ବିପର୍ପ୍ୟୟ ପ୍ରଶମନ ଦିବସରେ ଗଣଦୌଡ଼

ଭୁବନେଶ୍ୱର: ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଓସ୍‌ଡମା), କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌ ନଂ- ୩ରୁ ଆରମ୍ଭ ହୋଇଥିବା ‘ବିପର୍ଯ୍ୟୟ ପ୍ରତିରୋଧ ନିମନ୍ତେ ଗୋଷ୍ଠୀ ସଶକ୍ତୀକରଣ’ ଶୀର୍ଷକ ଏହି ଗଣଦୌଡ଼କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଲେ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସ‌ଚେତନତା ଲୋଡ଼ା। ଆଗୁଆ ସୂଚନା ସହ ସାମୂହିକ ଉଦ୍ୟମ ବଳରେ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ସମ୍ଭବପର। ଏହି ସଚେତନତା ଗଣଦୌଡ଼ ଭବିଷ୍ୟତରେ ବିପର୍ଯ୍ୟୟ ମୁକାବିଲା କରିବାରେ ସହାୟକ ହେବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା, ଯୁଗ୍ମ ରିଲିଫ୍‌ କମିସନର ପ୍ରଭାତ ରଞ୍ଜନ ମହାପାତ୍ର, ଓସ୍‌ଡମାର ଚିଫ୍‌ ଜେନେରାଲ ମ୍ୟାନେଜର ସତ୍ୟରଞ୍ଜନ ସାହୁ, କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ପାଢ଼ୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏ ପାଠକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଗଣଦୌଡ଼ କଳିଙ୍ଗ ଷ୍ଟାଡିୟମ୍‌ରୁ ବାହାରି ଦ ୱାର୍ଲଡ ଛକ, ୟୁନିଟ୍‌-୪ ହସ୍ପିଟାଲ ଛକ, ୧୨୦ ବାଟାଲିୟନ୍‌ ଛକ, ପାୱାର ହାଉସ୍‌ ଛକ, ଗଭର୍ଣ୍ଣର ହାଉସ୍‌ ଛକରେ ପହଞ୍ଚିବା ପରେ ସେଠାରୁ ସମାନ ରାସ୍ତାରେ ପ୍ରତ୍ୟାବର୍ତ୍ତନ କରି କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର