ଭୁବନେଶ୍ବରରେ ଖୋଲିବ ସିନେମା ହଲ୍, ଜାନୁଆରୀ ୮ରୁ ଫିଲ୍ମ ପ୍ରଦର୍ଶନ କରିବ କେଶରୀ ଟକିଜ

ଭୁବନେଶ୍ବର: ଖୁବ ଶୀଘ୍ର ହଲରେ ସିନେମା ଦେଖିବେ ଦର୍ଶକ । ରାଜଧାନୀରେ ଆସନ୍ତା ୮ ତାରିଖରେ ଖୋଲୁଛି କେଶରୀ ଟକିଜ । କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ ମାସ ପରେ ପୁଣି ବଡ ପରଦାରେ ଫିଲ୍ମ ଦେଖିପାରିବେ ରାଜଧାନୀବାସୀ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ ସରକାରଙ୍କ ଘୋଷଣା ପରେ ହଲ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ରାଜ୍ୟରେ କୋଭିଡ଼ କଟକଣା ମଧ୍ୟରେ ସିନେମା ଖୋଲିବା ନେଇ ପ୍ରସ୍ତୁତି ଚାଲିଛି । କେଶରୀ ଟକିଜ କାନ୍ଥରେ ଫିଲ୍ମ ବ୍ୟାନର ଲାଗିଲାଣି । ଦୀର୍ଘଦିନ ହେବ ପଡିରହିଥିବା ଚେୟାରଗୁଡିକୁ ସଫା କରାଯାଇ ହଲକୁ ସମ୍ପୂର୍ଣ୍ଣ ସାନିଟାଇଜି କରାଯାଉଛି । ରାଜଧାନୀର କେଶରୀ ଟକିଜ ଖୋଲିବା ନେଇ କର୍ମଚାରୀ ଉତ୍ସାହର ସହ ଲାଗି ପଡିଛନ୍ତି । ଆସନ୍ତା ୮ତାରିଖରେ କେଶରୀ ଟକିଜ ଖୋଲିବ ବୋଲି କହିଛନ୍ତି ଏହାର ମ୍ୟାନେଜର ।

୫୦ ପ୍ରତିଶତ ଦର୍ଶକକୁ ନେଇ ହଲ ଖୋଲିବାକୁ ସରକାରଙ୍କ ଗାଇଡଲାଇନ ରହିଛି । ସରକାରଙ୍କ ଗାଇଡଲାଇନକୁ ଅନୁସରଣ କରାଯାଇ ସିନେମା ହଲକୁ ପ୍ରସ୍ତୁତ କରାଯାଉଛି । ଗୋଟିଏ ଚେୟାର ବ୍ୟବଧାନରେ କିଭଳି ଦର୍ଶକ ବସିବେ ସେ ନେଇ ବ୍ୟବସ୍ଥା କରାଯାଉଛି । କେଶରୀ ଟକିଜ ଆସନ୍ତା ୮ ତାରିଖରେ ଖୋଲିବାକୁ ଥିବା ବେଳେ ଭୁବନେଶ୍ୱରରେ ଥିବା ଅନ୍ୟ ଟକିଜ ଶ୍ରୀୟା, ସ୍ୱାତୀ, ସ୍ତୁତି, ମହାରାଜା, ଆଇନକ୍ସ ଆସନ୍ତା ୧୦ତାରିଖ ଭିତରେ ଖୋଲିିବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର