ବଦଳି କଲେନି ‌ବୋଲି ଇଞ୍ଜିନିୟରଙ୍କ ଘରେ ନିଆଁ ଲଗାଇଦେଲେ ପିଅନ

ଭୁବନେଶ୍ବର: ବଦଳି ହେବା ପାଇଁ ସେ ଅନୁରୋଧ କରିଥିଲେ। ହେଲେ ଇଞ୍ଜିନିୟର ଅନୁମତି ଦେଲେନି। ଏଣୁ ରାଗରେ ଇଞ୍ଜିନିୟରଙ୍କ ଘରେ ନିଆଁ ଲଗେଇଦେଲେ ପିଅନ। ଏଭଳି ଏକ ଅଭାବନୀୟ ଘଟଣା ନୂଆପଲ୍ଲୀ ଥାନା ଅଞ୍ଚଳରେ ଘଟିଛି। ଅଭିଯୁକ୍ତ ପିଅନକୁ ଆଜି ନୂଆପଲ୍ଳୀ ଥାନା ପୁଲିସ ଗିରଫ କରିଛି। ସେ ହେଉଛି ଖଣ୍ଡଗିରି ଥାନା ଜଗନ୍ନାଥ ବିହାରରେ ରହୁଥିବା ଜଗତସିଂହପୁରର ପ୍ରଦୀପ ନାୟକ।

ବାଲେଶ୍ୱର ଜିଲ୍ଲାର ସନ୍ତୋଷ ଦାସ ବିଡିଏ ଆପାର୍ଟମେଣ୍ଟ ତୃତୀୟ ମହଲାରେ ରୁହନ୍ତି। ନୂଆପଲ୍ଲୀରେ ଥିବା ଏକ ସରକାରୀ କାର୍ଯ୍ୟାଳୟରେ ସନ୍ତୋଷ ଚିଫ୍‍ ଇଞ୍ଜିନିୟର ଭାବେ କାମ କରନ୍ତି। ସେହି ଅଫିସରେ ପ୍ରଦୀପ ପିଅନ ଭାବେ କାମ କରନ୍ତି। ସେ ଜଗତସିଂହପୁର ବଦଳି ହୋଇଯିବାକୁ ସନ୍ତୋଷଙ୍କୁ ବାରମ୍ବାର କହିଥିଲେ। ହେଲେ ସନ୍ତୋଷ ତାଙ୍କୁ ଅନୁମତି ଦେଇ ନ ଥିଲେ। ଏଥିରେ ପ୍ରଦୀପ ବିରକ୍ତ ହୋଇ ଦୁଇ ଦିନ ତଳେ ରାତିରେ ସନ୍ତୋଷ ରହୁଥିବା ବିଡିଏ ଆପାର୍ଟମେଣ୍ଟକୁ ଯାଇ ଘରର ଦ୍ୱାରବନ୍ଧରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ବ୍ୟାପିବା ପୂର୍ବରୁ ସନ୍ତୋଷ ନିଆଁ ଲିଭାଇ ଥିଲେ। ପରେ ସିସିଟିଭି ଫୁଟେଜ୍‌ ଯାଞ୍ଚରୁ ପିଅନ ପ୍ରଦୀପ ଏଭଳି କାର୍ଯ୍ୟ କରିଥିବା ଜଣାପଡ଼ିଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରଦୀପକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର