ମିଡ଼ିଆ ଏକ୍ସଲେନ୍ସି ଆଓ୍ଵାର୍ଡ଼ର ପ୍ରଥମ ସଂସ୍କରଣ: ଗଣମାଧ୍ୟମ ନିଜର ପକ୍ଷ ସ୍ପଷ୍ଟ ଭାବରେ ରଖିବା ଆବଶ୍ୟକ

ଚନ୍ଦ୍ରଶେଖରପୁର: ଜାଣିବା ଓ ଜଣେଇବାର ଆବଶ୍ୟକତା ସର୍ବଦା ରହିଥିବାରୁ ଗଣମାଧ୍ୟମ ତଥା ସାମ୍ବାଦିକତାର ଭବିଷ୍ୟତ ବେଶ୍‌ ଉଜ୍ଜ୍ୱଳ। ଗଣମାଧ୍ୟମ ନିରପେକ୍ଷ ହେବାକୁ ଚେଷ୍ଟା କରିବା ଉଚିତ୍‌ ନୁହେଁ। ଏହା ନିଜର ମତ ସ୍ପଷ୍ଟ ଭାବରେ ରଖିବା ଉଚିତ୍‌ବୋଲି ‘ସମ୍ବାଦ’ର ସମ୍ପାଦକ, ପୂର୍ବତନ ସାଂସଦ ତଥା ଆମ ଓଡ଼ିଶା ପାର୍ଟିର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଗଣମାଧ୍ୟମର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ସାମ୍ବାଦିକମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ବର୍ନ୍ଧିତ କରିବା ଗଠିତ ମିଡ଼ିଆ ଏକ୍ସଲେନ୍ସି ଆଓ୍ଵାର୍ଡ଼ (ଏମ୍‌ଇଏ) ର ପ୍ରଥମ ସଂସ୍କରଣର ଅବସରରେ ଅନୁଷ୍ଠିତ ଗଣମାଧ୍ୟମର କଣ୍ଠରୋଧ ଓ ସାମ୍ବାଦିକତାର ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏପରି ମତବ୍ୟକ୍ତ କରିଛନ୍ତି। ବେଳେ ବେଳେ ସରକାରୀ କଳ, ରାଜନେତା, ପ୍ରଶାସକ, ବ୍ୟବସାୟିକ ଗୋଷ୍ଠୀ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାଅନ୍ତି। ମାତ୍ର ଗଣମାଧ୍ୟମର ପ୍ରକୃତ ବ୍ୟବହାରକାରୀ ଏହାର ଉଚିତ୍‌ ମୂଲ୍ୟ ପ୍ରଦାନ କଲେ ଗଣମାଧ୍ୟମର ବିଜ୍ଞାପନଦାତାଙ୍କ ଉପରେ ଥିବା ନିର୍ଭରଶୀଳତା ବିଶେଷ ରହିବା ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ।

ସାମ୍ବାଦିକ ସନ୍ଦୀପ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ କୃଷିମନ୍ତ୍ରୀ ଡ. ଦାମୋଦର ରାଉତ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ମତ ଦେଇଥିଲେ। ବୈଦ୍ୟୁତିକ/ଡିଜିଟାଲ୍‌ ଯୁଗରେ ମଧ୍ୟ ଖବରକାଗଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ଡ. ରାଉତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ଓ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗଣମାଧ୍ୟମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କର୍ପୋରେଟ ଜଗତ ଗଣମାଧ୍ୟକୁ ନିୟନ୍ତ୍ରଣ କରିବା, ଗଣମାଧ୍ୟମର ଶକ୍ତି, ସାମ୍ବାଦିକମାନଙ୍କ ଉପରେ ଥିବା ଚାପ ଆଦି ସମ୍ପର୍କରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଆଲୋଚନା କରିଥିଲେ।

ଏହି ଅବସରରେ ଗଣମାଧ୍ୟମର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ୧୪ଜଣ ସାମ୍ବାଦିକଙ୍କୁ ସଂପୃକ୍ତ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ବର୍ନ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଶରତ ମିଶ୍ରଙ୍କୁ ଜୀବନବ୍ୟାପି ସାଧନା ନିମନ୍ତେ ସମ୍ବର୍ନ୍ଧିତ କରାଯାଇଥିଲା। ବାସୁଦେବ ମହାପାତ୍ରଙ୍କୁ ଶ୍ରେଷ୍ଠ େଓ୍ଵବ୍‌ ଜର୍ଣ୍ଣାଲିଷ୍ଟ୍‍, ରେଡ଼ିଓ ଚକ୍‌ଲେଟ୍‌ ଆର୍‌ଜେ ସଂଗ୍ରାମ ମିଶ୍ରଙ୍କୁ ଶ୍ରେଷ୍ଠ ରେଡ଼ିଓ ଜକି, ସଞ୍ଜିବ୍‌ ଦାସଙ୍କୁ ଶ୍ରେଷ୍ଠ ଫଟୋ ସାମ୍ବାଦିକ ବର୍ଗରେ ସମ୍ବର୍ନ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାମ୍ବାଦିକତା ଜଗତର ବହୁ ବରିଷ୍ଠ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର