ବନ୍ୟା ପରେ ମରୁଡ଼ିର ପଦଧ୍ବନି, ସଂଘର୍ଷ କରୁଛି ଚାଷୀ

ବାଲିଅନ୍ତା: ବନ୍ୟା ଦେଇ ଯାଇଥିବା କ୍ଷତ ନ ଶୁଖୁଣୁ, ଚାଷୀ ଉପରକୁ ମାଡ଼ି ଆସିଲାଣି ମରୁଡ଼ିର ଭୟ। ପ୍ରାୟ ଗୋଟିଏ ସପ୍ତାହ ହେଲା ଅସରାଏ ବି ବର୍ଷା ହୋଇନଥିବାରୁ ମରୁଡ଼ିର ପଦଧ୍ବନି ଚାଷୀକୁ ବିବ୍ରତ କଲାଣି। ବନ୍ୟା ଜଳ ଛାଡ଼ି ଯିବା ପରେ ଏବେ ବିଲ ବାଡ଼ି ଶୁଖି ଗଲାଣି ଓ ବହୁ ଢ଼ିପ ଜମି ଫାଟି ଆଁ କଲାଣି। ପଟୁ ଜମି ରହିଥିବା ଧାନ ଗଛ ପ୍ରବଳ ଖରାରେ ଜଳିବାକୁ ବସିଲାଣି। ତଳିଆ ଜମିର ଧାନ ଗଛ ବନ୍ୟା ପାଣିରେ ସଢ଼ି ଯାଇଥିବା ବେଳେ ଢ଼ିପ ଜମିର ଧାନ ଗଛ ଜଳିବାକୁ ବସିଲାଣି। ତେଣୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ତଥାପି ଚାଷୀ ହାର୍ ମାନିନି। ଜମିକୁ ପଡ଼ିଆ ନ ରଖିବା ପାଇଁ ଅଣ୍ଟା ଭିଡ଼ିଛି ଚାଷୀ। ନଦୀପଠାରେ ପୁଣି ପରିବା ଚାଷ କରିବା ପାଇଁ ଲାଗି ପଡ଼ିଥିବା ବେଳେ ପାଣି ଥିବା ଜମିରେ ଧାନ ଗଛ ରୋଇବା ଦେଖିବାକୁ ମିଳିଛି।

ଭାର୍ଗବୀ ଓ ଧନୁଆ ନଈର ବନ୍ୟା ଶହ ଶହ ଏକର ଜମିରେ ପଟୁ ଚଢ଼ାଇ ଯାଇଛି। ବାଲିଅନ୍ତା ବ୍ଲକ ଅଧୀନ ପୁରୋହିତପୁର ଓ ଝିଣ୍ଟିଶାସନ ପଞ୍ଚାୟତ ସହ ବାଲିପାଟଣା ବ୍ଲକର ୭ଟି ପଞ୍ଚାୟତରେ ବ୍ୟାପକ ଧାନ ଫସଲ ଉଜୁଡ଼ି ଯାଇଛି। ବଢ଼ି ପାଣି କମି ଯିବା ପରେ ରୁଆ ବେଉଷଣ ଜମି ଶୁଖିଲା ପଡ଼ିଛି। ଖାଲୁଆ ଜମିରେ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଢିପ ଜମିରେ ଯହା କିଛି ପରିମାଣରେ ଧାନ ରହି ଯାଇଛି। ଏହା ମଧ୍ୟରେ ୭ଦିନ ବିତି ଯାଇଥିବା ବେଳେ ବର୍ଷା ନହେବା ଯୋଗୁଁ ପଟୁ ଲାଗିଥିବା ଧାନଗଛ ନଷ୍ଟ ହେବା ସ୍ଥିତିରେ ପହଞ୍ଚିଛି। ପଟୁ ଲାଗିଥିବା ଧାନ ଗଛ ପ୍ରବଳ ଖରା ପାଇଁ ଜଳିଯିବା ଅବସ୍ଥାରେ ପହଞ୍ଚିଛି। ଦୀର୍ଘ ଦିନ ଧରି ବର୍ଷା ନହେବା ଫଳରେ ଏବେ ଚାଷ ଜମି ଫାଟି ଆଁ କରିଛି। ତେଣୁ ବନ୍ୟା ପରେ ଏବେ ଏଠାରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ବନ୍ୟା ପ୍ରକୋପରୁ ରକ୍ଷା ପାଇ ଯାଇଥିବା ଧାନଫସଲ ଏବେ ମରୁଡ଼ି ମୁହଁରେ ଯିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି।

ସବୁଠୁ ବଡ଼ କଥା ହେଉଛି, ଏବେ ବି ଚାଷୀମାନେ ପ୍ରକୃତି ସମ୍ମୁଖରେ ହାର୍‌ ମାନିନାହାନ୍ତି । ବନ୍ୟା ହୋଇନଥିବା ପାଖ ପଞ୍ଚାୟତରୁ ଧାନ ତଳି ସଂଗ୍ରହ କରି ପୁଣି ଋଆ ବେଉଷଣ କରୁଛନ୍ତି। ଆଉ କିଛି ଚାଷୀ ସହଳ କିସମର ଧାନ ଋଆ ବେଉଷଣ କରି ଜମି ଉଠିଆ କରିବାକୁ ଯୋଜନା ଚଳାଇଛନ୍ତି। ସେହିପରି ପନିପରିବା ଫସଲ କରୁଥିବା ଚାଷୀମାନେ ପୁଣି ହଳ ବଳଦ ଧରି ବାହାରିଲେଣି। ନଦୀପଠା ଜମି ଓ ଢ଼ିପ ଜମିକୁ ଏଥିପାଇଁ ଚାଷୀମାନେ ପ୍ରସ୍ତୁତ କରିବା‌ ଆରମ୍ଭ କଲେଣି। ଏଭଳି ସ୍ଥିତିରେ ବ୍ଲକ କୃଷି ବିଭାଗ ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର