ବିଏମ୍‌ସି ରେକର୍ଡ: ୧୦ ଲକ୍ଷଙ୍କୁ ଉଭୟ ଡୋଜ୍‌ ଟିକା

ଭୁବନେଶ୍ୱର: ଭୁବନେଶ୍ବରର ଟିକାକରଣ‌ରେ ଆଗରେ ରହିଛି। ଧାର୍ଯ୍ୟ ଲକ୍ଷ୍ୟ ନିର୍ଦ୍ଧାରିତ ସମୟରୁ ପୂରଣ କରିବା ସହ ଦେଶର ଅନ୍ୟ ସହରକୁ ପଛରେ ପକାଇ ଭୁବନେଶ୍ବର ୧ ନମ୍ବରରେ ରହି ରେକର୍ଡ କରିଛି। ତେବେ ଆଜି ଆଉ ଏକ ରେକର୍ଡ ହୋଇଛି। ଉଭୟ ଡୋଜ୍‌ ନେଇଥିବା ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ଆଜି ସୁଦ୍ଧା ଭୁବନେଶ୍ବରରେ ୧୦ ଲକ୍ଷ ୩ ହଜାର ୬୬୧ ଜଣ ଉଭୟ ଡୋଜ୍‌ ନେଇ ସାରିଲେଣି ବୋଲି ବିଏମ୍‌ସି ସୂଚନା ଦେଇଛି। ଏଥିରେ ୩୨ ହଜାର ୭୧୬ ଜଣ ହେଲ୍ଥ ୱାର୍କର ଥିବା ବେଳେ ୪୯ ହଜାର ୬୫୯ ସମ୍ମୁଖ ଯୋଦ୍ଧା, ୧୮ରୁ ୪୪ ବୟସ ବର୍ଗରେ ୫ ଲକ୍ଷ ୫୬ ହଜାର ୫୭୦, ୪୫ରୁ ୫୯ ବୟସ ବର୍ଗରେ ୨ ଲକ୍ଷ ୪୧ ହଜାର ୬୮୫, ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗରେ ୧ ଲକ୍ଷ ୨୩ ହଜାର ୩୧ ଜଣ ରହିଛନ୍ତି।

ଭୁବନେଶ୍ବରରେ ଯେଭଳି ଜଣେ କେହି ଟିକାକରଣରୁ ବଞ୍ଚିତ ହୋଇ ନ ଯାଏ ସେଥିପାଇଁ ବିଏମ୍‌ସି ତତ୍ପର ରହିଛି। ପୂର୍ବରୁ ଅନ୍‌ଲାଇନ୍‌ରେ ସ୍ଲଟ୍‌ ବୁକିଂ କରିବାକୁ ପଡ଼ୁଥିବା ବେଳେ ଏବେ ସିଧାସଳଖ ଟିକାକରଣ କେନ୍ଦ୍ରକୁ ଆସି ଟିକା ଦେବା ସୁଯୋଗ ରହିଛି। ରବିବାର ଟିକାକରଣ ପାଇଁ ସ୍ବତନ୍ତ୍ର କେନ୍ଦ୍ର ଖୋଲା ଯାଇଛି। ପୂର୍ବରୁ ରବିବାର ଟିକାକରଣ ବ୍ୟବସ୍ଥା ନଥିଲା। କିନ୍ତୁ ଅନେକ କର୍ମଜୀବୀ ଟିକାନେବାରୁ ବଞ୍ଚିତ ହେଉଥିବା ଅନୁଭବ କରି ବିଏମ୍‌ସି ନିକଟ ଅତୀତରେ ଏଭଳି ବ୍ୟବସ୍ଥା କରିଛି। ଭୁବନେଶ୍ବର ବାହାରୁ ଅନେକ ଲୋକ ଆସି ଟିକା ନେଉଛନ୍ତି। ଏଣୁ ଟିକାଦାନ ବ୍ୟବସ୍ଥାକୁ ଆହୁରି ସରଳ କରାଯାଇଛି। ପର୍ଯ୍ୟାପ୍ତ ପରିମାଣର ଟିକାଦାନ କେନ୍ଦ୍ର ରହିଥିବାରୁ ଆଉ ଧାଡ଼ିବାନ୍ଧି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ହେଉ ନାହିଁ ବୋଲି ସୂଚନା ଦେଇଛି ବିଏମ୍‌ସି।

ସମ୍ବନ୍ଧିତ ଖବର