ଭକ୍ତିଗୀତର ଅମୃତ କଳସ ‘ବଡ଼ଦାଣ୍ଡେ ତିନିରଥ’

ଭୁବନେଶ୍ବର: ଭକ୍ତିଗୀତର ମଧୁର ମୂର୍ଚ୍ଛନାରେ ମୁଖରିତ ହେଉଥିଲା ଜୟଦେବ ଭବନ ପ୍ରେକ୍ଷା‌ଳୟ। ରଥଯ‌ାତ୍ରା ଉପଲକ୍ଷେ ଭଗବାନଙ୍କ ପାଇଁ ଭକ୍ତ ଢାଳୁଥିଲା ଅନ୍ତରରୁ ଭକ୍ତିଅର୍ଘ୍ୟ। ଅବସର ଥିଲା ପ୍ରଜ୍ଞା ଏକାଡେମିକ୍‌ ଆଣ୍ଡ କଲ୍‌ଚରାଲ୍‌ ଟ୍ରଷ୍ଟ ଓ ପୂଣ୍ୟ ଉତ୍କଳ ଫାଉଣ୍ଡେସନ୍‌ର ମିଳିତ ଉଦ୍ୟମ‌ରେ ପ୍ରସ୍ତୁତ ଭକ୍ତିଗୀତର ଅମୃତ କଳସ ‘ବଡ଼ଦାଣ୍ଡେ ତିନି ରଥ’ର। ମିଳିତ କଣ୍ଠରେ ଭକ୍ତିଗୀତି ‘ଅନାଲୋ ମିତ ନନ୍ଦିଘୋଷେ ଶ୍ରୀଜଗନ୍ନାଥ’ରୁ ଆରମ୍ଭ ହୋଇଥିଲା ଏହି ମନଛୁଆଁ ଆସର। ବୃନ୍ଦାବନ ଜେନାଙ୍କ ରଚିତ ଏହି ଗୀତଟି ସୀତାଂଶୁ ଶେଖର ରାଉତଙ୍କ ନିର୍ଦ୍ଦେଶନାରେ ପ୍ରତିଭା ପ୍ରଧାନ, ତପସ୍ବିନୀ ଡଗରା, ଅଞ୍ଜନୀ ରାଉତରାୟ ଏବଂ ଆକୃତି ସାହୁ ପ୍ରମୁଖ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଏ. ମହେଶ୍ବର ରାଓ, ମୀତାଲି ଚିନ୍ନାରା, କେଶବ ଚନ୍ଦ୍ର ରାଉତ, ରାମହରି ଦାସ, ବନ୍ଦିତା ରାୟ, ଅଜୟ ଶତପଥୀ, ପ୍ରତିଭା ପ୍ରଧାନ, ଛନ୍ଦା ମିଶ୍ର, ବିଜୟ ମିଶ୍ର, ସମୀକ୍ଷା ମିଶ୍ର, ଶରଣ୍ୟା ମିଶ୍ର, ଅର୍ଚ୍ଚନା ଜେନା ଓ ଶୁଭଶ୍ରୀ ପାଣି ପ୍ରମୁଖ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ସାହିତ୍ୟିକ ଲାବଣ୍ୟ ଶବରଙ୍କୁ କବି ଶେଖର ସମ୍ମାନରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷ‌ା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ ନାୟକ ଓ ନାଲ୍‌କୋର ଅର୍ଥ ନିର୍ଦ୍ଦେଶକ ଶ୍ରୀଧର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର ଓ ମହାସଚିବ ବୃନ୍ଦାବନ ଜେନା‌ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସ୍ନେହଲତା ପୃଷ୍ଟି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ମିନତୀ ରାଉତ ଓ ନିତ୍ୟାନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର