ବ୍ୟକ୍ତିତ୍ୱ ଗଠନରେ କ୍ରୀଡ଼ାର ଭୂମିକା ଅନସ୍ୱୀକାର୍ଯ୍ୟ

ଚନ୍ଦ୍ରଶେଖରପୁର: ବ୍ୟକ୍ତିତ୍ୱ ଗଠନରେ ପାଠପଢ଼ା ସହିତ କ୍ରୀଡ଼ାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶୈଶବରୁ ପାଠ ପଢ଼ା ସହିତ ଖେଳକୁଦ ପ୍ରତି ସମାନ ଗୁରୁତ୍ୱ ପ୍ରଦାନ କରିବା ବର୍ତ୍ତମାନ ସମୟର ଏକ ଆହ୍ଵାନ। ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରାଇପାରିଲେ ଭବିଷ୍ୟତରେ ଅନେକ ଦକ୍ଷ କ୍ରୀଡ଼ାବିତ୍‌ ସୃଷ୍ଟି ହୋଇପାରିବେ। ଗ୍ରାମାଞ୍ଚଳରେ ମଧ୍ୟ ଅନେକ କ୍ରୀଡ଼ା ପ୍ରତିଭା ଲୁଚି ରହିଛନ୍ତି। ସେମାନଙ୍କୁ ଖୋଜି ବାହାରି କରିବା ନିମନ୍ତେ ପ୍ରଶାସନ ଓ ବିଦ୍ୟାଳୟସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍‌) ଓ ଫିକି ଓଡ଼ିଶା କାଉନ୍‌ସିଲ୍‌ ସହଯୋଗରେ ଆୟୋଜିତ ‘ଆଇଡିଇଏଟିଇ-୨୦୧୭’ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ପ୍ରଶାସକମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

ଆଜି ଶିକ୍ଷା ଓ ଜୀବନ କୌଶଳର ବିକାଶରେ କ୍ରୀଡ଼ାର ଭୂମିକା ସମ୍ପର୍କିତ ଆୟୋଜିତ ଆଲୋଚନାଚକ୍ରରେ ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ, ପୂର୍ବତନ କ୍ରିକେଟିୟର ତଥା ରାଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳ, ଅନନ୍ତପୁର ଆନ୍ଧ୍ରପ୍ରଦେଶ ଗ୍ରାମୀଣ ବିକାଶର ପ୍ରୋଗ୍ରାମ୍‌ ଡାଇରେକ୍ଟର ମଞ୍ଚୋ ଫେରର, ନାଗପୁରସ୍ଥିତ ବସ୍ତି-ଫୁଟବଲ କ୍ରୀଡ଼ା ବିକାଶ ସଂସ୍ଥାର ସିଇଓ ଅଭିଜିତ ବାର୍ସେ ପ୍ରମୁଖ ଏହି ଆଲୋଚନାଚକ୍ରରେ ଅତିଥି ଭାବେ ଯୋଗ ଦେଇଥିଲେ। ସିଏନ୍‌ଏନ୍‌-ଆଇବିଏନ୍‌ର ସହଯୋଗୀ ସମ୍ପାଦକ ମେହା ଭରଦ୍ୱାଜ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ଏହି ଅବସରରେ ଅର୍ନ୍ତଜାତୀୟ କରାଟେକା ଭାଲିନା ଭାଲେଣ୍ଟିନା ନିଜର କ୍ରୀଡ଼ା ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ।

ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ନିମନ୍ତେ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ, ସଫଳ ସରକାରୀ ନିତୀର ପ୍ରବର୍ତ୍ତନ, ବିଭିନ୍ନ ସଂଗଠନର ଭୂମିକା ଓ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ବିଆଇବିଏଫ୍‌ର ଟ୍ରଷ୍ଟି ଓ ସିଇଓ ଶୈଫଳିକା ପଣ୍ଡା କ୍ରୀଡ଼ାର ଭୂମିକା ତଥା ଛାତ୍ର ଜୀବନରୁ ଏହାର ପ୍ରଚଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ କ୍ଷେତ୍ରରୁ ବହୁ ବ୍ୟକ୍ତିତ୍ୱ ତଥା କ୍ରୀଡ଼ା ଜଗତରୁ ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର