ବିବାହ ପ୍ର‌େଲାଭନ ଦେଖାଇ ଦୁଷ୍କର୍ମ ଘଟଣା, ଡିସିପିଙ୍କ କାର୍ଯ୍ୟାଳୟ‌‌‌ରେ ପକ୍ଷ ରଖିଲେ ଅଭିଯୁକ୍ତ

ଭୁବନେଶ୍ବର: ଜଣେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ଏହି ଘଟଣାର ଅଭିଯୁକ୍ତ ଦେବବ୍ରତ ମିଶ୍ର ଆଜି ଡିସିପିଙ୍କ କାର୍ଯ୍ୟାଳୟକୁ ଆସି ନିଜ ପକ୍ଷ ରଖିଛନ୍ତି। ସେ କହିଛନ୍ତି, ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ। ତାଙ୍କୁ ବ୍ଲାକମେଲ କରାଯାଇ ତାଙ୍କଠାରୁ ଟଙ୍କା ଆଦାୟ କରାଯିବାକୁ ଧମକ ଦିଆଯାଇଥିଲା। ଟଙ୍କା ନ ଦେବାରୁ ଯୁବତୀଜଣକ ଏଭଳି ଅଭିଯୋଗ କରିଛନ୍ତି। ଯେଉଁଦିନ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ, ସେଦିନ ସେ ଡେରାବିଶରେ ଥିଲେ। ତେଣୁ ଏ ନେଇ ସେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା‌ରେ ସଂପୃକ୍ତ ଯୁବତୀଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି। ପୁଲିସ ସେହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଆଜି ଡିସିପିଙ୍କ କାର୍ଯ୍ୟାଳୟରେ ନିଜ ପକ୍ଷ ରଖିବାବେଳେ ଦେବବ୍ରତ କହିଛନ୍ତି, ସଂପୃକ୍ତ ଯୁବତୀ ପୂର୍ବରୁ ଏଭଳି ଅଭିଯୋଗ ଲକ୍ଷ୍ମୀସାଗର ଓ ମହିଳା ଥାନାରେ ମଧ୍ୟ କରିଥିଲେ। ଯାହା ଫଳରେ ଦୁଇ ଜଣ ନିର୍ଦୋଷ ବ୍ୟକ୍ତି ଗିରଫ ହୋଇ ଜେଲ ଯାଇଥିଲେ। ଏହା ତାଙ୍କର ତୃତୀୟ ଅଭିଯୋଗ। ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଯୁବତୀଙ୍କ ଅଭିଯୋଗକୁ ଆଧାର କରି ମହିଳା ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗର କେତେ ସତ୍ୟତା ଅଛି ତାର ଅନୁସନ୍ଧାନ ମଧ୍ୟ କରାଯାଉଛି। ଲକ୍ଷ୍ମୀସାଗର ଓ ମହିଳା ଥାନାରେ ଯୁବତୀ ଜଣକ ପୂର୍ବରୁ କରିଥିବା ଅଭିଯୋଗ ସମ୍ପର୍କରେ ଖୋଳତାଡ଼ ଚାଲିଛି ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର