ମହାଳୟାରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ, ଏକାମ୍ର କ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୁଣା ଭୁବନେଶ୍ୱର: ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ଏକାମ୍ର କ୍ଷେତ୍ରରେ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବିନ୍ଦୁସାଗର ଚର୍ତୁପାର୍ଶ୍ବ ଓ ସୂକ୍ଷ୍ମେଶ୍ୱର ମନ୍ଦିର ନିକଟରେ ଶହଶହ ଶ୍ରଦ୍ଧାଳୁ ପିତୃ ପୁରୁଷ ଓ ମାମୁଁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦ୍‍ଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଭୋରୁ ଆସି ଶ୍ରାଦ୍ଧ ଅର୍ପଣ କରିଥିଲେ। ଆଶ୍ୱିନ ମାସ ପ୍ରଥମ ଦିନରୁ ଆରମ୍ଭ ହୋଇ ୧୫ଦିନ ଧରି ଚାଲିଥିବା ମହାଳୟା ଶ୍ରାଦ୍ଧ ଆଜି ଅମାବାସ୍ୟା ତିଥିରେ ଶେଷ ହୋଇଛି। ବିନ୍ଦୁସାଗର ୩ପାର୍ଶ୍ବ, ଉତ୍ତରେଶ୍ବର ଘାଟ ନିକଟ ସବୁ ରାସ୍ତା ଓ ବିନ୍ଦୁସାଗର ରାସ୍ତାକଡ଼, ଭବାନୀ ଶଙ୍କର ମନ୍ଦିରରେ ଶ୍ରଦ୍ଧାଳୁ ବସି ବ୍ରାହ୍ମଣଙ୍କ ଦ୍ବାରା ପିଣ୍ଡଦାନ କରିଥିଲେ। ଭିଡ଼ ଏପରି ହୋଇଥିଲା ଯେ ସାନେଟୋରିୟମ ଛକ ଓ ବଢ଼େଇବାଙ୍କ ପର୍ଯ୍ୟନ୍ତ ଗାଡ଼ି ମଟର ଭିଡ଼ ହୋଇଥିଲା। ସେହିପରି ଶ୍ରୀରାମନଗରସ୍ଥିତ ସୂକ୍ଷ୍ମେଶ୍ୱର ମନ୍ଦିର ନିକଟରେ ମଧ୍ୟ ଭିଡ଼ ହୋଇଥିଲା। ସେଠାରେ ରାଜଧାନୀରୁ ବିଭିନ୍ନ ଆଡ଼ୁ ଶ୍ରଦ୍ଧାଳୁ ଆସି ତିଳତର୍ପଣ କରିଥିଲେ। ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ଗୋଟିଏ ପ୍ଲାଟୁନ୍‍ ପୁଲିସ ବ୍ୟବସ୍ଥା କରାଯାଇଥିଲା। ତଳ ବଜାର ଛକଠାରୁ କେଦାରଗୌରୀ ଛକ ପର୍ଯ୍ୟନ୍ତ ରାସ୍ତା ସିଲ୍‌ ହୋଇଥିଲା। ତେବେ ଆବଶ୍ୟକୀୟ ଡଷ୍ଟବିନ୍‌ ନଥିବାରୁ ବିଭନ୍ନ ସ୍ଥାନରେ ଏଣେତେଣେ କଦଳୀପତ୍ର ଓ ପିଣ୍ଡ ଚାଉଳ ପଡ଼ି ରହିଥିଲା। ସେହିପରି ଷଣ୍ଢଙ୍କ ଉତ୍ପାତ ମଧ୍ୟ ଦେଖିବାକୁ ମିଳିଥିଲା। ଷଣ୍ଢ ଲଢ଼େଇ ଯୋଗୁଁ ୩ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର