ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣା: ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି

ଭୁବନେଶ୍ବର: ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ସିଧାସଳଖ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ଟାର୍ଗେଟ କରାଯାଇଛି। ଏବିଭିପିର କର୍ମୀମାନେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ଇସ୍ତଫା ଦାବି କରିଛନ୍ତି। ଏପରିକି ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳ ଉପସ୍ଥିତ ପୁଲିସଙ୍କ ସହ ଧସ୍ତାଧସ୍ତି ହୋଇଥିଲା। କିଛି କର୍ମୀ ଆହତ ହୋଇଥିଲେ ମଧ୍ୟ ମନ୍ତ୍ରୀଙ୍କ ଗୋଟ୍‌ ଖୋଲି ଆଗକୁ ବଢ଼ିଥିଲେ। ଘଟଣାରେ ପୁଲିସ ପ୍ରାୟ ୨୫ ଜଣ କର୍ମୀଙ୍କୁ ଅଟକ ରଖିଥିଲା।
ସଂଗଠନ ପକ୍ଷରୁ କୁହାଯାଇଛି ଯେ ଥରେ କି ଦୁଇ ଥର ନୁହେଁ। ବାରମ୍ବାର ଏଭଳି ଘଟଣା ହେଉଛି। ସରକାରୀ କଳର ଉଦାସୀନତା ଯୋଗୁଁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳାଯାଉଛି। କେବଳ ମାଟ୍ରିକ୍‌ ପରୀକ୍ଷା ନୁହେଁ। ଓଟିଇଟି ଓ ଯୁକ୍ତ୨ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ପୂର୍ବରୁ ଲିକ୍‌ ହୋଇଛି। ଏହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅପାରଗତା। ସ୍ବଚ୍ଛ ପରୀକ୍ଷା ପରିଚାଳନା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବିଭାଗର ମୁଖ୍ୟ ଭାବେ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଏଥିସହ ଘଟଣାର ଦୋଷୀମାନଙ୍କୁ ତୁରନ୍ତ ଗିରଫ କରା ନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର