ବଦଳିଗଲେ ଇନ୍ସପେକ୍ଟର ଅଟକିଗଲା ତଦନ୍ତ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ କମିସନରେଟ ପୁଲିସରେ ଆମୂଳଚୂଳ ପରିବର୍ତନ ହେଲା। ଏସଆଇଙ୍କଠାରୁ ଆରମ୍ଭ କରି ଇନ୍ସପେକ୍ଟର, ଏସିପି ଓ ଏଡିସିପି ରୢାଙ୍କର ଅଧିକାରୀଙ୍କ ବଦଳି ହୋ‌ଇଗଲା। ନୂଆ ଅଫିସରମାନେ ବିଭିନ୍ନ ଥାନାରେ ଯୋଗ ଦେଇ ସାରିଲେଣି। ତେବେ ରାଜଧାନୀରୁ ଅନ୍ୟତ୍ର ବଦଳି ହୋଇ ହୋଇଥିବା ଅଧିକାରୀଙ୍କ ମଧ୍ୟରୁ ଅଧିକାଂଶ ଏକାଧିକ ଚର୍ଚିତ ହତ୍ୟାକାଣ୍ଡ, ଡକାୟତି ଓ ଲୁଟପାଟ ଭଳି ଘଟଣାର ତଦନ୍ତକାରୀ ଅଫିସର ଥିଲେ। ଏଭଳି ବଦଳି ପରେ ଏବେ ଏହି ସବୁ ଚର୍ଚିତ ଅପରାଧର ତଦନ୍ତ ଅଧାପନ୍ତରିଆ ହୋଇ ରହିଗଲା ଭଳି ଲାଗୁଛି। ଏପରିକି କେତୋଟି ହତ୍ୟା ଘଟଣାରେ ମୃତକ ମଧ୍ୟ ଚିହ୍ନଟ ହୋଇନାହାନ୍ତି। ଫଳରେ ଏହି ସବୁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ନ ହୋଇ ପୁଲିସର ନାଲିଫିତା ତଳେ ଦବି ଯିବାକୁ ବସିଛି।

ହୋଟେଲ ହାଇୱେ ଇନ ହତ୍ୟାକାଣ୍ଡ

୨୦୧୮ ମସିହା ଅଗଷ୍ଟ ମାସ ୨୫ ତାରିଖ। ମଞ୍ଚେଶ୍ବର ଥାନା ସମ୍ମୁଖ ହୋଟେଲ ହାଇୱେ-ଇନ ଭିତରୁ ଲକ୍ଷ୍ମୀପ୍ରିୟା ବିଶ୍ବାଳ ନାମକ ଜଣେ ମହିଳାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଲକ୍ଷ୍ମୀପ୍ରିୟାଙ୍କ ପୁରୁଷ ବନ୍ଧୁ କୁହାଯାଉଥିବା ଶାରଦା ପ୍ରସାଦ ସେଠୀ ଓରଫ ଲିଟୁ ହିଁ ଥିଲା ହତ୍ୟାକାରୀ। ଲିଟୁକୁ ପୁଲିସ ଗିରଫ କରିବ ବୋଲି ଦିଲ୍ଲୀଠାରୁ ଆରମ୍ଭ କରି ବେଙ୍ଗାଲୁରୁ, ଚେନ୍ନାଇ ଓ କୋଲକାତା ଭଳି ସହରରେ ଚଢ଼ଉ କଲାଣି। କିନ୍ତୁ ଲିଟୁର ପତ୍ତା ମିଳୁନାହିଁ। ଲିଟୁ ପୂର୍ବରୁ  ତାର ନିଜ ବାପାଙ୍କୁ ହତ୍ୟା କରି ଝରପଡ଼ା ଜେଲରେ ଦଣ୍ଡ ଭୋଗୁଥିଲା। ପାରୋଲରେ ଆସି କେଉଁ ଆଡ଼େ ଫେରାର୍‌ ହୋଇଯାଇଥିଲା। ଫେରାର୍‌ ଥାଇ ପୁଣି ଏକ ହତ୍ୟାକାଣ୍ଡ ଘଟାଇଥିଲା। ଏହି ଚର୍ଚିତ ହତ୍ୟାକାଣ୍ଡକୁ ୮ମାସ ହୋଇ ଗଲାଣି। କିନ୍ତୁ ପୁଲିସ ଲିଟୁର ପତ୍ତା ପାଇନାହିଁ। ଏହା ମଧ୍ୟରେ ଏହି ହତ୍ୟାକାଣ୍ଡର ତଦନ୍ତକାରୀ ଅଫିସର ଥିବା ଇନ୍ସପେକ୍ଟର କୃଷ୍ଣପ୍ରସାଦ ମିଶ୍ରଙ୍କ ବଦଳି ହୋଇସାରିଛି। ଏବେ ଜଣେ ଏସ୍‌ଆଇ ଏହି ଘଟଣାର ତଦନ୍ତଭାର ନେଇଛନ୍ତି।

ଡକାୟତି ପାଇଁ  ବୃଦ୍ଧାଙ୍କୁ ହତ୍ୟା

୨୦୧୮ ମସିହା ଅଗଷ୍ଟ ମାସ ୩୦ ତାରିଖ। ବାଲିଅନ୍ତା ଥାନା ଅଧୀନ ସାହାବାଜପୁରରେ ରହୁଥିବା ଜଣେ ମହିଳାଙ୍କୁ ଡକାୟତି ପାଇଁ ହତ୍ୟା କରାଯାଇଥିଲା। ମହିଳାଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ଘରୁ ସୁନାଗହଣା ଓ ଟଙ୍କା ଆଦି ଲୁଟି ନେଇଥିଲେ। ଏନେଇ ବାଲିଅନ୍ତା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲେ ମଧ୍ୟ ଏଯାଏ ହତ୍ୟାକାରୀଙ୍କ ପତ୍ତା ପାଇ ନାହିଁ ପୁଲିସ।

କୁଆଖାଇ ନଦୀପଠାରେ ଦୁଷ୍କର୍ମ ପରେ ହତ୍ୟା

୨୦୧୭ ଫେବ୍ରୁଆରି ୧ ତାରିଖ। ମଞ୍ଚେଶ୍ବର ଥାନା ଅଧୀନ କୁଆଖାଇ ନଦୀପଠାରୁ ଜବତ ହୋଇଥିଲା ଜଣେ ଯୁବତୀଙ୍କ ମୃତଦେହ। ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଥିଲା କ୍ଷତ ଚିହ୍ନ। ଯୁବତୀଙ୍କ ଗୁପ୍ତାଙ୍ଗରୁ ରକ୍ତ  ଝରୁଥିଲା। କାମୁଡ଼ା ଦାଗ ବି ଥିଲା। ତଣ୍ଟିରେ କଳା ଚିହ୍ନ ଥିଲା। କଫିନ ଭିତରେ ମୃତଦେହକୁ ଏକ ଜରି ଅଖାରେ ଭର୍ତି କରାଯାଇ ଫିଙ୍ଗା ଯାଇଥିଲା। ପୁଲିସ ମୃତଦେହ ଜବତ କରିଥିଲା। କିନ୍ତୁ ଯୁବତୀଙ୍କ ପରିଚୟ ପାଇ ନ ଥିଲା। ଏପରିକି ମୃତଦେହର ପରିଚୟ ପାଇବା ପାଇଁ ପୁଲିସ ବିଭିନ୍ନ ଗଣମାଧୢମରେ ବିଜ୍ଞାପନ ଛାପିବା ସହ ସୂଚନା ଦେଇ ପୁରସ୍କାର ଘୋଷଣା କରିଥିଲା। ଏହି ହତ୍ୟାକାଣ୍ତର ଏବେ ବି ରହସ୍ୟ ଉନ୍ମୋଚନ ହୋଇ ପାରିନାହିଁ। ସେହି ହତ୍ୟାକାଣ୍ଡ ଘଟଣାର ତଦନ୍ତକାରୀ ଅଫିସର ଥିଲେ ଏସ୍‌ଆଇ ଏସ୍‌ ଗୋଛାୟତ। ଏବେ ତାଙ୍କର ବଦଳି ଖାରବେଳନଗର ଥାନାକୁ ହୋଇଛି।  କିନ୍ତୁ ଏବେ ବି ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ।

ମେଘେଶ୍ବର ମନ୍ଦିରରେ ବୃଦ୍ଧଙ୍କୁ ହତ୍ୟା

୨୦୧୭ ମାର୍ଚ ମାସ ୯ ତାରିଖ। ବଡ଼ଗଡ଼ ଥାନା ଅଧୀନ ମେଘେଶ୍ବର ମନ୍ଦିର ପରିସରରେ ଜଣେ ବୃଦ୍ଧ ଭିକାରୀଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିଲା। ବୃଦ୍ଧ ଜଣକ ପୁରୀ କୁମ୍ଭାରପଡ଼ା ଥାନା ଅଧୀନ ନରେନ୍ଦ୍ରକୋଣ ଅଞ୍ଚଳର ବୋଲି ପୁଲିସ ଖବର ପାଇଥିଲା। ବୃଦ୍ଧଙ୍କ ପରିଚୟ ସମ୍ପର୍କରେ ଜାଣିବା ଲାଗି ବଡ଼ଗଡ଼ ଥାନା ପୁଲିସର ଗୋଟିଏ ଟିମ୍‌ ପୁରୀ ଯାଇଥିଲା। କିନ୍ତୁ ସେଠାରୁ କିଛି ବୃଦ୍ଧଙ୍କ ପରିଚୟ ନେଇ କିଛି ବି ଠୋସ ତଥ୍ୟ ମିଳି ନ ଥିଲା। ପରିଚୟ ଜାଣିବା ପାଇଁ  କମିସନରେଟ ପୁଲିସ ରାଜ୍ୟର ସମସ୍ତ ପୁଲିସ ଜିଲ୍ଲା ମୁଖ୍ୟାଳୟ ଏବ˚ ରାଜ୍ୟ ବାହାର ପୁଲିସ ମୁଖ୍ୟଙ୍କୁ ଫଟୋ ସହ ଚିଠି ଲେଖିଥିଲା। କିନ୍ତୁ କେଉଁଠୁ ଏଯାଏ କୌଣସି ଉତ୍ତର ଆସିନାହିଁ। ମନ୍ଦିର ପରିସରରେ ଏଭଳି  ହତ୍ୟାକାଣ୍ଡ ଘଟିବା ସେତେବେଳ  ଅନେକ ଚର୍ଚାର ବିଷୟ ହୋଇଥିଲା। ଏହି ହତ୍ୟାକାଣ୍ଡର ତଦନ୍ତକାରୀ ଅଫିସର ହେଉଛନ୍ତି ବଡ଼ଗଡ଼ ଥାନା ତତ୍କାଳୀନ ଇନ୍ସପେକ୍ଟର ଶୁଭେନ୍ଦୁ ସିହ୍ନା। ଏବେ ସେ ପଦୋନ୍ନତି ପାଇ ଏସିପି ହୋଇ ସାରିଲେଣି। ଏହା ମଧ୍ୟରେ ତାଙ୍କର ଭୁବନେଶ୍ବରରୁ ଅନ୍ୟତ୍ର ବଦଳି ମଧ୍ୟ ହୋଇସାରିଲାଣି। କିନ୍ତୁ ହତ୍ୟାକାରୀ ଏଯାଏ ଧରା ପଡ଼ିନାହିଁ।

କବିରାଜ ହତ୍ୟାକାଣ୍ତ

୨୦୧୪ ମସିହା ସେପ୍ଟେମ୍ବର ମାସରେ ଡିସିପ ଭାବେ ସତ୍ୟବ୍ରତ ଭୋଇ ଯୋଗ ଦେଇଥିଲେ। ତାଙ୍କର ଯୋଗ ଦେବାର ମାତ୍ର ୪ ଦିନ ପରେ ଲକ୍ଷ୍ମୀସାଗର ଥାନା ଅଧୀନ ସତ୍ୟନଗର ଓଭରବ୍ରିଜ୍‌ ତଳେ ଜଣେ ଯୁବକଙ୍କୁ ଖଣ୍ଡ ଖଣ୍ଡ କରି ହାଣି ଅଖା ବ୍ୟାଗରେ ଭର୍ତି କରି ଫିଙ୍ଗି ଦିଆଯାଇଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ପୁଲିସ ଏହି ଘଟଣାରେ କଦଳୀ ଗୋଦାମଠାରୁ ଆରମ୍ଭ ବ୍ରହ୍ମପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏପରିକି ପୁଲିସ କବିରାଜଙ୍କ ଦାଦା, ଖୁଡ଼ୀଙ୍କୁ ଥାନାରେ ଅଟକ ରଖି ଲାଏ ଡିଟେକସନ୍‌ ଟେଷ୍ଟ ମଧୢ କରାଇଥିଲା। କିନ୍ତୁ ସେହି ହତ୍ୟାକାଣ୍ତ ଏବେ ବି ରହସ୍ୟ ଘେରରେ। ଏହି ଚର୍ଚିତ ଅପରାଧର ତଦନ୍ତକାରୀ ଅଫିସର ହେଉଛନ୍ତି ଇନ୍ସପେକ୍ଟର ନିହାର ରଂଜନ ପ୍ରଧାନ। ଘଟଣାର କିଛି ଦିନ ପରେ ତାଙ୍କର ବଦଳି ଗଞ୍ଜାମ ଜିଲ୍ଲାକୁ ହୋଇଥିଲା। କିନ୍ତୁ କିଏ ଏବ˚ କାହିଁକି କବିରାଜଙ୍କୁ ହତ୍ୟା କଲା, ତାହା ଏଯାଏ ଉନ୍ମୋଚନ ହୋଇପାରିଲା ନାହିଁ।

ଡିସିପିଙ୍କ ଯୋଗ ଦେବାକୁ ବର୍ଷେ ପୂରିଲା

୨୦୦୬ ବ୍ୟାଚର ଆଇପିଏସ୍‌ ଅଫିସର ଅନୁପ କୁମାର ସାହୁ ଭୁବନେଶ୍ବରର ୫ ଡିସିପି ଭାବେ ଯୋଗ ଦେବାରେ ଇତି ମଧ୍ୟରେ ବର୍ଷେ ପୂରିଗଲାଣି। ପୂର୍ବତନ ଡିସିପି ତଥା ଡିଆଜି ସତ୍ୟବ୍ରତ ଭୋଇଙ୍କ ଠାରୁ ଶ୍ରୀ ସାହୁ ଦାୟିତ୍ବ ଭାର ଗ୍ରହଣ କରିଥିଲେ। ଶ୍ରୀ ସାହୁ ଦାୟିତ୍ବ ଭାର ଗ୍ରହଣ ବେଳେ ଗଣମାଧ୍ୟମକୁ କହିଥିଲେ କି ସେ ସମସ୍ତ ପ୍ରକାର ଆହ୍ବାନକୁ ସାମ୍ନା କରିବେ। କିଭିଳି ଭାବେ ସମସ୍ୟାଗଡ଼ିକୁ  ସମାଧାନ କରାଯିବ ସେ ଦିଗରେ ପଦକ୍ଷେପ ନେବେ। ବିଶେଷ କରି ଅପରାଧ ନିୟନ୍ତ୍ରଣ, ଭିଭିଆଇପିଙ୍କ ସୁରକ୍ଷା, ସାଇବର ଅପରାଧ, ଟ୍ରାଫିକ୍‌ ସମସ୍ୟା, ମହିଳା ନିର୍ଯାତନା ତାଙ୍କ ଫୋକସରେ ରହିବ ବୋଲି କହିଥିଲେ। ଏହା ମଧ୍ୟରେ ଅନେକ ଅପରାଧ ଘଟିଛି। କେତେକ ଅପରାଧ ଘଟଣାରେ ପୁଲିସ ସଫଳତା ପାଇଥିଲେ ମଧ୍ୟ ଏକାଧିକ ଘଟଣାରେ ପୁଲିସ ହାତ ଖାଲି। ଏହି ବର୍ଷକ ମଧ୍ୟରେ ରାଜଧାନୀରେ କେତୋଟି ଚର୍ଚିତ ହତ୍ୟାକାଣ୍ଡ ଘଟିଛି, ଲୁଟେରାମାନେ ମଧ୍ୟ ସିରିଜ୍‌ ଲୁଟପାଟ ମଧ୍ୟ ରାଜଧାନୀବାସୀଙ୍କୁ ନାକରେ କନ୍ଦାଇଛନ୍ତି। ସିନ୍ଧି‌ଚୋରଙ୍କ ଉତ୍ପାତ ଚରମସୀମାରେ। ଘରୁ ବାହାରି ବଜାରକୁ ଆସି ଘରକୁ ଫେରିଲାବେ‌ଳକୁ ଘରର କବାଟ, ଝରକା ତାଡ଼ି ଲୁଟେରା ପଶି ଯାଉଛନ୍ତି। ଏସବୁ ମଧ୍ୟରେ ମଧ୍ୟ ପୁଲିସକୁ ଅନେକ କ୍ଷେତ୍ରରେ ସଫଳତା ମିଳିଛି।

ମାଛ ଧରାଳି ବିଜୟ ବେହେରା ହତ୍ୟାକାଣ୍ତ

୨୦୧୭ ମସିହା ସେପ୍ଟେମ୍ବର ୯ ତାରିଖରେ ମଞ୍ଚେଶ୍ବର ଥାନା ଅଧୀନ ହଂସପାଳ ବ୍ରିଜ୍‌ ତଳେ ଜଣେ ମାଛ ଧରାଳି ବିଜୟ ବେହେରାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିଲା। ଅନ୍ୟ ଜଣେ ମାଛ ଧରାଳି ବିଜୟଙ୍କୁ ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଥିଲା। କିନ୍ତୁ ପୁଲିସ ସେହି ମାଛ ଧରାଳିର ସନ୍ଧାନ ପାଇ ପାରୁନାହିଁ। ଏହି ହତ୍ୟାକାଣ୍ଡର ମଧ୍ୟ ତଦନ୍ତକାରୀ ଅଫିସର ବଦଳି ଗଲେଣି। କିନ୍ତୁ ଏହି ଘଟଣାର ଅଭିଯୁକ୍ତ ଏବେ ବି ପୁଲିସ ପାଇଁ ଅପହଞ୍ଚ।

ଆଇଆରସି ଭିଲେଜ ହତ୍ୟାକାଣ୍ଡ

୨୦୧୮ ଅଗଷ୍ଟ ୨୧ ତାରିଖ ସକାଳ। ରାଜଧାନୀର ଭିଭିଆଇପି ଅଞ୍ଚଳ ବୋଲି କୁହାଯାଉଥିବା ଆଇଆରସି ଭିଲେଜ ସରକାରୀ ସ୍କୁଲ ହତାରେ ମିଳିଥିଲା  ପୂର୍ଣ୍ଣଚନ୍ଦ୍ର ନାୟକ ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ। କେହି ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡରେ ଏକାଧିକ ଅଭିଯୁକ୍ତ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା। ରାଜନୈତିକ ବାଦ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ପୂର୍ଣ୍ଣଚନ୍ଦ୍ରଙ୍କ ସମ୍ପର୍କୀୟମାନେ କହିଥିଲେ। ସେତେବେଳର ନୂଆପଲ୍ଲୀ ଥାନା ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନ ଏହି ହତ୍ୟାକାଣ୍ଡର ତଦନ୍ତକାରୀ ଅଫିସର ଥିଲେ। ଇତି ମଧ୍ୟରେ ତାଙ୍କର ବଦଳି ହୋଇଯାଇଛି। କିନ୍ତୁ ମାମଲା ଯେମିତି ସେମିତି ପଡ଼ି ରହିଛି। ପୁଲିସ ଏଯାଏ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇନାହିଁ।

ସମ୍ବନ୍ଧିତ ଖବର