ବାଇ-ଲ’ ପ୍ରତ୍ୟାହାର ଦାବିରେ ତୀବ୍ର ହେଉଛି ଅସନ୍ତୋଷ : ମନ୍ଦିର ଆଗରେ ଘଣ୍ଟ ପିଟିବେ ସେବା‌ୟତ

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲା ଏକାମ୍ର ଜନ ଜାଗରଣ ମଞ୍ଚ
ଜିଲ୍ଲା କଂଗ୍ରେସର ଦସ୍ତଖତ ସଂଗ୍ରହ ଅଭିଯାନ ଆଜି

ପୁରୁଣା ଭୁବନେଶ୍ବର : ଏନ୍‌ଏମ୍‌ଏ ଦ୍ବାରା ଏକାମ୍ର କ୍ଷେତ୍ରରେ ଲାଗୁ କରାଯାଇଥିବା ବାଇ-ଲ’କୁ ନେଇ ବିବାଦ ଥମିବା ନା ଧରୁନାହିଁ। ସବୁ ମହଲରୁ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି। ଦିନକୁ ଦିନ ଅଧିକରୁ ଅଧିକ ସାମାଜିକ ଅନୁଷ୍ଠାନ ଅଭିନବ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ସରସ୍ବତୀ ପୂଜା ଦିନ ଏକାମ୍ର କ୍ଷେତ୍ରର ସବୁ ମନ୍ଦିର ସମ୍ମୁଖରେ ଘଣ୍ଟ ବଜାଇ ପ୍ରତିବାଦ ପ୍ରଦର୍ଶନ କରାଯିବ ବୋଲି ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଆଜି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ ଶ୍ରୀକ୍ଷେତ୍ରରୁ ଏହି ବିବାଦୀୟ ବାଇ-ଲ’ ପ୍ରତ୍ୟାହାର କରି ନିଆଯାଇଥିବାବେଳେ ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ଵର ମନ୍ଦିର ପାଇଁ ଏହି କଟକଣା ବଳବତ୍ତର ରହିଛି।

ଶନିବାର ଶ୍ରୀଲିଙ୍ଗରାଜ ମନ୍ଦିରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେବାୟତ ସଂଘର ସଭାପତି କାମେଶ୍ବର ତ୍ରିପାଠୀ କହିଛନ୍ତି ଯେ ଏହି ବିବାଦୀୟ ବାଇ-ଲ’ ପ୍ରତ୍ୟାହାର ନ ହେଲେ ଜୋର୍‌ଦାର ଆନ୍ଦୋଳନ କରାଯିବ। ଆସନ୍ତା ସରସ୍ବତୀ ପୂଜା ଦିନ ସବୁ ମନ୍ଦିର ଆଗରେ ଘଣ୍ଟ ବଜାଇ ପ୍ରତିବାଦ କରାଯିବ। ଅନ୍ୟପକ୍ଷରେ ଏକାମ୍ର ଜନ ଜାଗରଣ ମଞ୍ଚ ଅଭିଯୋଗ କରିଛି ଯେ ଏକାମ୍ର କ୍ଷେତ୍ରର ବିକାଶ ପାଇଁ ସ୍ଥାନୀୟ ବାସିନ୍ଦାମାନେ ସେମାନଙ୍କ ଭିଟାମାଟି ଉତ୍ସର୍ଗ କରିଛନ୍ତି। ଏତିକିବେଳେ ଏନ୍ଏମ୍ଏ ଦ୍ଵାରା ପାରିତ ହୋଇଥିବା ଏହି ଚିଠା ନିୟମ ସମସ୍ତଙ୍କ ଭାବାବେଗକୁ ଆଘାତ ଦେଇଛି। ତେଣୁ ଏହି ପ୍ରସଙ୍ଗ ଉଲ୍ଲେଖ କରି ମଞ୍ଚ ପକ୍ଷରୁ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି ଯେ ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରରେ ଚାଲୁଥିବା ବିକାଶ କାର୍ଯ୍ୟରେ ଏହି ଚିଠା ଉପନିୟମ ବାଧକ ସାଜିଛି। ଶ୍ରୀକ୍ଷେତ୍ରର ବିକାଶ ପାଇଁ ଯଦି ଏହି ନିୟମ ପ୍ରତ୍ୟାହୃତ ହୋଇପାରିଲା, ତେବେ ଏକାମ୍ର କ୍ଷେତ୍ର ବିକାଶ କାହିଁକି ବଳି ପଡ଼ିବ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମଖରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ। ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଓ ରଶ୍ମି ମହାପାତ୍ର ଏହି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର