ବିଦ୍ୟୁତ ଆଘାତ‌ରେ ଟେକ୍ନିସିଆନ୍‌ ମୃତ

The technician dead

ଭୁବନେଶ୍ୱର: ମଞ୍ଚେଶ୍ବର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କୁଆଖାଇ ନଦୀରେ ଥିବା ୱାଟ୍‌କୋ ପମ୍ପ ହାଉସ୍‌ରେ କାମ କଲା ବେଳେ ଜଣେ ବିଦ୍ୟୁତ୍‌ ଟେକ୍ନିସିଆନ୍‌ଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଡୁମୁଡ଼ୁମା ହାଉସିଂ ବୋର୍ଡ କଲୋନିର ଏମ୍‌. ଶ୍ରୀନିବାସଙ୍କ ପୁଅ ଏମ୍‌.ରୁସିଲ ରାଓ। ମଞ୍ଚେଶ୍ବର ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ଅସୁରକ୍ଷିତ ଭାବରେ ସରକାରୀ ବ୍ୟବସ୍ଥାରେ ସେ କିଭଳି କାମ କରୁଥିଲେ? କର୍ମଚାରୀ କାମ କରୁଥିବା ବେଳେ କେଉଁ ପରିସ୍ଥିତିରେ କରେଣ୍ଟ ଚାର୍ଜ କରାଗଲା? ଏଥିପାଇଁ ସମ୍ପୃକ୍ତ ଠିକାଦାର କିମ୍ବା ସରକାରୀ ସଂସ୍ଥା ଦାୟୀ ରହିବେ କି? ଏଭଳି ଅନେକ ପ୍ରଶ୍ନ ଏବେ କର୍ତ୍ତୃପକ୍ଷଙ୍କୁ ବିବାଦକୁ ଟାଣିଛି।

ସୂଚନା ମୁତାବକ, କୃଷ୍ଣଚନ୍ଦ୍ର ତ୍ରିପାଠୀ ଏଜେନ୍ସି ଅଧୀନରେ ଦୀର୍ଘ ଦିନ ହେବ ରୁସିଲ୍‌ କାମ କରୁଥିଲେ। ସମ୍ପୃକ୍ତ ଏଜେନ୍‌ସି ୱାଟ୍‌କୋର ବିଭିନ୍ନ କାମ କରୁଥିଲା। ଆଜି ରୁସିଲ ପମ୍ପ ହାଉସ୍‌ରେ କାମ କରୁଥିଲେ। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେ କାମ କଲା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ସେ ଚିତ୍କାର କରି ତଳେ ପଡ଼ି ଯାଇଥିଲେ। ଶବ୍ଦ ଶୁଣି ଅନ୍ୟ କର୍ମଚାରୀମାନେ ଦଉଡ଼ି ଆସିଥିଲେ। ତଳେ ପଡ଼ି ଛଟପଟ ହେଉଥିବା ରୁସିଲଙ୍କୁ କ୍ୟାପିଟାଲ ହସ୍‌ପିଟାଲ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ବିବାହିତ ଓ ତାଙ୍କର ଛୋଟ ଛୋଟ ପୁତ୍ର ଓ କନ୍ୟା ସନ୍ତାନ ଅଛନ୍ତି। ତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସେ ପରିବାରର ବଡ଼ ପୁଅ ହୋଇଥିବାରୁ ତାଙ୍କ ରୋଜଗାର ଉପରେ ପରିବାର ନିର୍ଭର କରୁଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ଚଳିବା ନେଇ ଚିନ୍ତା ବଢ଼ିଛି।

ସମ୍ବନ୍ଧିତ ଖବର