ବେଆଇନ ସରକାରୀ ଆନାଲିଷ୍ଟ ନିଯୁକ୍ତି ଚକ୍ରାନ୍ତ

ରାଜ୍ୟ ଔଷଧ ପରୀକ୍ଷା ଓ ଗବେଷଣାଗାରରେ ଅଜବ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ଏକମାତ୍ର ଆୟୁର୍ବେଦିକ ଔଷଧ ପରୀକ୍ଷା ଓ ଗବେଷଣାଗାରରେ ସରକାରୀ ଆନାଲିଷ୍ଟ ନିଯୁକ୍ତି ନେଇ ଏକ ବଡ଼ଧରଣର ଚକ୍ରାନ୍ତ ହୋଇଛି। ଆୟୁର୍ବେଦିକ ସାଇଣ୍ଟିଫିକ୍‌ ଅଫିସର୍‌ ବଦଳରେ ଅନ୍ୟ ବିଭାଗର ଜଣେ ସାଇଣ୍ଟିଫିକ୍‌ ଅଫିସର୍‌ଙ୍କୁ ସରକାରୀ ଆନାଲିଷ୍ଟ ନିଯୁକ୍ତି କରିବା ପାଇଁ ଯୋଜନା ହୋଇଛି। ଏଭଳି ଏକ ବେଆଇନ ନିଯୁକ୍ତିକୁ ରାଜ୍ୟ ଆୟୁଷ ନିର୍ଦେଶାଳୟ ଖୋଲାଖୋଲି ସମର୍ଥନ କରୁଥିବା ଅଭିଯୋଗ ହେଉଛି। ଏପରିକି ନିକଟରେ ହୋଇଥିବା ବୈଠକରେ ତାଙ୍କ ନାଁକୁ ସୁପାରିସ କରାଯାଇଥିବା ସୂଚନା ମିଳିଛି। ଯଦି ଏଭଳି ଅଣ-ଆୟୁର୍ବେଦିକ ସାଇଣ୍ଟିଫିକ୍‌ ଅଫସର୍‌ଙ୍କୁ ସରକାରୀ ଆନାଲିଷ୍ଟରେ ନିଯୁକ୍ତି ଦିଆଯାଏ, ତେବେ ରାଜ୍ୟର ଆୟୁର୍ବେଦିକ ଔଷଧ ପରୀକ୍ଷା ବିଶେଷଭାବେ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୧ ମସିହାରେ କେନ୍ଦ୍ରୀୟ ଅନୁଦାନରେ ରାଜ୍ୟରେ ଏକମାତ୍ର ସରକାରୀ ଆୟୁର୍ବେଦିକ ଔଷଧ ପରୀକ୍ଷା ଓ ଗବେଷଣାଗାର ପ୍ରତିଷ୍ଠା ହୋଇଥିଲା। ଏଥିରେ ୪ଟି ବିଭାଗ ରହିଛି। କେମିଷ୍ଟ୍ରି, ବଟାନି, ମାଇକ୍ରୋବାୟୋଲୋଜି ଓ ଆୟୁର୍ବେଦିକ ବିଭାଗରେ ଜଣେ ଲେଖାଏଁ ସାଇଣ୍ଟିଫିକ୍‌ ଅଫିସର୍‌ ରହିଛନ୍ତି। ପୂର୍ବରୁ ଏହି ସାଇଣ୍ଟିଫିକ୍‌ ଅଫିସର୍‌ଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଥିଲା। ତେବେ ୨୦୧୩ରେ କେମିଷ୍ଟ୍ରି, ବଟାନି, ମାଇକ୍ରୋବାୟୋଲୋଜିର ସାଇଣ୍ଟିଫିକ୍‌ ଅଫିସର୍‌ଙ୍କୁ ୩ଟି ଆୟୁର୍ବେଦିକ ମେଡିକାଲ ଅଫିସର ଉଚ୍ଛେଦ ପ୍ରତି ବଦଳରେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ତେବେ ଏହି ସ୍ଥାୟୀ ନିଯୁକ୍ତିକୁ ନେଇ ମଧ୍ୟ ଅନେକେ ପ୍ରଶ୍ନ ଉଠାଇଛନ୍ତି। ମାତ୍ର ପରୀକ୍ଷାଗାରରେ ଥିବା ଆୟୁର୍ବେଦିକ ସାଇଣ୍ଟିଫିକ୍‌ ଅଫିସର ଏ ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ପାଇ ନାହାନ୍ତି। ସବୁବେଳେ ଜଣେ ଆୟୁର୍ବେଦିକ ସାଇଣ୍ଟିଫିକ୍‌ ଅଫିସରଙ୍କୁ ସରକାରୀ ଆନାଲିଷ୍ଟ ଦାୟିତ୍ୱ ଦିଆଯାଉଛି। ତେବେ ପରୀକ୍ଷାଗାରରେ ସରକାରୀ ଆନାଲିଷ୍ଟ ଦାୟିତ୍ୱରେ ଥିବା ଡା. ଶୁଭେନ୍ଦୁ ପଣ୍ଡା ଅବସର ଗ୍ରହଣ କରିବା ପରେ ତାଙ୍କ ପଦବି ଖାଲି ପଡ଼ିଛି। ତାଙ୍କ ବଦଳରେ ଜଣେ ଅଣ ଆୟୁର୍ବେଦିକ ସାଇଣ୍ଟିଫିକ୍‌ ଅଫିସରଙ୍କୁ ନିଯୁକ୍ତି ଦେବା ପାଇଁ ଚକ୍ରାନ୍ତ ଆରମ୍ଭ ହୋଇଯାଇଛି। ଅପରପକ୍ଷରେ ସରକାରୀ ଆନାଲିଷ୍ଟ ପଦବି ଖାଲି ପଡ଼ିଥିବାରୁ ପରୀକ୍ଷାଗାରରେ ପରୀକ୍ଷା ପାଇଁ ଆସିଥିବା ଔଷଧ ନମୁନାଗୁଡ଼ିକର ପରୀକ୍ଷା ରିପୋର୍ଟ ବନ୍ଦ ହୋଇଯାଇଛି। ସରକାରୀ ଆନାଲିଷ୍ଟ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ କୌଣସି ଔଷଧର ରିପୋର୍ଟ ଗ୍ରହଣ କରାଯାଇ ପାରିବ ନାହିଁ।

ସରକାରୀ ଆନାଲିଷ୍ଟ ଡା. ପଣ୍ଡା ଅବସର ଗ୍ରହଣ କରିବା ପୂର୍ବରୁ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ଗତ ଏପ୍ରିଲ ୨୬ ତାରିଖରେ ଏକ ଚିଠି ପରୀକ୍ଷାଗାର କର୍ତୃପକ୍ଷଙ୍କୁ ଦିଆଯାଇଥିଲା। ଏଥିରେ ଆୟୁର୍ବେଦିକ ସାଇଣ୍ଟିଫିକ୍‌ ଅଫିସର୍‌ ଭାବେ କାର୍ଯ୍ୟ କରୁଥିବା ଡା. ଆଭାଞ୍ଜଲିନ୍‌ ମିଶ୍ରଙ୍କୁ ଏହି ଦାୟିତ୍ୱ ଦେବା ପାଇଁ ଏହି ଚିଠିରେ ପ୍ରସ୍ତାବ ରହିଥିଲା। ତେବେ ଶେଷ ମୁହୂର୍ତରେ ତାଙ୍କ ନାଁକୁ ବାଦ୍‌ ଦିଆଯାଇଥିବା ଜଣାପଡ଼ିଛି। ଯଦି ସରକାରୀ ଆନାଲିଷ୍ଟ ଭାବେ ଜଣେ ଅଣ ଆୟୁର୍ବେଦିକ ସାଇଣ୍ଟିଫିକ୍‌ ଅଫିସରଙ୍କୁ ନିଯୁକ୍ତି ଦିଆଯାଏ, ତେବେ ଔଷଧ ପରୀକ୍ଷା ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି।

କାହିଁକି ଏତେ ଇନକ୍ୱାରି କରୁଛନ୍ତି: ଆୟୁଷ ନିର୍ଦେଶକ
ରାଜ୍ୟ ଆୟୁର୍ବେଦିକ ଔଷଧ ପରୀକ୍ଷାଗାରରେ ଜଣେ ଅଣ ଆୟୁର୍ବେଦିକ ସାଇଣ୍ଟିଫିକ ଅଫିସରଙ୍କୁ ସରକାରୀ ଆନାଲିଷ୍ଟ ନିଯୁକ୍ତି ନେଇ ରାଜ୍ୟ ଆୟୁଷ ନିର୍ଦେଶକ ଗୋପବନ୍ଧୁ ଶତପଥୀଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ଏଥିରେ ବିରକ୍ତି ପ୍ରକାଶ କରିବା ସହିତ କାହିଁକି ଏତେ ଇନକ୍ୱାରି କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସରକାରୀ ଆନାଲିଷ୍ଟ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ତାହା ସରକାରଙ୍କ ବିଚାରାଧୀନ ରହିଛି। ରାଜ୍ୟ ସରକାରଙ୍କୁ ଏ ବିଷୟରେ ପଚାରି ପାରନ୍ତି ବୋଲି ଶ୍ରୀ ଶତପଥୀ କହିଥିଲେ।

ଡିଏସିଏ ଧାରା ୪୪କୁ ହଟାଇଦେବେ !
ଡ୍ରଗ୍‌ସ ଏଣ୍ଡ କସମେଟିକ୍ସ ଆଇନରେ ଥିବା ଧାରା ୪୪କୁ ଆୟୁର୍ବେଦିକ ପରୀକ୍ଷାଗାରରେ ସରକାରୀ ଆନାଲିଷ୍ଟ ନିଯୁକ୍ତି କ୍ଷେତ୍ରରେ ହଟାଇ ଦେବାକୁ ଯୋଜନା ହୋଇଛି। ଖୁବଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏହା କାର୍ଯ୍ୟକାରୀ ହେଲେ ଆୟୁର୍ବେଦିକ ପରୀକ୍ଷାଗାରରେ ସରକାରୀ ଆନାଲିଷ୍ଟ ନିଯୁକ୍ତି କ୍ଷେତ୍ରରେ ଆଉ ଧାରା ୪୪ କାର୍ଯ୍ୟକାରୀ ହେବ ନାହିଁ।

ସମ୍ବନ୍ଧିତ ଖବର