ବିସ୍ଥା‌ପିତଙ୍କୁ ଥଇଥାନ ବେଳେ ଉତ୍ତେଜନା, ପୁଲିସ ଫୋର୍ସ ମୁତୟନ

ବାଲିଅନ୍ତା: ହଂସପାଳ ଓଭରବ୍ରିଜ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ୧୯ଟି ପରିବାରଙ୍କୁ ଥଇଥାନ ବେଳେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଡିହ ବାଲିଅନ୍ତା ଅଞ୍ଚଳରେ ସଂପୃକ୍ତ ପରିବାରଙ୍କୁ ୪ ଡେସିମିଲ ଲେଖାଏଁ ଜମି ଯୋଗାଇ ଦିଆଯାଇ ବାଲିଅନ୍ତା ତହସିଲ ପକ୍ଷରୁ ନିକଟରେ ଘରଡିହ ପଟା ପ୍ରଦାନ କରାଯାଇଛି। ଆଜି ବିସ୍ଥାପିତ ପରିବାର ସେଠାକୁ ରହିବା ପାଇଁ ଯାଇଥିଲେ। ହେଲେ ପୂର୍ବରୁ ଉକ୍ତ ଜମିକୁ ଦଖଲରେ ରଖିଥିବା କିଛି ଲୋକ ଜମି ଛାଡ଼ିବେ ନାହିଁ କହି ସେମାନଙ୍କ ସହ ପାଟିତୁଣ୍ଡ କରିଥିଲେ। ଖବର ପାଇ ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ଓ ଏସିପି ରଜତ କୁମାର ରାୟ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ନେଇ ପହଞ୍ଚିଥିଲେ। ପରେ ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଓ ଭୁବନେଶ୍ବର ତହସିଲଦାର ପ୍ରଦୀପ କୁମାର ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତପଡ଼ିଥିଲା। ଉଲ୍ଲେଖଯୋଗ୍ୟ ଦୀର୍ଘ ଅଢ଼େଇ ବର୍ଷ ପୂର୍ବେ ହଂସପାଳ ଓଭରବ୍ରିଜ ସଂପ୍ରସାରଣ ବେଳେ ସେଠାରେ ବସବାସ କରୁଥିବା ଉପରୋକ୍ତ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ବିସ୍ଥାପିତ କରାଯାଇ ଜମି ଅଧିଗୃହୀତ ହୋଇଥିଲା।

ସମ୍ବନ୍ଧିତ ଖବର