ବଡ଼ି, ପାମ୍ପଡ଼ ପ୍ରସ୍ତୁତରେ ସୀମିତ ନାହାନ୍ତି ସ୍ବୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ବର: ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ କୃଷିଭିତ୍ତିକ ଆୟକାରୀ କାର୍ଯ୍ୟକ୍ରମରେ ନିୟୋଜିତ କରି ସେମାନଙ୍କୁ ସ୍ୱରୋଜଗାର କରିବା କ୍ଷେତ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଓ କୃଷି ଆନୁସଙ୍ଗିକ ବିଭାଗ ଆଗଭର ହୋଇ କାମ କରୁଛନ୍ତି। ଏଠାରେ ମିସନ୍‌ ଶକ୍ତି ଅଧୀନରେ ଗଠିତ ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ କେବଳ ବଡ଼ି, ପାମ୍ପଡ଼ କରିବାରେ ସେମାନଙ୍କର କାର୍ଯ୍ୟକୁ ସୀମିତ ରଖିନାହାନ୍ତି। ଧାନ ସଂଗ୍ରହ, ଅଙ୍ଗନାବାଡ଼ି କେନ୍ଦ୍ରକୁ ଶିଶୁ ଖାଦ୍ୟ ଯୋଗାଣ, ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ପାଇଁ ଖାଦ୍ୟ ଯୋଗାଇବା ପରି କାର୍ଯ୍ୟ ହାତକୁ ନେଇଛନ୍ତି। ଏହା କେବଳ ରୋଜଗାର ପାଇଁ ନୁହେଁ, ବରଂ ଦେଶ ସେବା ଓ ଦେଶର ଉନ୍ନତିରେ ସଫଳ ପଦକ୍ଷେପ ବୋଲି ଓୟୁଏଟିଠାରେ ଆୟୋଜିତ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ପାଇଁ ରାଜ୍ୟସ୍ତରୀୟ ଅଭିମୁଖୀକରଣ କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ମିସନ୍ ଶକ୍ତି କମିସନର ସୁଜାତା କାର୍ତିକେୟନ୍‌ କହିଛନ୍ତି। ଓୟୁଏଟି କୁଳପତି ପ୍ରଫେସର ପୱନ କୁମାର ଅଗ୍ରୱାଲ୍ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଗ୍ରାମୀଣ ଉତ୍ଥାନରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କର ଯୋଗଦାନକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି। କୃଷି ବୈଜ୍ଞାନିକ ତଥା ସଂପ୍ରସାରଣ ଅଧିକାରୀମାନେ ଗ୍ରାମାଞ୍ଚଳରେ ସେମାନଙ୍କର ବୈଷୟିକ ଦକ୍ଷତା, ମନର ସ୍ୱଚ୍ଛତା, ଗ୍ରାମୀଣ କୃଷକ ଓ କୃଷିଜୀବୀ ମହିଳାମାନଙ୍କ ପାଇଁ ଥିବା ଆବେଗକୁ ସଠିକ୍ ରୂପରେ ଦର୍ଶାଇ ପାରିଲେ ଗ୍ରାମାଂଚଳର ପ୍ରକୃତ ଉନ୍ନତି ହୋଇପାରିବ।

ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ଅଧ୍ୟକ୍ଷ ପ୍ରଫେସର ପ୍ରଭାତ ରାଉଳ ସ୍ୱାଗତ ଭାଷଣ ଦେବା ସହ ୧୨ଟି କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବୈଷୟିକ ତାଲିମ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟାନ ବିଭାଗ ଦ୍ୱାରା ଗ୍ରହଣ କରାଯାଉଥିବା ଫସଲ ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ଜୀବିକା ମଜବୁତ୍ କରିବା ପ୍ରକଳ୍ପ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଓୟୁଏଟି ତଥା ରାଜ୍ୟ ଉଦ୍ୟାନ ବିଭାଗ ଦ୍ୱାରା ନିଆଯାଇଥିବା ଏହି ଦୁଇଟି ପ୍ରକଳ୍ପ ମିଶନ ଶକ୍ତିର ଆର୍ଥିକ ସହାୟତାରେ ପରିଚାଳିତ ହେଉଛି।

ସମ୍ବନ୍ଧିତ ଖବର