ବୌଦ୍ଧ ଧର୍ମର ପ୍ରଚାରପ୍ରସାରରେ ଅନାଗରିକ ଧର୍ମପାଳଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ବର: ସର୍ବଭାରତୀୟ ମହାବୋଧି ସମିତିର ପ୍ରତିଷ୍ଠାତା ଅନାଗରିକ ଧର୍ମପାଳଙ୍କ ୧୫୫ତମ ଜୟନ୍ତୀ ଅନୁଷ୍ଠାନର ଓଡ଼ିଶା ଶାଖା ପକ୍ଷରୁ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଶାଖାର ସଭାପତି ତଥା ଉତ୍କଳ ସ˚ସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଲେ, ୧୫୫ବର୍ଷ ତଳେ ଜନ୍ମ ହୋଇଥିବା ଜଣେ ମଣିଷ ସାରା ପୃଥିବୀରେ ବୌଦ୍ଧ ଧର୍ମର ପ୍ରଚାରପ୍ରସାର ପାଇଁ ଯେଉଁ ନିଷ୍ଠା ପ୍ରଦର୍ଶନ କରିଥିଲେ, ତାହା ଆଜି ଆମ ସମସ୍ତଙ୍କୁ ବିସ୍ମିତ କରୁଛି। ଚିକାଗୋ ଧର୍ମ ସ˚ସଦରେ ଅନାଗରିକ ଧର୍ମପାଳଙ୍କ ବକ୍ତବ୍ୟ ସମଗ୍ର ବିଶ୍ବବାସୀଙ୍କୁ ଚମକାଇ ଦେଇଥିଲା। ସଭା ମଞ୍ଚରୁ ଆସିବା ପରେ ହଜାର ହଜାର ଶ୍ରୋତା କେବଳ ତାଙ୍କୁ ବଧାଇ ଜଣାଇନଥିଲେ, ବୌଦ୍ଧଧର୍ମକୁ ଆଦରି ନେଇଥିଲେ। ସେଠାରେ ତାଙ୍କର ସ୍ବାମୀ ବିବେକାନନ୍ଦଙ୍କ ସହ ଯେଉଁ ବନ୍ଧୁତା ସୃଷ୍ଟି ହୋଇଥିଲା, ତାର ନିଦର୍ଶନ ହେଉଛି ମହାବୋଧି ସମିତିର ଅନ୍ତରାଷ୍ଟ୍ରୀୟ ମୁଖ୍ୟାଳୟ କୋଲକାତାଠାରେ ପ୍ରତିଷ୍ଠା। ଆଜକୁ ୧୨୭ ବର୍ଷ ତଳେ ଏହି ଅନୁଷ୍ଠାନ ସେ ପ୍ରତିଷ୍ଠା କରି ବୌଦ୍ଧଧର୍ମର ଐତିହ୍ୟ କୀର୍ତ୍ତିରାଜିକୁ ସୁରକ୍ଷିତ କରିଛନ୍ତି। ଖାଲି ସେତିକି ନୁହେଁ, ବୌଦ୍ଧଧର୍ମକୁ ସାରା ପୃଥିବୀରେ ପ୍ରଚାରପ୍ରସାର କରାଇବାରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।

ବିଶିଷ୍ଟ ଭାଷାତତ୍ତ୍ବବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ କେନ୍ଦ୍ରୀୟ ବିଦ୍ୟାଳୟ ନ˚-୧ର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ମିଶ୍ର ଭଗବାନ ବୁଦ୍ଧଙ୍କ ମାନବ ସମାଜ ପ୍ରତି ମହତ୍‌ବାଣୀର ଅବତାରଣା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବୋଧି ସୋସାଇଟିର ନବନିର୍ବାଚିତ ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ଟ୍ରଷ୍ଟି ତଥା ଓଡ଼ିଶା ଶାଖାର ସମ୍ପାଦକ ସୌରେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଆଜୀବନ ସଦସ୍ୟ ବିମଳ ଦାସ, ନବୀନ ସାହୁ, କରୁଣାକର ପ୍ରଧାନ, ଆଇନଜୀବୀ ବନ ମହାନ୍ତି, ଶ୍ରୀକାନ୍ତ ମିଶ୍ର, ଅମିତ୍‌ କର, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବୀ, ବୌଦ୍ଧପ୍ରେମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର