‘ବାଇଚଢ଼େଇର ଡେଣା’ ମଞ୍ଚସ୍ଥ

ଭୁବନେଶ୍ବର: ବାଇ ଚଢ଼େଇର ଡେଣା‌ରେ ଯଥେଷ୍ଟ ସାମର୍ଥ୍ୟ ନଥିଲେ ମଧ୍ୟ ନିଜର ଅଦମ୍ୟ ସାହସ ଓ ପ୍ରୟାସରେ ଖଣ୍ଡି ଉଡ଼ା ଦେଇ ତାଳ ଗଛ ଅଗରେ ନିଜ ପାଇଁ ସୁନ୍ଦର ବସାଟିଏ ଗଢ଼ିଦିଏ। ସେହିଭଳି ସମାଜର ଅବହେଳିତ ମଣିଷ ମଧ୍ୟ ନିଜର ଉତ୍ସାହ ଓ ପ୍ରଚେଷ୍ଟା ମାଧ୍ୟମରେ ଉଚ୍ଚଶିକ୍ଷିତ ହୋଇ ନିଜକୁ ଉନ୍ନତ ଓ ସୁରକ୍ଷିତ କରିପାରିବ। ଏଥିସହ ଦେଶରେ ଉନ୍ନତି ଓ ସଂସ୍କାର ଆସିପାରିବ। ଏଭଳି ଏକ ପ୍ରେରଣାଦାୟୀ କାହାଣୀକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ‌ହୋଇଥିଲା ନାଟକ ‘ବାଇଚଢ଼େଇର ଡେଣା’। ‘ସୃଷ୍ଟି ଥିଏଟର’ ପକ୍ଷରୁ ଆୟୋଜିତ ନା‌ଟ୍ୟ ଉତ୍ସବ‌ର ପ୍ରଥମ ସଂଧ୍ୟାରେ ଆଜି ମଞ୍ଚସ୍ଥ ଏହି ନାଟକ ନବୀନ ବଣ୍ଣାଳି ଥିଏଟର ପକ୍ଷରୁ ପରିବେଷିତ ହୋଇଥିଲା। ନାଟକର ରଚନା ଓ ନିର୍ଦ୍ଦେଶନା ନବୀନ କୁମାର ପରିଡ଼ା କରିଥିଲେ। ଆଜିର ସଂଧ୍ୟାରେ ଅତିଥି ଭାବେ ବିଶିଷ୍ଟ ପ୍ରଶାସକ କୃଷ୍ଣଚନ୍ଦ୍ର ମହାପାତ୍ର, ଗଗନ ବିହାରୀ ଜେନା, ଦେବାନନ୍ଦ ଦ୍ବିବେଦୀ ଓ ବାସନ୍ତୀ ଜେନା ପ୍ରମୁଖ ଯୋଗ ଦେଇଥିଲେ। ‘ସୃଷ୍ଟି ଥିଏଟର’ର ମୁଖ୍ୟ ବିନୟ ଭୂଷଣ ପଟ୍ଟନାୟକ ଏଥିରେ ଉପସ୍ଥିତ ଥିଲେ। ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ପରିଡ଼ାଙ୍କୁ ସମ୍ମାନିତ କରାଯାଇଛି। ଓଡ଼ିଶା ନାଟ୍ୟ ସଂଘର ସଭାପତି ହରେନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର