ବାଞ୍ଛାର ବଗିଚା

ଭୁବନେଶ୍ୱର: ବାଞ୍ଛା ନିଜ ରକ୍ତକୁ ପାଣି କରି ଫୁଲଫଳ ଭରା ବଗିଚା ସୃଷ୍ଟି କରିଥିଲା। ମାତ୍ର ସେହି ବଗିଚା ଉପରେ ଜମିଦାର ଛକଡ଼ି ମହାନ୍ତିଙ୍କର  ନଜର ପଡ଼େ। ମୋହରିର ସହ ମିଶି ଯୋଜନାବଦ୍ଧ ଭାବେ ୯୪ ବର୍ଷର ବୃଦ୍ଧ ବାଞ୍ଛାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଏକ ଚୁକ୍ତିପତ୍ର ସ୍ବାକ୍ଷର କରିବାରେ ସଫଳ ହୁଏ। ଚୁକ୍ତି ଅନୁସାରେ ବାଞ୍ଛା ବଞ୍ଚିଥିବା ପର୍ଯ୍ୟନ୍ତ ଜମିଦାରଙ୍କଠାରୁ ମାସକୁ ୨୦୦ ଟଙ୍କା ପାଇବ ଏବଂ ମଲା ପରେ ବଗିଚାର ମାଲିକାନା ଜମିଦାରଙ୍କର ହୋଇଯିବ। ମରଣ ଦ୍ୱାରରେ ଥିବା ବାଞ୍ଛା ଖୁବଶୀଘ୍ର ଆରପାରିକୁ ଚାଲିଯିବ ଏବଂ ବଗିଚା ନିଜ ହାତକୁ ଆସିଯିବ ବୋଲି ଖୁସିରେ ଆତ୍ମହରା ହୋଇପଡ଼ନ୍ତି ଜମିଦାର। ହେଲେ ଘଟଣା ଭିନ୍ନ ମୋଡ଼ ନିଏ। ହଠାତ ଆର୍ବିଭାବ ହୁଅନ୍ତି ବାଞ୍ଛାଙ୍କ ନାତୁଣୀ ବୋହୂ ପଦ୍ମା। ତାଙ୍କ ସେବାରେ ସୁସ୍ଥ ହୋଇଉଠନ୍ତି ବାଞ୍ଛା। ଏହା ଜାଣିବା ପରେ ଛକଡି ମହାନ୍ତିଙ୍କର ହୃଦ୍‌ଘାତରେ ମୃତ୍ୟୁ ହୁଏ। ଧନବଳରେ ଜୀବନକୁ ନେଇ ଧନୀକ ଗୋଷ୍ଠୀର ଖେଳକୁ ଅଗ୍ରାହ୍ୟ କରି ବଞ୍ଚି ରହେ ବାଞ୍ଛା। କେବଳ ବଞ୍ଚି ରହେ ନାହିଁ ବରଂ ତାହାର ଉତ୍ତର ପୁରୁଷର ଅଧିକାରକୁ ପ୍ରତିଷ୍ଠା କରେ। ଏମିତି ଏକ ହୃଦୟସ୍ପର୍ଶୀ କାହାଣୀକୁ ନେଇ ‘ଶତାବ୍ଦୀର କଳାକାର’ ପକ୍ଷରୁ ନାଟକ ‘ବାଞ୍ଛାର ବଗିଚା’ ଆଜି ବିଜୁ ନାଟ୍ୟ କେନ୍ଦ୍ରରେ ମଞ୍ଚସ୍ଥ ହୋଇଛି। ମନୋଜ ମିତ୍ର ନାଟ୍ୟ ରଚନା କରିଥିବା ବେଳେ ଓଡ଼ିଆ ନାଟ୍ୟ ରୂପ ସହ ନିର୍ଦେଶନା ଦେଇଥିଲେ ଦର୍ପ ନାରାୟଣ ସେଠୀ।

ଏହି ଅବସରରେ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଲେ, ଯେଉଁଠାରେ ଭାବ ଥାଏ ସେଠାରେ ଅଭାବ ଦେଖାଯାଏ ନାହିଁ। ଆଜିକାଲି ବ୍ୟବସାୟିକ ନାଟକଗୁଡ଼ିକ ସଂଙ୍କଟ ଦେଇ ଗତି କରୁଛି। ଏଭଳିସ୍ଥଳେ ସେମାନଙ୍କୁ ଏହି ସୌଖିନ ନାଟକ ହିଁ ଉଚିତ୍‌ ଜବାବ ଦେଇପାରିବ। ସେଥିପାଇଁ ଏଭଳି ନାଟକ ଅଧିକକୁ ଅଧିକ ହେବା ଦରକାର। ସମ୍ମାନିତ ଅତିଥି ଭାବେ ଓଡିଶା ସଙ୍ଗୀତ ନାଟକ ଏକାଡେମି ସଚିବ ବିଜୟ ଜେନା ଏବଂ ପ୍ରଫେସର ଜଗନ୍ନାଥ କୁଅଁର ଯୋଗ ଦେଇଥିଲେ।  ଅନୁଷ୍ଠାନର ସଭାପତି ଗୌରହରି ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଧୀର ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର