ଭୁବନେଶ୍ବର: ବାତ୍ୟାକୁ ମାସେ ବିତିଗଲା। ହେଲେ ୮ ପ୍ରାଣୀଙ୍କ ଏକମାତ୍ର ସାହାରା ପାଲଟିଥିବା ବଖୁରିଆ ମାଟି ଘରଟା ଉପରେ ଏ ପର୍ଯ୍ୟନ୍ତ ପ୍ରଶାସନର ଆଖି ପଡ଼ିଲାନି। ସର୍ଭେ ତ ଦୂରର କଥା, ଯୋଉ ନେତାମାନେ ନିର୍ବାଚନ ବେଳେ ନିଇତି ଏଇଠିକି ଦୌଡ଼ୁଥିଲେ ସେମାନେ ଏ ଅସମୟଟାରେ ଛିଡ଼ା ହୋଇ ଆଃ ପଦେ କହିବାକୁ ବି ତାଙ୍କୁ ସମୟ ନାହିଁ। ସାଲିଆସାହି ଆଦିବାସୀ ଗାଁ’ର ଚନ୍ଦ୍ରମଣି ପୂର୍ତିଙ୍କର ଭୁଶୁଡ଼ି ପଡ଼ିଥିବା ମାଟି ଘର ହିଁ ବୟାନ କରି ପାରୁଥିଲା ଭୁବନେଶ୍ବରରେ ବାତ୍ୟାର କରାଳ ପ୍ରକୋପ ଲୋକଙ୍କୁ କେତେ କନ୍ଦାଇଛି। ଥିଲା ବାଲାଏ କେଉଁଠୁ କେମିତି କାହାକୁ ହାତେଇ ସହାୟତା ହାତେଇ ନେଉଥିବା ବେଳେ ଚନ୍ଦ୍ରମଣିଙ୍କର ରାତି ଚନ୍ଦ୍ରକୁ ଚାହିଁଚାହିଁ ବିତୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାତ୍ୟାର କିଛି ଦିନ ପରେ ଚନ୍ଦ୍ରମଣି ୨ ହଜାର ଟଙ୍କା ଆଉ ଚାଉଳ ପାଇଥିଲେ। ବାସ୍ ସେତିକି ହିଁ ଥିଲା ଭୁଶୁଡ଼ି ଯାଇଥିବା ତାଙ୍କ ଘରର କ୍ଷତିପୂରଣ। ସରକାର କହିଥିଲେ ସମ୍ପୂର୍ଣ୍ଣ ଘର ଭୁଶୁଡ଼ି ଯାଇଥିଲେ ୯୦ ହଜାର ଟଙ୍କା ମିଳିବ। ବୋଧେ ସାଲିଆ ସାହିରେ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ଏକମାତ୍ର ଘରଟି ହେଉଛି କେବଳ ଚନ୍ଦ୍ରମଣିଙ୍କର। ମାତ୍ର ବାବୁମାନଙ୍କୁ ଦିନରେ ଅପେକ୍ଷା କରିକରି କେହି ସର୍ଭେ କଲେନି କି ଘର ତୋଳିବାକୁ କୌଣସି ବ୍ୟବସ୍ଥା କରିଦେବାକୁ ଭରସା ଦେଲେ ନାହିଁ। ତେଣୁ ଆଜି ବାତ୍ୟାର ମାସକ ପରେ ଚନ୍ଦ୍ରମଣି ମଜୁରି ଖଟିବାକୁ ଯାଇଥିଲେ। ପିଲାମାନେ ଏବେ ଦିନରେ ଖୋଲା ଆକାଶ ତଳେ ଜୀବନ ବିତାଉଥିବା ବେଳେ କାହା ଘରେ ଯାଇ ରାତିରେ ମୁଣ୍ଡ ଗୁଞ୍ଜୁଛନ୍ତି। ବସ୍ତିରେ ରହୁଛନ୍ତି ବୋଲି ସେମାନେ ଯେ ମଣିଷ ଏ କଥାକୁ ବୋଧେ ଭୁଲି ଯାଇଛି ପ୍ରଶାସନ। ନିଜ ଭଙ୍ଗା ଘରକୁ ଏପର୍ଯ୍ୟନ୍ତ ସଜାଡ଼ି ପାରିନଥିବା ସେଇ ସାହିର ରୋହନ ମାର୍ଣ୍ଡି କୁହନ୍ତି, ଯଦି ନିର୍ବାଚନ ଏଇ ଜୁନ୍ରେ ଥାଆନ୍ତା, ତେବେ ଆଜି ପର୍ଯ୍ୟନ୍ତ ଏଇ ଭଙ୍ଗା ଘରେ ଜୀବନ କଟୁ ନଥାଆନ୍ତା। ଦୁର୍ଭାଗ୍ୟ ଯେ ନିର୍ବାଚନଟା ବାତ୍ୟା ପୂର୍ବରୁ ହେଇଗଲା। କେତେ ନେତା ଆସି କେତେ ସ୍ବପ୍ନ ଦେଖାଇଥିଲେ। ହେଲେ ଅସୁବିଧା ବେଳକୁ କେହି ଠିଆ ହେଲେନି। ନେତାମାନେ ଯେ ଦି ମୁଣ୍ଡିଆ ସାପଙ୍କଠୁ ବି ଭୟଙ୍କର ତାହା ଜଣାଇଦେଲେ। ରୋହନ କୁହନ୍ତି, ୨ ବଖରାରୁ କଷ୍ଟେମଷ୍ଟେ ଗୋଟିଏ ବଖରାରେ ଆଜବେଷ୍ଟସ୍ ପକାଇ ଦେଇଛି। ଗଲା ବର୍ଷାରେ ସ୍ଥିତି ଏମିତି ହେଲା ଯେ ଖଟ ଓ ଲୁଗାପଟା ସବୁ ଧୋଇଗଲା। ବର୍ଷାରେ ଗୋଟିଏ ଘରେ ଜାକିଜୁକି ହୋଇ ଶୋଇଗଲୁ ସିନା ନିଜ ଜିନିଷପତ୍ରକୁ ସୁରକ୍ଷିତ ସ୍ଥାନରେ ରଖିବାର କୌଣସି ଉପାୟ ନାହିଁ। ବର୍ଷା ଦେଖି ଛାନିଆ ହୋଇଗଲେଣି ବସ୍ତିବାସିନ୍ଦା। କିଛି ଲୋକ ବାଧ୍ୟ ହୋଇ ଆଜବେଷ୍ଟସ କିଣି ଘରେ ପକାଇଲେଣି। ଆଉ କିଛି ବ୍ୟକ୍ତି ଭଙ୍ଗା ଆଜବେଷ୍ଟସକୁ ଯୋଡ଼ିଯାଡ଼ି ସେଇଥିରେ ଚଳେଇ ନେଉଛନ୍ତି। ତେବେ ବାତ୍ୟା ଯନ୍ତ୍ରଣାଠୁ ନେତାମାନଙ୍କ ପ୍ରତାରଣା ବଳିଯାଇଛି ବୋଲି ବାତ୍ୟା ପୀଡ଼ିତ ବସ୍ତି ବାସିନ୍ଦା କହିଛନ୍ତି।