ବସ୍‌ ଓ ପେଟ୍ରୋଲ ପମ୍ପ୍‌ ମାଲିକଙ୍କୁ ଚୂନ ଲଗାଇଲା ସାଇବର ଠକ, କ୍ୟୁଆର୍‌ କୋଡ୍‌ ପଠାଇ ଲୁଟିଲା ୧.୨୩ ଲକ୍ଷ

ଭୁବନେଶ୍ବର : ପୁଣି ଏକ ଅଭିନବ ସାଇବର ଠକେଇ ଘଟଣା ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ବସ୍‌ ମାଲିକ ଓ ପେଟ୍ରୋଲ ପମ୍ପ ମାଲିକଙ୍କଠାରୁ ଲକ୍ଷେ ୨୩ ହଜାର ଟଙ୍କା ଲୁଟି ନେଇ ଚୂନ ଲଗାଇଛି ସାଇବର ଠକ। ଠକ ପଠାଇଥିବା କ୍ୟୁଆର୍‌ କୋଡ୍‌କୁ ସ୍କାନ କରି ଟଙ୍କା ପାଇବେ ବୋଲି ଆଶା କରିଥିବା ମାଲିକଦ୍ବୟଙ୍କ ଆକାଉଣ୍ଟରୁ ଓଳଟା ଟଙ୍କା‌ ଉଡ଼ିଯାଇଛି। ଏନେଇ ସେମାନେ ପ୍ରଥମେ ଭରତପୁର ଥାନା ଓ ପରେ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି।

ସାଇବର ଠକ ଜାଲରେ ପଡ଼ିଥିବା ଏସିଆନ୍ ବସ୍‌ର ମାଲିକ ବିଜୟ ପ୍ରଧାନଙ୍କ କହିବାନୁଯାୟୀ ଗତକାଲି ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଦିଲ୍ଲୀ ଏୟାର୍‌ଫୋର୍ସ ବେସ୍‌ର ଅନୀଲ କୁମାର ବୋଲି ପରିଚୟ ଦେଇଥିଲା। ବରମୁଣ୍ଡା ନିକଟରେ ଥିବା ଏୟାରଫୋର୍ସ ବେସ୍‌ରୁ କିଛି କର୍ମଚାରୀ ରାଞ୍ଚି ଯିବା ପାଇଁ ବସ୍ ଦରକାର ବୋଲି ସେ ତାଙ୍କୁ କହିଥିଲା। ଏଥିପାଇଁ ୯୦ ହଜାର ଟଙ୍କାରେ ଭଡ଼ା ସ୍ଥିର ହୋଇଥିଲା। ଅପରାହ୍ନ ୧ଟାରେ ବସ୍ ରାଞ୍ଚି ବାହାରିବା ପୂର୍ବରୁ ବିଜୟ ତାଙ୍କୁ ପେଟ୍ରୋଲ୍‌ ବାବଦକୁ ଅଗ୍ରୀମ ଟଙ୍କା ମାଗିଥିଲେ। ଅନୀଲ ନାମଧାରୀ ବ୍ୟକ୍ତି ତାଙ୍କୁ ନିକଟସ୍ଥ ପେଟ୍ରୋଲ ପମ୍ପକୁ ଗାଡ଼ି ନେବାକୁ କହିଥିଲା। ଉକ୍ତ ଟାଙ୍କିରେ ବସ୍‌ ୨୦ ହଜାର ଟଙ୍କାର ତେଲ ପକାଇବା ପରେ ଅନୀଲ୍‌ ପମ୍ପ ମ୍ୟାନେଜରଙ୍କୁ ଏକ କ୍ୟୁଆର୍‌ କୋଡ୍‌ ପଠାଇଥିଲା। ପମ୍ପ ମ୍ୟାନେଜର କ୍ୟୁଆର୍‌ କୋଡ୍‌କୁ ସ୍କାନ କରିଥିଲେ। ଠିକ୍‌ ସେତିକିବେଳେ ଅନୀଲ ବିଜୟଙ୍କୁ ମଧ୍ୟ କ୍ୟୁଆର୍‌ କୋଡ୍‌ ପଠାଇଥିଲା ଓ ୭୦ ହଜାର ଟଙ୍କା ପାଇବାକୁ ସେ ସ୍କାନ କରିଥିଲେ। ମାତ୍ର ପରେ ପରେ ବିଜୟଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା ଓ ପେଟ୍ରୋଲ ପମ୍ପ ଆକାଉଣ୍ଟରୁ ୯୮ ହଜାର ଟଙ୍କା ଉଡ଼ି ଯାଇଥିଲା। ଏହା ପରେ ଅନୀଲର ମୋବାଇଲ୍‌ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଏତେ‌ବେଳେ ଯାଇ ସେମାନେ ବୁଝିଥିଲେ ସେ ସାଇବର ଠକ ସେମାନଙ୍କୁ ଚୂନ ଲଗାଇ ସାରିଛି। ଏହା ପରେ ଜଣାପଡ଼ିଥିଲା ଯେ ଠକ ବିଜୟଙ୍କୁ ଟାର୍ଗେଟ୍‌ କରିବା ପୂର୍ବରୁ ଅପୂର୍ବା ଓ ତିରୁପତି ବସ୍‌ ମାଲିକଙ୍କୁ ଯୋଗାଯୋଗ କରିଥିଲା। ମାତ୍ର ସେମାନେ କୌଣସି କାରଣରୁ ସନ୍ଦେହ କରିବାରୁ ଠକ ବିଛାଇଥିବା ଜାଲରେ ଫସିନଥିଲେ।

ସମ୍ବନ୍ଧିତ ଖବର