ମିସନ୍‌-୧୨୦ର ମୂଳଦୁଆ ଭାଙ୍ଗିଲା କିଏ?

ଭୁବନେଶ୍ବର/ଖଣ୍ଡଗିରି: ଏକାମ୍ର ନିର୍ବାଚନମଣ୍ଡଳୀରୁ ଆରମ୍ଭ ହୋଇଥିଲା ମିସନ ୧୨୦ ଅଭିଯାନ। ଏଇଠାରୁ ଆରମ୍ଭ ହେଲା ସ୍ବଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦୁଇ ଥର ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା ଏବଂ ବରମୁଣ୍ଡାରେ ବିଶାଳ ରୋଡ୍‌ ସୋ’ ଓ ଜନ ସମାବେଶ। ୮ ହଜାର ଉଜ୍ଜ୍ବଳା ଯୋଜନା ହିତାଧିକାରୀ, ଖଣ୍ଡଗିରିରେ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କାମ ଆରମ୍ଭ; ଏତେ ସବୁ ସତ୍ତ୍ବେ ବିଜେପି ଏଠାରେ ପରାଜୟର ସ୍ବାଦ ଚାଖିଲା। ଏ ହେଉଛି ଏକାମ୍ର ବିଜେପିର ବଡ଼ ଦୁଃଖ। ଏହା କର୍ମୀମାନଙ୍କୁ ଗଭୀର ଭାବେ ମର୍ମାହତ କରିଛି। ତେଣୁ କର୍ମୀମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ସୂଚନାନୁସାରେ ଓଡ଼ିଶାରେ ବିଜେପି କ୍ଷମତା ଦଖଲ ପାଇଁ କରିଥିବା ଯୋଜନା ସବୁ ୨୦୧୫ ମସିହାରୁ ଏହି ଏକାମ୍ର ନିର୍ବାଚନମଣ୍ଡଳୀରୁ ଆରମ୍ଭ ହୋଇଥିଲା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୨୦୧୫ ଜାନୁଆରିରେ ଏହି ନିର୍ବାଚନମଣ୍ଡଳୀର ଧଉଳି ଟିକରପଡ଼ା ବସନ୍ତପୁରରୁ ଆରମ୍ଭ କରିଥିଲେ ମିସନ୍ ୧୨୦। ଗରିବ ହରିହରଙ୍କ ଘରେ ଜଳପାନ କରି ଶାହ ଏହି ଅଭିଯାନର ମୂଳଦୁଆ ପକାଇଥିଲେ। ଶ୍ରୀ ଶାହ ବିଜେପିରେ ନିଜ ସଦସ୍ୟତା ଏଠାରେ ନବୀକରଣ କରିଥିଲେ। ସେହିଦିନଠାରୁ ତାଙ୍କୁ ମିଶାଇ ଏଠାରୁ ୧୭ ହଜାର ପ୍ରାଥମିକ ସଦସ୍ୟଙ୍କ ନାମ ବିଜେପିରେ ତାଲିକାଭୁକ୍ତ ହୋଇଥିଲା। ସେହିପରି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର ମଧ୍ୟ ଡୁମୁଡୁମାରୁ ଦଳର ପ୍ରାଥମିକ ସଦସ୍ୟ ହୋଇଥିଲେ। ରାଜ୍ୟ ଉପସଭାପତି ସମୀର ମହାନ୍ତି, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ଘର ଏହି ନିର୍ବାଚନମଣ୍ଡଳୀରେ ଓ ତାଙ୍କ ସହ ୧୬ ଶହ କାର୍ଯ୍ୟକାରୀ ସଦସ୍ୟ ଦଳ ପାଇଁ କାମ କରୁଥିଲେ। ୨୦୧୭ରେ ଅମିତ ଶାହ ଲିଙ୍ଗରାଜ ମନ୍ଦିରରେ ପୂଜାଭିଷେକ କରିଥିଲେ ଓ ବରମୁଣ୍ଡାରେ ବିଶାଳ ଜନସମାବେଶକୁ ଉଦ୍‌ବୋଧନ କରିଥିଲେ। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ବରମୁଣ୍ଡାରେ ରୋଡ୍ ସୋ’ ଓ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିଶୁପାଳଗଡ଼ରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଜାଗମରାରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କାର୍ଯ୍ୟକ‌ାରୀ କରିଥିଲେ। ଖଣ୍ଡଗିରିରେ ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ କାମ ଆରମ୍ଭ କରାଯିବା ସହ ଏହି ନିର୍ବାଚନମଣ୍ଡଳୀରୁ ଉଜ୍ଜଳା ଯୋଜନାରେ ୮ ହଜାର ହିତାଧିକାରୀଙ୍କୁ ସାମିଲ୍ କରାଯାଇଥିଲା। ସେହିଭଳି ବିଗତ ୫ ବର୍ଷ ଭିତରେ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରାୟ ଏକ ଡଜନରୁ ଅଧିକ କେନ୍ଦ୍ର ମନ୍ତ୍ରୀ ଏକାମ୍ର ନିର୍ବାଚନମଣ୍ଡଳୀ ଗସ୍ତ କରି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ।
ତେଣୁ ଏକାମ୍ରରୁ ଆରମ୍ଭ ହୋଇଥିବା ମିସନ୍ ୧୨୦ ଏକାମ୍ରରେ ନିଶ୍ଚୟ ସଫଳ ହେବ ବୋଲି ଆଶା କରାଯିବା ସ୍ବାଭାବିକ ଥିଲା। ମାତ୍ର ପରିତାପର କଥା ଏଠାରେ ଦଳ ବଡ଼ ବ୍ୟବଧାନରେ ଅର୍ଥାତ ୨୭ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ପରାଜୟ ଭୋଗିଛି। ଏହାକୁ ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛି ଏକାମ୍ର ବିଜେପି। ବହୁ କର୍ମୀ ଉଚ୍ଚସ୍ତରୀୟ ନେତୃମଣ୍ଡଳୀକୁ ହିଁ ଦାୟୀ କରିଛନ୍ତି। ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ପରିବର୍ତ୍ତନ ହିଁ ଏହାର ମୂଳ କାରଣ ବୋଲି ବହୁ କର୍ମୀ ଅଭିଯୋଗ କରୁଛନ୍ତି। ପୁଣି ନିର୍ବାଚନ ସମୟରେ ବିଜେଡିର ଯୋଜନାବଦ୍ଧ ରଣନୀତି ଓ ପ୍ରଚାରକୁ ବିଜେପି ସାମ୍ନା କରିପାରିଲାନି। ପ୍ରାର୍ଥିତ୍ବକୁ ‌େନଇ ଚାଲିଥିବା ଗୋଷ୍ଠୀକନ୍ଦଳ ଶେଷ ପର୍ଯ୍ୟନ୍ତ ଲାଗି ରହିଲା। ମୂଳରୁ ବେଶ୍ ସୁନ୍ଦର ଭାବେ ଗଢ଼ି ଉଠିଥିବା ବିଜେପିର ଏକାମ୍ର ଇମାରତ୍ ଶେଷରେ ଦଳୀୟ କର୍ମକର୍ତ୍ତାଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ପାଇଁ ହିଁ ଭୁଶୁଡ଼ି ପଡ଼ିଲା ବୋଲି ବହୁ କର୍ମୀ କ୍ଷୋଭ ପ୍ରକାଶ କରି କହିଛନ୍ତି।

ସମ୍ବନ୍ଧିତ ଖବର