ୟା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ଷୟକ୍ଷତି ଆକଳନ ହେବା ପରେ ଏହାର ମରାମତି ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ସେ‌େନଇ ଆଲୋଚନା ହୋଇଥିଲା। ମୁଖ୍ୟ ଶାସନ ସଚିବ ୨୫୦କୋଟି ଦେବାକୁ ରାଜି ହେବା ପରେ ମରାମତି କାମ ଆରମ୍ଭ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଟଙ୍କା ମିଳୁନି।

ସମ୍ବନ୍ଧିତ ଖବର