ମୋଦି ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ଆଇଏମ୍‌ଏମ୍‌ଟି ମାଡ଼ି ବସିଛି ୩୨ ଏକର ସରକାରୀ ଜମି

ଭୁବନେଶ୍ୱର: ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଭୁବନେଶ୍ୱର (ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍‌ସ ଆଣ୍ଡ ମ୍ୟାଟେରିଆଲ୍‌ସ ଟେକ୍ନୋଲୋଜି)କୁ ସାଧାରଣ ପ୍ରଶାସନ ବିଭାଗ ପ୍ରାୟ ୧୪୦ଏକର ଜମି ଦେଇଥିଲେ ହେଁ ଅନୁଷ୍ଠାନ ଦଖଲରେ ଅଛି ପ୍ରାୟ ୧୭୨ଏକର ଜମି। କର୍ତ୍ତୃପକ୍ଷ ୧୭୨ ଏକର ଜମିରେ ପାଚେରି ବୁଲାଇଥିବାବେଳେ ଏଥିରୁ ପ୍ରାୟ ୩୨ ଏକର ଜମି ସାଧାରଣ ପ୍ରଶାସନ ବିଭାଗର। ଆଇଏମ୍‌ଏମ୍‌ଟି ଦୀର୍ଘ ବର୍ଷ ହେଲା ଏହି ୩୨ ଏକର ଜମି ମାଡ଼ି ବସିଥିବା ବିଡିଏ ନଜରକୁ ଆସିବା ପରେ ଏବେ ଏହାକୁ ମୁକୁଳାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ହେଲେ ଆଇଏମ୍‌ଏମ୍‌ଟି କର୍ତ୍ତୃପକ୍ଷ ଜମି ଛାଡ଼ିବାକୁ ନାରାଜ। ରାଜ୍ୟ ସରକାର ଓ ଆଇଏମ୍‌ଏମ୍‌ଟି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏବେ ୩୨ଏକର ଜମିକୁ ନେଇ ଟଣାଓଟରା ଆରମ୍ଭ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ଉପରେ ଏହାର ଭାଗ୍ୟ ନିର୍ଭର କରୁଛି।

ରାଜଧାନୀରେ ଜବରଦଖଲ ହୋଇଥିବା ସରକାରୀ ଜମିରେ ବୃହତ ପ୍ରକଳ୍ପ ଏବଂ ହୋଟେଲ ନିର୍ମାଣ କରିବା ପାଇଁ ବିଡିଏ ଯୋଜନା କରିଛି। ଏଥିପାଇଁ ବର୍ଷେ ହେଲା ସରକାରୀ ଜମି ଜବରଦଖଲ ପ୍ରକ୍ରିୟା ଜୋରଦାର ହୋଇଛି। ଆଇଏମ୍‌ଏମ୍‌ଟି ପ୍ରାୟ ୩୨ ଏକର ଜମି ମାଡ଼ି ବସିଥିବା ଜାଣିବା ପରେ ଏହାକୁ ମୁକୁଳାଇବା ସହ ବିଡିଏକୁ ହସ୍ତାନ୍ତର କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ କହିଛି। ଏହାପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସିଏସ୍‌ଆଇଆର୍‌ ଡିଜି ଏବଂ ଡିଏସ୍‌ଆଇଆର୍‌ ସଚିବଙ୍କୁ ଚିଠି ଲେଖି ଜବରଦଖଲ ଥିବା ଜମି ଫେରାଇବାକୁ କହିଛନ୍ତି। ପ୍ରାୟ ୧୦ମାସ ହେଲା ଏହି ଚିଠି ଲେଖା ହୋଇଥିଲେ ହେଁ ଆଇଏମ୍‌ଏମ୍‌ଟି କର୍ତ୍ତୃପକ୍ଷ ଜମି ଫେରାଇ ନାହାନ୍ତି। ଏପରିକି ନିକଟରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିବାବେଳେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି କର୍ତ୍ତୃପକ୍ଷ କିଛି ନିଷ୍ପତ୍ତି ନେଇ ପାରିବେନି । ସିଏସ୍‌ଆଇଆର୍‌ ସୋସାଇଟି ଯାହା ନିଷ୍ପତ୍ତି ନେବ ବୋଲି କହିଛନ୍ତି। ଏହି ସୋସାଇଟିର ସଭାପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଥିବାରୁ ପ୍ରଧାନମନ୍ତ୍ରୀ ଯେଭଳି ନିଷ୍ପତ୍ତି ନେବେ ତାହା ଚୂଡ଼ାନ୍ତ ହେବ ବୋଲି କହିଛନ୍ତି। ଏପଟେ ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆମେ ଯେତିକି ଜମି ଦେଇଛୁ ସେଥିରୁ ମାଗୁନୁ। ଯେତିକି ଜମି ଜବରଦଖଲ ଅଛି ତାହାକୁ ଆଣିବାକୁ ଚାହୁଁଛୁ। ତେଣୁ ଜମି ବେଦଖଲ କରିବା ନେଇ ଭବିଷ୍ୟତରେ କିଛି ଅସୁବିଧା ହେବନି। ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି କର୍ତ୍ତୃପକ୍ଷ ବିଭିନ୍ନ ବାହାନା ଦେଖାଇ ଜମି ଫେରାଉ ନାହାନ୍ତି। ଏପରିକି ଜମି ଫେରାଇବା ଅସମ୍ଭବ ବୋଲି କହିବା ପରେ ଗତ ସପ୍ତାହରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କର ବୈଠକ ବସିଥିଲା। ଏଥିରେ ରାଜ୍ୟ ସରକାର ଏହି ଜମିକୁ ନେଇ ଯୋଜନା କରିଥିବା ଭବିଷ୍ୟତର ଯୋଜନା ସମ୍ପର୍କରେ କହିଛନ୍ତି। କିନ୍ତୁ ଆଇଏମ୍‌ଏମ୍‌ଟି କର୍ତ୍ତୃପକ୍ଷ ସେମାନଙ୍କର ଭବିଷ୍ୟତ ସମ୍ପ୍ରସାରଣ ପାଇଁ ଏହି ଜମି ଆବଶ୍ୟକ ବୋଲି କହି ମନା କରିଦେଇଛନ୍ତି। ରାଜ୍ୟ ସରକାର ଯେକୌଣସି ମତେ ଏହି ଜମି ବେଦଖଲ ହେବା କହିବା ପରେ ସିଏସ୍‌ଆଇଆର୍‌ ସୋସାଇଟିକୁ ଏହି ପ୍ରସ୍ତାବ ପଠାଯିବ, ସେଠାରେ ଯାହା ନିଷ୍ପତ୍ତି ହେବ ବୋଲି ଆଇଏମ୍‌ଏମ୍‌ଟି କର୍ତ୍ତୃପକ୍ଷ କହିଛନ୍ତି।

ଅନ୍ତର୍ଜାତୀୟ କନଭେନସନ୍‌ ସେଣ୍ଟର ହେବ
ଜମି ଫେରାଅ: ରାଜ୍ୟ ସରକାର
ଭବିଷ୍ୟତ ସମ୍ପ୍ରସାରଣ ପାଇଁ ଜମି ଦରକାର: ଆଇଏମ୍‌ଏମ୍‌ଟି

ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ଆଇଏମ୍‌ଏମ୍‌ଟି ଦଖଲରେ ଥିବା ପ୍ରାୟ ୩୨ଏକର ଜମିକୁ ବେଦଖଲ କରିବା ପରେ ସେଠାରେ ଓକାକ୍‌ର ସମ୍ପ୍ରସାରଣ କାର୍ଯ୍ୟ ହେବ ଏବଂ ଅନ୍ତର୍ଜାତୀୟ ସ୍ତରର କନଭେନସନ୍‌ ସେଣ୍ଟର ନିର୍ମାଣ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଥିଲା। ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର କହିଛନ୍ତି ଯେ, ‘ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌’ରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ବାଣିଜ୍ୟିକ ଓ ଅର୍ଥନୈତିକ ବିକାଶ ପାଇଁ ରାଜଧାନୀରେ ଏକ ଅନ୍ତର୍ଜାତୀୟସ୍ତରର କନଭେନସନ୍‌ ସେଣ୍ଟର ହେବ। ଏଠାରେ ୨୦ ଏକର ଜମି ମିଳିଲେ ୧୦ହଜାର ଲୋକ ବସିବା ଭଳି କନଭେନସନ୍‌ ସେଣ୍ଟର, ଏକ ତାରକା ହୋଟେଲ ଏବଂ ପାର୍କିଂ ପାଇଁ ଜାଗା ରହିବ। ଏହାସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହେବ। ଏହାଠାରୁ ଭଲ ସ୍ଥାନ ରାଜଧାନୀରେ ନାହିଁ। ତେଣୁ ଏହି ଜମି ବେଦଖଲ ହେବା ନିହାତି ଦରକାର। ଆଇଏମ୍‌ଏମ୍‌ଟି କର୍ତ୍ତୃପକ୍ଷ ବି ଏହାର ସଦୁପଯୋଗ କରିପାରିବେ। ଏପରିକି ବିଡିଏର ପ୍ଲାନିଂ ମେମ୍ବର ସୁଧି ରଂଜନ ମହାନ୍ତି ବିଡିଏର ଭବିଷ୍ୟତ ଯୋଜନା ସମ୍ପର୍କରେ ଟିକିନିଖି ବୁଝାଇବା ସହ ଏହି ସ୍ଥାନର ଗୁରୁତ୍ୱ ବିଷୟରେ କହିଥିଲେ ହେଁ ଆଇଏମ୍‌ଏମ୍‌ଟି କର୍ତ୍ତୃପକ୍ଷ କିନ୍ତୁ ଏହା ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି।

ସିଏସ୍‌ଆଇଆର୍‌- ଆଇଏମ୍‌ଏମ୍‌ଟିର ମିସନ୍‌ ନିର୍ଦ୍ଦେଶକ ସୁଦୀପ କୁମାର ରାଜ୍ୟ ସରକାରଙ୍କ ପ୍ରସ୍ତାବରେ ରାଜି ନାହାନ୍ତି। ସେ କହିଛନ୍ତି ଯେ, ଆଇଏମ୍‌ଏମ୍‌ଟିର ଭବିଷ୍ୟତ ସମ୍ପ୍ରସାରଣ ପାଇଁ ଏହି ଜମି ଦରକାର। ତେଣୁ ଜମି ଫେରାଇ ହେବନି। ଏପରିକି ଏଠାରେ ଆଇଏମ୍‌ଏମ୍‌ଟିର ଇନକ୍ୟୁବେସନ୍‌ କମ୍‌ ଇନୋଭେସନ୍‌ କମ୍ପ୍ଲେକ୍ସ, ପାଇଲଟ୍‌ ପ୍ଲାଣ୍ଟ୍‌ସ, ଏକାଡେମିକ ସ୍କିଲ୍‌ ଡେଭଲପମେଣ୍ଟ ସେଣ୍ଟର ନିର୍ମାଣ ହେବାକୁ ଥିବାରୁ ଭବିଷ୍ୟତରେ ଜମି ଆବଶ୍ୟକ ପଡ଼ିବ। ତେଣୁ ଜମି ଫେରାଯିବ କି ନାହିଁ ସେନେଇ ସିଏସ୍‌ଆଇଆର୍‌ ସୋସାଇଟି ନିଷ୍ପତ୍ତି ନେବ। ଏନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ଏସ୍‌. ବସୁ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଆମେ ଅବଗତ ଅଛୁ। କିନ୍ତୁ ଜମି ଫେରାଇବା କ୍ଷମତା ଆମ ନିକଟରେ ନାହିଁ। ଆମେ ଏହି ବିବାଦର ଏକ ସମୃଦ୍ଧ ସମାଧାନ ଚାହୁଁଛୁ। ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜମି ଫେରାଇବାକୁ ଆଇଏମ୍‌ଏମ୍‌ଟି କର୍ତ୍ତୃପକ୍ଷ ପ୍ରାୟତଃ ରାଜି ହୋଇଛନ୍ତି। କିନ୍ତୁ ସେମାନେ ଏନେଇ ପ୍ରାୟ ୧୫ଦିନ ସମୟ ମାଗିଛନ୍ତି। ସେମାନେ ଆମ ପ୍ରସ୍ତାବକୁ ସିଏସ୍‌ଆଇଆର୍‌ ସୋସାଇଟି ବୈଠକକୁ ପଠାଇବେ। ପ୍ରଧାନମନ୍ତ୍ରୀ ମୋଦି ଏହି ସୋସାଇଟିର ସଭାପତି ଥିବାରୁ ଏହାର ନିଷ୍ପତ୍ତି ସେ ଯାହା ନେବେ। ଯଦି ସୋସାଇଟି ଏହି ପ୍ରସ୍ତାବକୁ ପାରିତ କରେ ତେବେ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଜମି ନେଣଦେଣ ପ୍ରକ୍ରିୟା ହେବ।

ସମ୍ବନ୍ଧିତ ଖବର