ଫନି ସହାୟତା ଓ ଡମ୍ପିଂୟାର୍ଡ ଯୋଜନା ବନ୍ଦ ଦାବି, ଉଠାଦୋକାନୀ ବ୍ୟବସାୟୀ ମହାସଂଘର ବିକ୍ଷୋଭ

ପୁରୁଣା ଭୁବନେଶ୍ବର: ରାଜଧାନୀର ସମସ୍ତ ଉଠାଦୋକାନୀଙ୍କୁ ଫନି ସହାୟତା ପ୍ରଦାନ ଓ ଅଶୋକନଗରରେ ପ୍ରସ୍ତାବିତ ଶିଶୁ ଉଦ୍ୟାନ ସ୍ଥାନରେ ଆବର୍ଜନା ଡମ୍ପିଂୟାର୍ଡ ଯୋଜନା ବନ୍ଦ ଦାବିରେ ଭୁବନେଶ୍ୱର ଉଠାଦୋକାନୀ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାସଂଘର କର୍ମକର୍ତ୍ତାମାନେ ଆଜି ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରାସ୍ତା ଅବରୋଧ କରିବାକୁ ଉଦ୍ୟମ କରିଥିଲେ। ମହାସଂଘ ପକ୍ଷରୁ କୁହାଯାଇଛି ଯେ ବିଏମ୍‌ସି ପକ୍ଷରୁ ସର୍ଭେ ହୋଇଥିବା ୨୧ ହଜାର ୪୮୩ ଜଣ ଉଠାଦୋକନୀଙ୍କ ସମେତ ରାଜଧାନୀର ସବୁ ଉଠାଦୋକନୀଙ୍କୁ ତୁରନ୍ତ ଫନି ସହାୟତା ରାଶି ବାବଦ ୧୦ହଜାର ଟଙ୍କା ପ୍ରଦାନ କରାଯାଉ। ସେହିପରି ଅଶୋକନଗରରେ ପ୍ରସ୍ତାବିତ ଶିଶୁ ଉଦ୍ୟାନ ସ୍ଥାନରେ ଡମ୍ପିଂୟାର୍ଡ ଯୋଜନାକୁ ମଧ୍ୟ ବନ୍ଦ କରାଯାଉ।

ବିଏମ୍‌ସି କାର୍ଯ୍ୟାଳୟ ଘେରାଉ ସମୟରେ ନିକଟ ରାସ୍ତା ଦେଇ ବିଜେବି କଲେଜ ଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ରାସ୍ତା ଅବରୋଧ କରିବାକୁ ମହାସଂଘର କର୍ମକର୍ତ୍ତାମାନେ ଉଦ୍ୟତ ହୋଇଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ବାଧା ଦେଇଥିଲା। ପରେ ସେମାନେ ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ଭେଟି ଏ ସଂପର୍କିତ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି। ଏଥିରେ ମହାସଂଘର ସଭାପତି ସୁର ଜେନା, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, କୁନା ପାଣିଗ୍ରାହୀ, ବୁଲୁ ସାହୁ ଓ ବହୁ ସଭ୍ୟ ସାମିଲ ଥିଲେ।

ସମ୍ବନ୍ଧିତ ଖବର