‘ମି ଠୁ’… କ’ଣ କହୁଛି ଓଲିଉଡ୍

ଏବେ ବଲିଉଡ୍‌, ରାଜନୀତି ଓ ବ୍ୟବସାୟିକ ଜଗତରେ ମି ଠୁ…କୁ ନେଇ ଉଠୁଛି ପଡ଼ୁଛି। ଚାରିଆଡ଼େ ଏ ନେଇ ଜୋରଦାର ଚର୍ଚା ଚାଲିଛି। ‘ମି ଠୁ’ ଏବେ ଆନ୍ଦୋଳନର ରୂପ ନେଇଛି। ଜଣକ ପରେ ଜଣେ ବଡ଼ କଳାକାର, ପ୍ରଯୋଜକ, ରାଜନୈତିକ ବ୍ୟକ୍ତିଙ୍କ ନାମ ଏହି ଯୌନ କେଳେଙ୍କାରୀଙ୍କ ତାଲିକାରେ ଯୋଡ଼ି ହେବାରେ ଲାଗିଛି। ବରିଷ୍ଠ ଅଭିନେତା ଆଲୋକ ନାଥ, ନିଦ୍ଦେର୍ଶକ ସାଜିଦ ଖାନ୍‌, ମୁକେଶ ଛବ୍ରା ଓ ଭିକି ସିଦାନା ପ୍ରମୁଖ ତାଲିକାରେ ସାମିଲ ହେଲେଣି। କେବଳ ବଲିଉଡ୍ ନୁହେଁ, ଗଣମାଧ୍ୟମ ଜଗତ ବି ଏଥିରେ ସାମିଲ ହୋଇଛି। ଏହାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ କି ଚର୍ଚା ଚାଲିଛି ସେ ନେଇ ସ୍ବତନ୍ତ୍ର ପ୍ରସ୍ତୁତି…

ଯୌନ କେଳେଙ୍କାରୀରେ ସଂପୃକ୍ତ ବ୍ୟକ୍ତିଙ୍କ ମୁଖା ଖୋଲିବା ସମୟ ଆସିଛି
‘ମି ଠୁ’ ଅଭିଯାନ ଏକ ବିବର୍ତ୍ତନ ଆଣିଛି। ଏହାଦ୍ବାରା ଯୌନ କେଳେଙ୍କାରୀରେ ସଂପୃକ୍ତ ଦୁର୍ବଳ ମାନସିକତାର ଲୋକମାନଙ୍କୁ ସାବାଡ୍‌ କରାଯାଇପାରିବ। ସମାଜର ଲୋକ ସଚେତନ ମଧ୍ୟ ହେବେ। ପୁଣି ମହିଳା ଓ ପୀଡ଼ିତାଙ୍କୁ ଖୋଲା ଭାବେ ନିଜକୁ ପ୍ରକାଶ କରିବାର ଅବକାଶ ମିଳିିବ। ଏଥିରୁ ଆମେ ମୁହଁ ଫେରାଇ ପାରିବାନି। କିନ୍ତୁ ଏହା ବିରୁଦ୍ଧରେ ସ୍ବର ଉଠାଇପାରିବା। ସେମାନଙ୍କ ‌ସ୍ବରକୁ ଚାପି ନଦେଇ, ମି ଠୁକୁ ବିରୋଧ ବା ସମର୍ଥନ ଆଦି କରିବା ତର୍ଜମା ନକରି ସହଯୋଗ କରିବ‌ା ଉଚିତ। ଦୀର୍ଘ ଦିନ ପରେ ପାଟି ଖୋଲିଥିବା ପୀଡ଼ିତାଙ୍କୁ ଆଶ୍ବାସନା ଦେବା ଉଚିତ। ସେମିତିରେ ‌େଯୗନ କେଳେଙ୍କାରୀ ଓଲିଉଡ୍‌, ଟଲିଉଡ୍‌, ବଲିଉଡ୍‌ ହେଉ କି ହଲିଉଡ୍‌ ସବୁଠି ରହିଛି। ସମୟ ଆସିଛି ସେଭଳି ଲୋକଙ୍କୁ ମୁଖା ଭିତରୁ ବାହାରକୁ କାଢ଼ିବାର।

ତାପସ ସରଘରିଆ, ଚଳଚ୍ଚିତ୍ର ନିର୍ଦ୍ଦେଶକ

 

ଏଭଳି କାରନାମା ବିଷୟରେ ବିଳମ୍ବରେ ସ୍ବର ଉତ୍ତୋଳନ ଗ୍ରହଣୀୟ ନୁହେଁ
‘ମି ଠୁ’ ଅଭିଯାନ ଏକ ବଳିଷ୍ଠ ପଦକ୍ଷେପ। କିନ୍ତୁ ମୋ ମତରେ ଏଭଳି ଘଟଣାକୁ ବାହାରକୁ ଆଣିବା କିମ୍ବା ଏହାର ବିରୋଧ କରିବାରେ ବିଳମ୍ବ ସ୍ବୀକାର ଯୋଗ୍ୟ ନୁହେଁ। ଆମ ଦେଶର ପରମ୍ପରା ଆମକୁ ନାରୀକୁ ସମ୍ମାନ ଦେବା ଶିଖାଉଛି। ମା’ ଦୁର୍ଗା, ମା’ କାଳୀଙ୍କୁ ଆମେ ନତମସ୍ତକ ହୋଇ ପୂଜା କରୁଛୁ। କିନ୍ତୁ ଆଖିରେ ଆଖିଏ ସ୍ବପ୍ନ ନେଇ ବାହାରକୁ ପାଦ କାଢ଼ିଥିବା ମହିଳାମାନଙ୍କର ଶୋଷଣ କରିବା କଥା ଅତ୍ୟନ୍ତ ଲଜ୍ଜ୍ୟାକର କଥା। ଓଲିଉଡ୍‌ରେ ମୁଁ କାମ କରୁଥିବା ସମୟରେ ଏଭଳି ଘଟିଥିବା ମୁଁ ଦେଖିନାହିଁ। କି ଏନେଇ କାହାକୁ ପ୍ରଶୟ ଦେଇନି। ଏହା କେଉଁଠି ବି ନହେବା ଉଚିତ।

ଉତ୍ତମ ମହାନ୍ତି, ବରିଷ୍ଠ ଅଭିନେତା

ସାମାଜିକ ଗଣମାଧ୍ୟମରେ ଅଭିଯାନ ନ ଚଲାଇ ପ୍ରମାଣ ସହ ଆଇନର ଦ୍ବାରସ୍ଥ ହୁଅନ୍ତୁ
ମୁଁ ମହିଳାମାନଙ୍କ ଲଢ଼େଇରେ ସବୁବେଳେ ଜଣେ ସଶସ୍ତ୍ର ଯୋଦ୍ଧା। କିନ୍ତୁ ‘ମି ଠୁ’ ଅଭିଯାନର ପରବର୍ତ୍ତୀ ପଦକ୍ଷେପ କ’ଣ? ସାମାଜିକ ଗଣମାଧ୍ୟମ ନିହାତି ଭାବେ ଲୋକଙ୍କ ପର୍ଯ୍ୟନ୍ତ ନିଜ କଥା ପହଞ୍ଚାଇବାର ଶ୍ରେଷ୍ଠ ମାଧ୍ୟମ ହୋଇଛି। କିନ୍ତୁ ସାମାଜିକ ଗଣମାଧ୍ୟମରେ ଏଭଳି ଅଭିଯାନ ଚଲାଇ ଚର୍ଚାରେ ନରହି ପୀଡ଼ିତାମାନଙ୍କୁ ପ୍ରମାଣ ସହ ଆଇନର ଦ୍ବାରସ୍ଥ ହେବା ଉଚିତ। ତେବେ ଯାଇ ନ୍ୟାୟ ମିଳିବ। ପୁଣି ଉଭୟ ପକ୍ଷର କଥା ଶୁଣିବା ଉଚିତ। ମୁଁ ବି ଓଲିଉଡ୍‌ ଜଗତ ସଂସ୍ପର୍ଶରେ ଅଛି। ମୁଁ କେବେ ଏହାର ସାମ୍ନା କରିନି ତା’ ମାନେ ଏହା ନୁହେଁ ଯେ ଏହା ଓଲିଉଡ୍‌ରେ ନାହିଁ। ସବୁଠି ଅଛି, କଥା ହେଉଛି ଝିଅମାନେ ସାହସ କରି ସଙ୍ଗେସଙ୍ଗେ ପ୍ରତିକ୍ରିୟା ଦେବା ଉଚିତ।
ଅନୁ ଚୌଧୁରୀ, ଅଭିନେତ୍ରୀ

‘ମି ଠୁ’ର ଦୁରୁପଯୋଗ ନହେଉ
‘ମି ଠୁ’ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏକ ମହତ ଉଦ୍ଦେଶ୍ୟ ନେଇ ପ୍ରଥମେ ଏହା ଆରମ୍ଭ ହୋଇଥିଲା। କିନ୍ତୁ ଏହି ଅଭିଯାନର ଦୁରୁପଯୋଗ ନ ହେବା ଉଚିତ। ନିଜର ଆତ୍ମପ୍ରଚାର ତଥା କାହାଠାରୁ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଯଦି ଏହା ବ୍ୟବହାର ହୁଏ ତେବେ ଏହି ଅଭିଯାନର ନିଜସ୍ବ ଅର୍ଥ କୁଆଡ଼େ ହଜିଯିବ। ଓଲିଉଡ୍‌ ହେଉଛି ଏକ ଛୋଟ ଦୁନିଆ। ଏସବୁର ସ୍ଥାନ ଏଠି ନାହିଁ। କେଉଁଠି କେବେ ଏଭଳି ଘଟୁଥିବ ସିନା କିନ୍ତୁ ଆଜିକାର ସ୍ମାର୍ଟ ଓ ବୁଦ୍ଧିମତୀ ଝିଅମାନେ ଏସବୁରୁ ବହୁ ଊର୍ଧ୍ବରେ।
ସବ୍ୟସାଚ୍ଚୀ ମହାପାତ୍ର, ଚଳଚ୍ଚିତ୍ର ପ୍ରଯୋଜକ

ଝିଅମାନେ ସଙ୍ଗେସ‌େଙ୍ଗ ପ୍ରତିକ୍ରିୟା କରନ୍ତୁ
ସୃଜନ ଜଗତରେ କାମ କରି, କାମ ଖୋଜିବାକୁ ଆସୁଥିବା ନବାଗତାମାନଙ୍କୁ ପ୍ରୋତ୍ସାହନ ବଦଳରେ ଶୋ‌ଷଣ କରିବା ଅତ୍ୟନ୍ତ ନିନ୍ଦନୀୟ କଥା। ମୁଁ ଏହାର ବିରୋଧ କରୁଛି। ‘ମି ଠୁ’ ଅଭିଯାନ ଠିକ୍‌ ଅଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଏତେ ବିଳମ୍ବରେ ସ୍ବର ଉଠାଇବା କାହିଁକି। ଝିଅମାନଙ୍କ ସଙ୍ଗେସଙ୍ଗେ ସ୍ବର ଉତ୍ତୋଳନ କରି ଶିଖିବା ଉଚିତ। ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ଦେଖାଇବା ଉଚିତ।
ପ୍ରେମ ଆନନ୍ଦ, ସଙ୍ଗୀତ ନିର୍ଦ୍ଦେଶକ

ସମ୍ବନ୍ଧିତ ଖବର