ରାଜଧାନୀରେ ଫଳ ସମ୍ଭାର: ଉତ୍ପାଦନ ଓଡ଼ିଶାରେ ନାଁ ଅନ୍ୟ ରାଜ୍ୟର

ଚାହିଦାରେ ଥାଇଲାଣ୍ଡ ପିଜୁଳି ଓ କାଶ୍ମୀର ସେଓ

ଭୁବନେଶ୍ବର: ଉତ୍ପାଦନ ହେଉଛି ଓଡ଼ିଶାରେ। କିନ୍ତୁ ନାଁ ନେଉଛନ୍ତି ଅନ୍ୟ ରାଜ୍ୟ। ରାଜଧାନୀରେ କମଳା, ତରଭୁଜ, ଲିଚୁ ଭଳି ଫଳ ବ୍ୟବସାୟ ଏଭଳି ଚାଲିଛି। ଅମୃତଭଣ୍ଡା, ପିଜୁଳି ଭଳି ଆଉ କିଛି ଫଳ ଅଛି, ଯାହା ଦେଖିଲେ ଲାଗେ ଘରେଘରେ ଗଛ ରହିଛି। ବାହାର ରାଜ୍ୟରୁ ଆମଦାନିର ଆବଶ୍ୟକତା ପଡ଼ୁନଥିବ। କିନ୍ତୁ ଚାହିଦା ଅନୁସାରେ ଉତ୍ପାଦନ ହୋଇନପାରିବାରୁ ଉଭୟ ଫଳ ବ୍ୟାପକ ପରିମାଣରେ ଆମଦାନି ହେଉଛି। ବର୍ତ୍ତମାନ ଭୁବନେଶ୍ବର ବଜାରରେ ରାୟପୁରର ବଡ଼ ପିଜୁଳି(ଥାଇଲାଣ୍ଡ ଭେରାଇଟି), କାଶ୍ମୀର ଓ ହିମାଚଳ ପ୍ରଦେଶର ସେଓ ଗ୍ରାହକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି।

ରାଜ୍ୟ ଉଦ୍ୟାନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଦେବଗଡ଼, ପାରଳାଖେମୁଣ୍ଡି, ରାୟଗଡ଼ା, ସମ୍ବଲପୁରରେ ପର୍ଯ୍ୟାପ୍ତ ପରିମାଣରେ କମଳା ଉତ୍ପାଦନ ହେଉଛି। ଦେବଗଡ଼, ସୁନ୍ଦରଗଡ଼ର ବଣେଇ, ସୋନପୁର, ବଲାଙ୍ଗୀର ଓ ବୌଦ୍ଧର ତରଭୁଜ, ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଲିଚୁର ଉତ୍ପାଦନ ଏତେ ଅଧିକ ଯେ ସମଗ୍ର ରାଜ୍ୟର ଆବଶ୍ୟକତା ପୂରଣ କରିପାରିବ। କିନ୍ତୁ ବଜାରର ଗୋଲକ ଧନ୍ଦା ଏଭଳି ଯେ ଏହି ଫଳଗୁଡ଼ିକ ବିହାର, ନାଗପୁର କିମ୍ବା ରାୟପୁରରୁ ଆସୁଥିବା ଜଣାପଡ଼େ।

ଏଭଳି ସ୍ଥିତିର କାରଣ ସମ୍ପର୍କରେ ଯାହା କୁହାଯାଏ, ତା’ହେଲା, ଏହି ଫଳଗଛଗୁଡ଼ିକରେ ଫୁଲ କଷି ହେବା ପରଠାରୁ ହିଁ ବିହାର, ଝାଡ଼ଖଣ୍ଡ ରାଜ୍ୟର ବ୍ୟବସାୟୀମାନେ ଓଡ଼ିଶା ଆସି ଫଳ କିଣିବା ପାଇଁ ଅଗ୍ରୀମ ଦେଇଯାଆନ୍ତି। ଫଳ ହେବା କ୍ଷଣି ସେମାନେ ଏହାକୁ ନେଇ ନିଜ ରାଜ୍ୟରେ ପ୍ୟାକିଂ କରି ନିଜ ରାଜ୍ୟର ହୋଲ୍‌ସେଲରଙ୍କୁ ବିକ୍ରି କରିଦିଅନ୍ତି। ପରେ ଏହା ଓଡ଼ିଶାକୁ ଆସେ। ଓଡ଼ିଶାର ଅଧିକାଂଶ ଫଳ ବ୍ୟବସାୟୀ ନିଜ ରାଜ୍ୟର ଫଳ ଚାଷୀଙ୍କ ଠାରୁ ଫଳ ନକିଣି ବାହାର ରାଜ୍ୟର ହୋଲ୍‌ସେଲରଙ୍କ ଠାରୁ କ୍ରୟ କରନ୍ତି। ପ୍ରକୃତରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଫଳ ଚାଷୀଙ୍କ ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଯେ ସେମାନଙ୍କୁ ଚାଷ ପାଇଁ ପୁଞ୍ଜିର ଆବଶ୍ୟକତା ଥାଏ। ଫଳ ହୋଇଗଲା ପରେ କିଛି ଦିନ ରଖି ପରେ ବିକ୍ରି କରିବା ଭଳି ସ୍ଥିତିରେ ସେମାନେ ନଥାଆନ୍ତି। ତୁରନ୍ତ ବିକ୍ରି କରିବା ପାଇଁ ଗ୍ରାହକ ଖୋଜନ୍ତି। ଯାହାର ଫାଇଦା ବାହାର ରାଜ୍ୟର ଏହି କୃଷି ବ୍ୟବସାୟୀମାନେ ନିଅନ୍ତି।

ରାଜ୍ୟର ବିଭିନ୍ନ ଗାଁରେ ଅମୃତଭଣ୍ଡା ଗଛ ରହିଛି। କିନ୍ତୁ ଗାଁ ସ୍ତରରେ ଏହାର ଚାହିଦା ନାହିଁ। ଯାହାର ଗଛ ରହିଛି, ସେମାନେ କଞ୍ଚାରୁ ହିଁ ଖାଇଥାନ୍ତି। ତେଣୁ ଚାଷୀ ବିଶେଷ ଉତ୍ପାଦନ କରନ୍ତି ନାହିଁ। ଢେଙ୍କାନାଳ, ବଲାଙ୍ଗୀର ଓ କୋରାପୁଟରେ ଏହାର ଉତ୍ପାଦନ ହେଉଥିଲେ ମଧ୍ୟ ରାଜଧାନୀକୁ ଆସୁନାହିଁ। ଭୁବନେଶ୍ବରରେ ମିଳୁଥିବା ପାଚିଲା ଅମୃତଭଣ୍ଡା ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ କୋଏମ୍ବାଟୁରରୁ ଆସୁଛି। ପିଜୁଳି ଘରେ ଘରେ ରହିଛି। କିନ୍ତୁ ରାୟପୁର ଉତ୍ପାଦିତ ଥାଇଲାଣ୍ଡ ଭେରାଇଟିର ବଡ଼ ପିଜୁଳିର ଚାହିଦା ଦୃଷ୍ଟିରୁ କିଛି ଚାଷୀ ବୌଦ୍ଧ, ଖୋର୍ଧା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୩୫୦ ଏକରରେ ଚାଷ ହେଉଛି। ଏହା କିନ୍ତୁ ବଜାରକୁ ଆସିନାହିଁ। ରାଜଧାନୀରେ କାଶ୍ମୀର, ହିମାଚଳପ୍ରଦେଶ, ତାମିଲନାଡ଼ୁ, ତେଲେଙ୍ଗାନାରୁ ବ୍ୟାପକ ପରିମାଣର ସେଓ, ନାସିକରୁ ଅଙ୍ଗୁର, ଆନ୍ଧ୍ରପ୍ରଦେଶର ଆତ, ଆନ୍ଧ୍ରପ୍ରଦେଶର କଦଳୀ ବିକ୍ରି ବଢ଼ିଛି।

ଉପକୂଳବର୍ତ୍ତୀ ଜିଲ୍ଲାରେ ଛୋଟ କଦଳୀ ହେଉଥିଲେ ମଧ୍ୟ ବାତ୍ୟା ଯୋଗୁଁ ବିଭିନ୍ନ ସମୟରେ ନଷ୍ଟ ହୋଇ ଚାଷୀଙ୍କ ଦୁଃଖ ବଢ଼ାଉଛି। ସମ୍ବଲପୁର, ବଲାଙ୍ଗୀର, ବୁର୍ଲା, ଅନୁଗୁଳର ଛେଣ୍ଡିପଦା, ଝାରସୁଗୁଡ଼ା ଓ ଗଜପତି ଜିଲ୍ଲାରେ କଦଳୀ ଚାଷ ହେଉଥିଲେ ମଧ୍ୟ ରାଜ୍ୟ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଝାରସୁଗୁଡ଼ାରେ ଏହାର ମୂଲ୍ୟ ସର୍ବାଧିକ ଥାଏ। ପଶ୍ଚିମ ଓଡ଼ିଶାରେ ଉତ୍ପାଦିତ ଏହି ଫଳ ମୁଖ୍ୟତଃ ରାୟପୁରକୁ ଚାଲିଯାଏ। ଓଡ଼ିଶା କଦଳୀ ଭୁବନେଶ୍ବରକୁ ଆସିପାରେନାହିଁ। ଆନ୍ଧ୍ରପ୍ରଦେଶ କଦଳୀ ଏଠି ତା’ର ଆଧିପତ୍ୟ ବିସ୍ତାର କରେ। ଫୁଲବାଣୀ, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କେନ୍ଦୁଝର, କନ୍ଧମାଳ, ଦେବଗଡ଼ରେ ଡାଳିମ୍ବ ଚାଷ, କଳାହାଣ୍ଡି, ଆଠଗଡ଼, ଦେବଗଡ଼, ସୋନପୁରରେ ଡ୍ରାଗନ୍‌ଫ୍ରୁଟ୍‌ ବଜାର ନେବ ବୋଲି ଉଦ୍ୟାନ ବିଭାଗ ଆଶା କରିଛି। ଏହା ଭୁବନେଶ୍ବରକୁ ଆସିଲେ ସ୍ଥାନୀୟ ଅଧିବାସୀ ତା’ର ଲାଭ ନେବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର