ବଢ଼ୁଛି ‘ମୋ ଖତ’ର ଚାହିଦା, ଗୋଟିଏ ଦିନରେ ବିକ୍ରି ହେଲା ଦୁଇ ଟନ୍‌

ଭୁବନେଶ୍ୱର : ବର୍ଜ୍ୟବସ୍ତୁକୁ ପରିଚାଳନା କରି ବିଏମ୍‌ସି ଉତ୍ପାଦନ କରୁଛି ‘ମୋ ଖତ’। ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ବର ଫରେଷ୍ଟ୍ ରେଞ୍ଜ ଅଫିସ ୨ ଟନ୍ ‘ମୋ ଖତ’ କିଣିଥିବାବେଳେ ଏଯାଏ ୧୧ ଟନ୍‌ ମୋ ଖତ ବିକ୍ରି ହୋଇ ସାରିଥିବା ସୂଚନା ଦେଇଛି ବିଏମ୍‌ସି।

ସୂଚନା ମୁତାବକ, ୧୮ ଗୋଟି ମାଇକ୍ରୋ କମ୍ପୋଷ୍ଟିଂ ସେଂଟର(ଏମ୍‌ସିସି)ରେ ବର୍ଜ୍ୟବସ୍ତୁରୁ ଏହି ଖତ ପ୍ରସ୍ତୁତ ହେଉଛି। ଏଥିରେ ନିୟୋଜିତ ଏସଏଚ୍‌ଜିର ସଦସ୍ୟ ତଥା ସ୍ୱଚ୍ଛସାଥୀମାନଙ୍କୁ ଖତର ଗୁଣାବତ୍ତା ରକ୍ଷା, ବିକ୍ରୟ ଓ ଏହାର ଆଦର ବଢାଇବା ନିମନ୍ତେ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ଆଜି ନିକୋ ପାର୍କ ନିକଟରେ ଥିବା ଏମ୍‌ସିସିରୁ ଉତ୍ପାଦିତ ‘ମୋ ଖତ’ ବିକ୍ରି ହୋଇଛି। ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଓ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ (ଓୟୁଏଟି)ଖତ କିଣି ସାରିଛି। ନିକଟରେ ଖୋର୍ଦ୍ଧା ୱାଟର୍ ସେଡ୍‌ ପିଡି ୪୦ ମେଟ୍ରିକ୍ ଟନ୍ ଖତ ନେବାପାଇଁ ଅର୍ଡର ଦେଇଛନ୍ତି।

ଏହାର ଚାହିଦା ବଢ଼ିବା ଅତ୍ୟନ୍ତ ଖୁସିର କଥା ବୋଲି କହିଛନ୍ତି ବିଏମ୍‌ସି କମିସନର ସଂଜୟ କୁମାର ସିଂହ। ଆଗକୁ ଏହା କିଭଳି ରାସାୟନିକ ସାରର ବିକଳ୍ପ ଭାବେ ଛିଡ଼ା ହେବ ସେ ନେଇ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।

ଆଜି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଫରେଷ୍ଟ୍ ରେଞ୍ଜ ଅଫିସ ଗାଡ଼ିକୁ ପତାକା ଦେଖାଇ ଲୋକାର୍ପିତ କରିଥିଲେ। ଡେପୁଟି କମିସନର (ସାନିଟେସନ୍‌) ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୮ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥ୍‌ନନ୍ ରାଜମହଲ ଛକଠାରେ ଉଦ୍‌ଘାଟନ କରିଥିବା ‘ମୋ ଖତ’ର ସ୍ୱତନ୍ତ୍ର କାଉଣ୍ଟର ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି।

ସମ୍ବନ୍ଧିତ ଖବର