ବିସିଡିଡି-୨ରେ ବିଦ୍ୟୁତ୍‌ ଶ୍ରମିକଙ୍କ ଅସନ୍ତୋଷ, କଳାବ୍ୟାଜ୍‌ ପିନ୍ଧିଲେ

Dissatisfaction of power workers in BCDD-2

ଚନ୍ଦ୍ରଶେଖରପୁର: ବିଦ୍ୟୁତ୍‌ ଶ୍ରମିକଙ୍କୁ ଅବହେଳା ପ୍ରତିବାଦରେ ଚରମ ନିଷ୍ପତ୍ତି ନେଇଛି ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘର ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ୍‌-୨(ବିସିଡିଡି-୨) ଶାଖା। ବିସିଡିଡି-୨ରେ ନୂତନ ପଦବି ସୃଷ୍ଟି ଓ ଲାଇନମ୍ୟାନ ସଂଖ୍ୟା ବୃଦ୍ଧି ଦାବିରେ ଡିଭିଜନର ଶ୍ରମିକମାନେ ଗତ ୮ ତାରିଖଠାରୁ କଳାବ୍ୟାଜ୍‌ ପିନ୍ଧି ଆନ୍ଦୋଳନ କରୁଛନ୍ତି। କୌଣସି କର୍ମଚାରୀ ବିଭାଗର କାର୍ଯ୍ୟ ପାଇଁ ନିଜର ମୋବାଇଲ କିମ୍ବା ଗାଡ଼ି ବ୍ୟବହାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ କର୍ମଚାରୀଙ୍କୁ ଦିଆଯାଇଥିବା ଲାଇସେନ୍ସ ଅନୁଯାୟୀ ସେମାନେ କାର୍ଯ୍ୟ ସମ୍ପାଦନ କରିବେ। ଯଦି ଉଚ୍ଚପଦସ୍ଥ ଅଧିକାରୀ କୌଣସି କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରନ୍ତି ତେବେ ସଂଘ ମା‌ନବାଧିକର କମିସନଙ୍କ ଦ୍ବାରସ୍ଥ ହେବ ବୋଲି ଚେତାବନୀ ଦେଇଛି। କର୍ମଚାରୀଙ୍କ ସମସ୍ୟା ନେଇ ସଂଘ ପୂର୍ବରୁ ବାରମ୍ବାର ଦାବି କରି ଆସିଛି।

ତଥାପି କୌଣସି ପଦକ୍ଷେପ ନିଆ ନ ଯିବାରୁ ଗତ ୮ ତାରିଖଠାରୁ କର୍ମଚାରୀ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ ଜାରି ରଖିଛନ୍ତି। ଏଥିସହ କରୋନା ଯୋଗୁଁ ପ୍ରସ୍ତାବିତ ଧାରଣାକୁ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ସମୟ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘର ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ କହିଛନ୍ତି। ବିସିଡିଡି-୨ ଡିଭିଜନ୍‌ରେ ୩ଟି ସବ୍‌ଡିଭିଜନ, ୧୨ଟି ସେକ୍ସନ, ୩ଟି ଫ୍ୟୁଜ୍‌କଲ ସେଣ୍ଟର ଓ ୨୦ଟି ୩୩/୧୧ କେଭି କଣ୍ଟ୍ରୋଲ ରୁମ ରହିଛି। ଏହି ଡିଭିଜନରେ ଗତ ମାର୍ଚ୍ଚ ସୁଧା ୧ ଲକ୍ଷ ୬୮ ହଜାର ୭୦ଜଣ ଗ୍ରାହକ ରହିଛନ୍ତି। ଯାହାକି ସେସୁର ଅନ୍ୟ ୧୯ଟି ଡିଷ୍ଟ୍ରିବ୍ୟୁସନ ଡିଭିଜନଠାରୁ ସର୍ବାଧିକ। ଏହି ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ୭ଜଣ ଗ୍ରେଡ ‘ଏ’ ଲାଇନ୍ ମ୍ୟାନ, ୨୮ ଜଣ ଗ୍ରେଡ ‘ବି’ ଲାଇନ୍ ମ୍ୟାନ ଓ ୫୦ ଜଣ ଗ୍ରେଡ ‘ସି’ ଲାଇନ ମ୍ୟାନ ରହିଛନ୍ତି। ଯାହାକି ସେସୁର ଅନ୍ୟ ଡିଷ୍ଟ୍ରିବ୍ୟୁସନ ଠାରୁ ବହୁ କମ୍। ଏନେଇ ସଂଘ ପକ୍ଷରୁ ସେସୁର ବିସିଡିଡି-୨ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏସ୍‌ସି, ବରିଷ୍ଠ ମାନବ ସମ୍ବଳ ଅଧିକାରୀ, ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟିଗୋଚର କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର