ଭଙ୍ଗାଗଲା ଏକାଧିକ ହୋଟେଲ

ଭୁବନେଶ୍ବର: ରାଜଧାନୀରେ ଆଜି ଦୁଇଟି ସ୍ଥାନରେ ବଡ଼ ଧରଣର ଉଚ୍ଛେଦ କରାଯାଇଛି। ସହିଦ ନଗର ଓ ଅଶୋକ ନଗର ଅଞ୍ଚଳରେ ବେଆଇନ ଭାବେ ଜବରଦଖଲ କରିଥିବା ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକକୁ ଭାଙ୍ଗି ଦିଆଯାଇଛି। ତେବେ ମନ୍ଦିର ଭଙ୍ଗାକୁ ନେଇ ଉଚ୍ଛେଦ ସ୍ଥଳରେ ବିରୋଧ ହୋଇଥିଲା। ପରବର୍ତୀ ସମୟରେ ମନ୍ଦିର କମିଟି ‌ଜବରଦଖଲ ସ୍ଥାନକୁ ନିଜେ ଭାଙ୍ଗିବା ପାଇଁ ଲିଖିତ ଆକାରରେ ଜଣାଇଥିବା ସୂଚନା ମିଳିଛି। ମିଳିତ ଉଚ୍ଛେଦକାରୀ ଦଳ ଆଜି ସକାଳେ ସହିଦ ନଗର ଅଞ୍ଚଳରେ ପହଞ୍ଚିଥିଲେ। ସେଠାରେ ବେଆଇନ ଭାବେ ଥିବା ୧୩ଟି ଲୁହା/କାଠ କ୍ୟାବିନ୍, ୧୧ଟି ଟିଫିନ୍ ଷ୍ଟଲ, ୭ଟି ପଲିଥିନ୍ ସେଡ୍, ୮ଟି ହୋର୍ଡିଂ ଓ ୨ଟି ଫାଷ୍ଟଫୁଡ୍ ଷ୍ଟଲକୁ ଉଚ୍ଛେଦ କରାଯାଇଥିଲା। ବନଦୁର୍ଗା ମନ୍ଦିରର କିଛି ଅଂଶ ଓ ଅନ୍ୟ ଏକ ମନ୍ଦିର ନିଜ ଆଡ଼ୁ ଉଚ୍ଛେଦ କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି। ସେହିପରି ଅଶୋକ ନଗର ଅଞ୍ଚଳରେ ଗୋଟିଏ ହୋଟେଲ, ଗୋଟିଏ ସାଇକେଲ ଷ୍ଟାଣ୍ଡ ଓ ଗୋଟିଏ ଚାଳ ଭରକୁ ଭାଙ୍ଗି ଦିଆଯାଇଛି। ଉଚ୍ଛେଦ ସ୍ଥଳରେ ବିଡିଏ, ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର