ବାଘଛାଲ ଜବତ ଘଟଣା, ରିମାଣ୍ଡରେ ଅଭିଯୁକ୍ତ

ମାରାଥନ୍‌ ଜେରା ଜାରି

ଭୁବନେଶ୍ବର: ଦେବଗଡ଼ ଜିଲ୍ଲା ବାରକୋଟ୍‌ ଅଞ୍ଚଳରେ ଚିତାବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚର ସ୍ପୋସାଲ ଟାସ୍କ ଫୋର୍ସ ହାତରେ ଧରା ପଡ଼ିଥିବା ୩ ଅଭିଯୁକ୍ତ ୪ ଦିନିଆ ରିମାଣ୍ଡରେ ଆସିଛନ୍ତି। ଏସ୍‌ଟିଏଫ୍‌ର ଜଣେ ଡିଏସ୍‌ପିଙ୍କ ସମେତ ଏକ ସ୍ବତନ୍ତ୍ର ଦଳ ଦେବଗଡ଼ରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ମାରାଥନ୍‌ ଜେରା କରୁଛି। ଏବେ ମୂଳ ଶିକାରୀକୁ ଧରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଟାର୍ଗେଟ୍‌ କରିଛି। ଏହି ବେପାରୀଙ୍କ ଜରିଆରେ ଶିକାରୀଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ଯୋଜନା ହୋଇଛି। ତେବେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ୫ଜଣ ବେପାରୀ ଗିରଫ ହେବା ସହ ବାଘ ଛାଲ ଜବତ ହୋଇଥିଲା। ହେଲେ ଅଦ୍ୟାବଧି ଶିକାରୀଙ୍କ ପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ ପହଞ୍ଚି ପାରିନାହିଁ। କିନ୍ତୁ ପୂର୍ବରୁ ଗିରଫ ୫ ବେପାରୀ ଓ ବର୍ତ୍ତମାନ ଗିରଫ ୩ ବେପାରୀଙ୍କଠାରୁ ମିଳିଥିବା ତଥ୍ୟ କ୍ରାଇମ୍‌ବ୍ରାଞ୍ଚକୁ ଶିକାରୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇବ ବୋଲି ଅଧିକାରୀମାନେ ଆଶା ବାନ୍ଧିଛନ୍ତି।

ଏହି ରୢାକେଟ୍‌ ତଥା ବ୍ୟବସାୟରେ ଅନ୍ୟ ସରକାରୀ ବିଭାଗର ସମର୍ଥନ ରହୁଥିବାରୁ କ୍ରାଇମ୍‌ବ୍ରାଞ୍ଚକୁ ସମସ୍ୟା ହେଉଥିବା କୁହାଯାଉଛି। ଏହି ମାମଲାରେ ବନ ବିଭାଗ କ୍ରାଇମ୍‌ବ୍ରାଞ୍ଚକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଜଣାପଡ଼ିଛି। ବଡ଼ କଥା ହେଉଛି, ଏହି ବାଘଛାଲରେ ଗୁଳି ଦାଗ ରହିଛି। ଘଟଣାକୁ ତିନି ଦିନ ପୂରିଥିଲେ ମଧ୍ୟ ବନ ବିଭାଗ ଏଯାବତ୍‌ ବନ୍ଧୁକ ଧରିବା ପାଇଁ କୌଣସି ପ୍ରକାରର ଉଦ୍ୟମ ଆରମ୍ଭ କରିନାହିଁ। ଶିକାରୀ ରହୁଥିବା ଅଞ୍ଚଳରୁ ବନ ବିଭାଗକୁ ଗୁଇନ୍ଦା ସମର୍ଥନ ମିଳୁ ନାହିଁ। ଫଳରେ ସଫଳତା ମିଳୁନଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନା ମୁତାବକ, ଗତ ଗୁରୁବାର ଦିନ ବାରକୋଟ୍‌ସ୍ଥିତ ଏକ ‌ହୋଟେଲ୍‌ ନିକଟ ନିକାଞ୍ଚନ ସ୍ଥାନରୁ ଏସ୍‌ଟିଏଫ ସୁନ୍ଦରଗଡ଼ ଅଞ୍ଚଳର ସଚ୍ଚିକାନ୍ତ ନାୟକ, ଦେବଗଡ଼ ଅଞ୍ଚଳର ରାମଣିସେନ୍‌ ବେହେରା ଓ ଜ୍ଞାନଦତ୍ତ ବେହେରାଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ସେମାନେ ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ଶୁକ୍ରବାର ଅଭିଯୁକ୍ତମାନଙ୍କୁ ଦେବଗଡ଼ କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡ ପାଇଁ ଆବେଦନ ହୋଇଥିଲା।

ସମ୍ବନ୍ଧିତ ଖବର