ବିଭ୍ରାନ୍ତ କରୁଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ

ଭୁବନେଶ୍ୱର(କ୍ଷିତୀଶ ରାୟ): ସୂଚନାକାରୀଙ୍କୁ ବିଭ୍ରାନ୍ତ କରୁଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ବା ଏସ୍‌ଏସଇପିଡି। ମନଇଚ୍ଛା ତଥ୍ୟ ଦେବା ସହିତ ସୂଚନାକରୀ ଯେଉଁ ତଥ୍ୟ ମାଗୁଛନ୍ତି ତାହାକୁ ଯଥାସମ୍ଭବ ଏଡ଼ାକୁବାକୁ ଚେଷ୍ଟା କରୁଛି ବିଭାଗ। ବାରଙ୍ଗସ୍ଥିତ ଭିଟିସି ଦୀର୍ଘ ବର୍ଷ ହେବ ଅଚଳ ହୋଇପଡ଼ିଥିଲେ ହେଁ, ବିଭାଗ ଏହାକୁ ମାନିବାକୁ ନାରାଜ। ଏହାସହ ବିଭାଗ ପକ୍ଷରୁ ଅନ୍ୟ କେଉଁ କେଉଁ ସ୍ଥାନରେ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ କରାଯାଇଛି ତାହାର ତଥ୍ୟ ବିଭାଗ ଦେଉନାହିଁ।

ଭିଟିସି ଅଚଳ: ସିଧାସଳଖ ନୁହେଁ, ପରୋକ୍ଷରେ ମାନୁଛି ବିଭାଗ
କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ୧୯୮୨ ମସିହାରେ ରାଜ୍ୟ ସରକାର ବାରଙ୍ଗଠାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଏକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଏଥିରେ ସମସ୍ତ ପ୍ରକାରର ଭିନ୍ନକ୍ଷମ ବ୍ୟକ୍ତିଙ୍କ ତାଲିମ ପାଇଁ ସୁବିଧା ରହିଥିଲା। ଯାହାକି ରାଜ୍ୟ ସରକାରଙ୍କ ପ୍ରଥମ ଭିନ୍ନକ୍ଷମ ତାଲିକ କେନ୍ଦ୍ର। ତେବେ ସମୟ ଗଡ଼ିବା ସହିତ ଭିଟିସି ପାଇଁ ବଜେଟ୍‌ ଧୀରେ ଧୀରେ କମିବାକୁ ଆରମ୍ଭ କରିଥିଲା। ୨୦୧୧/୧୨ ମସିହାରୁ ସେଠାରେ ସମସ୍ତ ପ୍ରକାର ତାଲିମ ବନ୍ଦ ହୋଇଯାଇଥିଲା। ତେବେ ହଠାତ୍‌ ସେଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରେ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ଆରମ୍ଭରୁ ସେଠାରେ ୧୦ଜଣ କର୍ମଚାରୀ ଥିବା ବେଳେ ଏବେ ୭ଜଣ ରହିଛନ୍ତି। ତେବେ ଏହି ସମସ୍ତ କର୍ମଚାରୀଙ୍କ ମଧ୍ୟରୁ ଅନେକ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ, ଓଏସ୍‌ଏସ୍‌ଇପିଡି ଓ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ଫଳରେ ବାରଙ୍ଗସ୍ଥିତ ଭିଟିସି ସଂପୂର୍ଣ୍ଣଭାବେ ଅଚଳ ହୋଇପଡ଼ିଛି। ସୂଚନା ଆଇନ ବଳରେ ବାରଙ୍ଗସ୍ଥିତ ଭିଟିସି କେବେଠାରୁ ଅଚଳ ହୋଇଛି ତାହାର ତଥ୍ୟ ଓଏସ୍‌ଏସ୍‌ଇପିଡିକୁ ମଗାଯାଇଥିଲା। ବିଭାଗ ଏହା ଅଚଳ ହୋଇଥିବା ସ୍ୱୀକାର କରିଥିଲେ ହେଁ, କେବେଠାରୁ ଅଚଳ ତାହାର ତଥ୍ୟ ଦେବାକୁ ନାରାଜ। ମାତ୍ର ୨୦୧୨ ମସିହାରୁ ୨୦୧୮ ମସିହା ମଧ୍ୟରେ ସେଠାରେ ଥିବା କର୍ମଚାରୀଙ୍କୁ ୩୧ଲକ୍ଷ ୪୪ହଜାର ୮୦୬ଟଙ୍କା ଦରମା ପ୍ରଦାନ କରାଯାଇଥିବା ବିଭାଗ କହିଛି। ଭିଟିସି ୨୦୧୨ ମସିହାରୁ ସିଧାସଳଖ ଅଚଳ ହୋଇଥିବା କଥା ବିଭାଗ ଉଲ୍ଲେଖ କରି ନ ଥିଲେ ହେଁ, ସେହିବର୍ଷଠାରୁ କର୍ମଚାରୀଙ୍କୁ ଦିଆଯାଇଥିବା ଦରମା ସଂପର୍କରେ ତଥ୍ୟ ଦେଇ ପରୋକ୍ଷରେ ଏହା ଅଚଳ ହୋଇଥିବା ମାନି ନେଇଛି।

ଏନ୍‌ସିଏସ୍‌ସିଡିଏ ବ୍ୟତିତ ଅନ୍ୟ କେଉଁଠାରେ କାର୍ଯ୍ୟକ୍ରମ ହୋଇଛି ତଥ୍ୟ ନାହିଁ
ନ୍ୟାସନାଲ କ୍ୟାରିୟର ସର୍ଭିସ୍‌ ସେଣ୍ଟ୍‌ର ଫର ଡିଫରେଣ୍ଟଲି ଏବଲ୍‌ଡ ବା ଏନ୍‌ସିଏସ୍‌ସିଡିଏ ବ୍ୟତିତ ଅନ୍ୟ କେଉଁ ସ୍ଥାନରେ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ହୋଇଛି ଓ କେତେ ଅର୍ଥ ବ୍ୟୟ ହୋଇଛି ତାହାର ତଥ୍ୟ ଦେଇନି ବିଭାଗ। ବିଭାଗ ପକ୍ଷରୁ ଅଧିକାଂଶ ସମୟରେ ବିଭିନ୍ନ ଅନୁଷ୍ଠାନ ଓ ହୋଟେଲରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲେ ହେଁ ବିଭାଗ ଏହାକୁ ଯଥାସମ୍ଭବ ଏଡ଼ାଇବାକୁ ଚେଷ୍ଟା କରିଛି। ମାତ୍ର ଭିଟିସି ବାରଙ୍ଗ ଅଚଳ ହୋଇଥିବା ଯୋଗୁଁ କେତେକ କାର୍ଯ୍ୟକ୍ରମ ଏନ୍‌ସିଏସ୍‌ସିଡିଏରେ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏସବୁ କାର୍ଯ୍ୟକ୍ରମ ପାଇଁ କୌଣସି ଅର୍ଥ ଖର୍ଚ ହୋଇ ନ ଥିବା ତଥ୍ୟରେ ରହିଛି।

ଏନ୍‌ସିଏସ୍‌ସିଡିଏ ହଷ୍ଟେଲ୍‌ ନିର୍ମାଣ ପାଇଁ ୨କୋଟିରୁ ଅଧିକ ଅନୁଦାନ
ଏନ୍‌ସିଏସ୍‌ସିଡିଏର ହଷ୍ଟେଲ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ୨କୋଟିରୁ ୭୩ଲକ୍ଷ ଟଙ୍କା ଦିଆଯାଇଥିବା ସୂଚନା ଆଇନରେ ବିଭାଗ ଦର୍ଶାଇଛି। ଏନ୍‌ସିଏସ୍‌ସିଡିଏ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ବେଳେ ବିଭାଗ ପକ୍ଷରୁ ଏହାକୁ କୋଟି କୋଟି ଟଙ୍କା ଦିଆଯାଇଛି। ଏଥିପାଇଁ କେଉଁ ବୁଝାମଣାପତ୍ର କିମ୍ବା ଚୁକ୍ତି କିମ୍ବା ନିର୍ଦେଶନାମା ଦିଆଯାଇଥିବା ତାହା ବିଭାଗକୁ ମଗାଯାଇଥିଲେ ହେଁ, ତାହାକୁ ଦିଆଯାଇନାହିଁ। ମାତ୍ର ଦୀର୍ଘ ୬ବର୍ଷରୁ ଅଧିକ ସମୟ ହେବ ଅଚଳ ହୋଇ ପଡ଼ିଥିବା ଭିଟିସି ବାରଙ୍ଗ ପାଇଁ ବିଭାଗ ସେତିକି ଆନ୍ତରିକତା ଦେଖାଇ ନାହିଁ। ରାଜ୍ୟ ନିଯୁକ୍ତି ମିସନ ପକ୍ଷରୁ ୨୦୧୬/୧୭ବର୍ଷରେ ଦିଆଯାଇଥିବା ୭୩ଲକ୍ଷ ୭୮ହଜାର ୫ଶହ ଟଙ୍କା ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଖର୍ଚ ହୋଇଥିବା ବେଳେ ଓଏସ୍‌ଡିଏ ପକ୍ଷରୁ ୨୦୧୮/୧୯ବର୍ଷରେ ୨କୋଟି ୪୯ଲକ୍ଷ ୬୫ହଜାର ୨୬୦ଟଙ୍କା ଦିଆଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି।

ଭିନ୍ନକ୍ଷମଙ୍କ ତାଲିମ୍‌ କାର୍ଯ୍ୟକ୍ରମ ହୋଇଛି କି ନାହିଁ ତାହା ରହସ୍ୟରେ
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ତାଲିମ, ଦକ୍ଷତା ବିକାଶ ଭଳି କ୍ଷେତ୍ରରେ କେତେ ଟଙ୍କା ଖର୍ଚ ହୋଇଛି ତାହାର ତଥ୍ୟ ମଗାଯାଇଥିଲା। ମାତ୍ର ବିଭାଗ ଏସବୁ କାର୍ଯ୍ୟକ୍ରମ ପାଇଁ କେତେ ଟଙ୍କାର ବ୍ୟୟ ଅଟକଳ ହୋଇଥିଲା ତାହାର ତଥ୍ୟ ଦେଇ ଖସିବାକୁ ଚେଷ୍ଟା କରିଛି। ୨୦୧୪/୧୫ବର୍ଷ ପାଇଁ ଟେଲରିଂ, କମ୍ପ୍ୟୁଟର ଟାଲି, ଗୃହୋପକରଣ ଓ ଦକ୍ଷତା ବିକାଶ ପାଇଁ ୨ମାସରୁ ଆରମ୍ଭ କରି ୬ମାସ ପର୍ଯ୍ୟନ୍ତ ତାଲିମ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏଥିରେ ୨୮୦ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତାଲିମ ପାଇଁ ୬୪ଲକ୍ଷ ଟଙ୍କା ୨୦ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିପାଇଁ ହୋଇଥିବା ବୈଠକର ଏକ ପ୍ରୋସିଡିଂ ବିଭାଗ ପକ୍ଷରୁ ଦିଆଯାଇଛି। ଗତ ୩ବର୍ଷର ତଥ୍ୟ ମଗାଯାଇଥିଲେ ହେଁ, ବିଭାଗ କେବଳ ୨୦୧୪/୧୫ବର୍ଷର ନିଷ୍ପତ୍ତି ସଂପର୍କରେ ତଥ୍ୟ ଦେଇଛି। ତେବେ ଏହି ନିଷ୍ପତ୍ତି ପରବର୍ତୀ ସମୟରେ କାର୍ଯ୍ୟକାରୀ ହୋଇଛି କି ନାହିଁ ବିଭାଗ ସ୍ପଷ୍ଟ କରିନାହିଁ।

ଭିଟିସି ଅଚଳ ହୋଇନାହିଁ, ବିଲ୍ଡିଂ ଭାଙ୍ଗି ଯାଇଛି-ବିଭାଗୀୟ ଅଧିକାରୀ
ବାରଙ୍ଗସ୍ଥିତ ଭିଟିସି ଅଚଳ ହୋଇନାହିଁ। ଏହାର ବିଲ୍ଡିଂ ଭାଙ୍ଗି ଯାଇଛି ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ କୈଳାସ ଚନ୍ଦ୍ର ସାହୁ। ସେ କହିଛନ୍ତି, କାର୍ଯ୍ୟାଳୟ ବନ୍ଦ ହୋଇନାହିଁ। ବିଲ୍ଡିଂର ନବୀକରଣ ପାଇଁ ଟଙ୍କା ଦିଆଯାଇଛି। ଆସନ୍ତା ୬ମାସ ଭିତରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର