ବ୍ଲାକ୍‌ସ୍ପଟ୍‌ ନେଇ ପରିବହନ ଆୟୁକ୍ତଙ୍କ ଅସମ୍ପୂର୍ଣ୍ଣ ଚିଠି, ବାଉଳା ହେଉଛି ଏନ୍‌ଏଚ୍‌ଏଆଇ

ଭୁବ‌ନେଶ୍ୱର: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୁପ୍ରିମ୍‌କୋର୍ଟଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ, ସବୁ ସ୍ତରରେ ତନାଘନା। ସମସ୍ତେ ତତ୍ପର। ଏଥିପାଇଁ ନୂଆ ନୂଆ ନିୟମ ଓ ଆଇନ ପ୍ରଣୟନ କରାଯାଉଛି। ନିକଟ ଅତୀତରେ ସଂଶୋଧିତ ମୋଟର ଯାନ ଆଇନ କାର୍ଯ୍ୟକାରୀ କରି ଟ୍ରାଫିକ୍‌ ନିୟମ ମାନିବା ପାଇଁ ଲୋକଙ୍କୁ ଏକପ୍ରକାର ବାଧ୍ୟ କରି ଦିଆଯାଇଛି। କିନ୍ତୁ ଏ କ୍ଷେତ୍ରରେ ଆମ ରାଜ୍ୟର ସରକାରୀ ବାବୁମାନଙ୍କର କାର୍ଯ୍ୟଦକ୍ଷତା ଓ ତତ୍ପରତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଧିକାରୀଙ୍କ ଦାୟିତ୍ବହୀନତାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି।

ରାଜ୍ୟର ବିଭିନ୍ନ ଜାଗାରେ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରାଯିବା ପରେ ତଦନୁଯାୟୀ ପଦକ୍ଷେପ ନେବାକୁ ପରିବହନ ଆୟୁକ୍ତ ଏନ୍‌ଏଚ୍‌ଏଆଇକୁ ଚିଠି ଲେଖିଥିଲେ। କିନ୍ତୁ ଚିଠିଟି ଏତେ ଖାମଖିଆଲି‌ରେ ଲେଖାଯାଇଛି ଯେ ସେଥିରେ ସଂପୂର୍ଣ୍ଣ ତଥ୍ୟ ନାହିଁ। ଏହାଦ୍ବାରା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ଅଧିକାରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ତେଣୁ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ଏନ୍‌ଏଚ୍‌ଏଆଇ ପୁଣି ଥରେ ପରିବହନ ବିଭାଗକୁ ଚିଠି ଲେଖିଛି। ସମ୍ପୂର୍ଣ୍ଣ ତଥ୍ୟ ଦେ‌ଲେ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ ସ୍ଥାନଗୁଡ଼ିକରେ ପଦକ୍ଷେପ ନିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ଦ୍ବୈତନଗରୀରେ ଥିବା ବ୍ଲାକସ୍ପଟ୍‌କୁ ନେଇ ଗତ ଅଗଷ୍ଟରେ ଆର୍‌ଟିଓ, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଓ ପୁଲିସ କମିସନର୍‌ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତତ୍‌କାଳୀନ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ଉକ୍ତ ବୈଠକରେ କଟକ-ଭୁବନେଶ୍ବର ଜାତୀୟ ରାଜପଥରେ ୧୬ଟି ବ୍ଲାକ୍‌ ସ୍ପଟ୍‌ ରହିଥିବା ତଥ୍ୟ ଉପସ୍ଥାପନ ହୋଇଥିଲା। ଭୁବନେଶ୍ବରରେ ୧୨ ଓ କଟକ ଅଧୀନରେ ୪ଟି ବ୍ଲାକ୍‌ସ୍ପଟ୍‌ ରହିଥିବା କୁହାଯାଇଥିଲା। ଏ ନେଇ ଏନ୍‌ଏଚ୍‌ଏଆଇ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ କରିବ ବୋଲି କୁହାଯାଇଥିଲା। କିନ୍ତୁ ଏନ୍‌ଏଚ୍‌ଏଆଇ ବିଜ୍ଞପ୍ତି ପ୍ରକାଶ କରିନଥିଲା। ଗତ ୯ ତାରିଖରେ ପରିବହନ କମିସନରଙ୍କ ଏକ ଚିଠି ଏନ୍‌ଏଚ୍‌ଏଆଇ ପାଖରେ ପହଞ୍ଚିଥିଲା। ଯେଉଁଥିରେ ସମଗ୍ର ରାଜ୍ୟର ବ୍ଲାକ୍‌ସ୍ପଟ୍‌ ସହ କଟକ-ଭୁବନେଶ୍ବରର ବ୍ଲାକ୍‌ସ୍ପଟ୍‌ ବାବଦରେ ମଧ୍ୟ ତଥ୍ୟ ରହିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ପୁଲିସ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଘୋଷିତ ବ୍ଲାକ୍‌ସ୍ପଟ୍‌ ତଥ୍ୟଠାରୁ ତାହା ସଂପୂର୍ଣ୍ଣ ଭିନ୍ନ। ଗୋଟିଏ ପୃଷ୍ଠାରେ ଭୁବନେଶ୍ବରରେ ଥିବା ୧୧ଟି ବ୍ଲାକ୍‌ସ୍ପଟ୍‌ ବାବଦରେ ଉଲ୍ଲେଖ ଥିବା ବେଳେ ପରବର୍ତ୍ତୀ ପୃଷ୍ଠାଟି ନଥିଲା। ଅର୍ଥାତ୍‌ ପୃଷ୍ଠା ୧ ପରେ ପୃଷ୍ଠା ୩ ରହିଥିଲା। ଏଣୁ ଭୁବନେଶ୍ବରର ଆଉ କେତେକ ବ୍ଲାକ୍‌ସ୍ପଟ୍‌ ରହି ଯାଇଥିବା ଏନ୍‌ଏଚ୍‌ଏଆଇ ଅନୁମାନ କରିଥିଲା। ତେଣୁ ପୁଣିଥରେ ଏନ୍‌ଏଚ୍‌ଏଆଇ ପରିବହନ ଆୟୁକ୍ତଙ୍କୁ ଚିଠି ଲେଖିଛି।

ସମ୍ବନ୍ଧିତ ଖବର