ରାସ୍ତାରେ ଭାସୁଛି ସ୍ବେରେଜ୍‌ ପାଣି

ଖଣ୍ଡଗିରି: ଘରୁ ଗୋଡ଼ କାଢ଼ିଲେ ସ୍ବେରେଜ୍‌ ପାଣିରେ ପଶି ଯିବାକୁ ପଡ଼ୁଛି। ଦିନ ତମାମ ପଚା ଗନ୍ଧରେ ବଡ଼ କଷ୍ଟରେ ଚଳିବାକୁ ପଡ଼ୁଛି। ଘରକୁ ବନ୍ଧୁବାନ୍ଧବ ଆସିବାକୁ ନାକ ଟେକୁଛନ୍ତି। ବାହାରକୁ ସହର ଭଳି ଦେଖାଯାଉଥିବା କଲୋନିଟି ସ୍ମାର୍ଟ ସିଟିର ନୁହେଁ, ବରଂ ଅପନ୍ତରା ବସ୍ତି ଭଳି ଜଣାପଡ଼ୁଛି। ଦୀର୍ଘ ୧୦ ବର୍ଷ ହେଲାଣି ଏମିତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି ଡୁମୁଡୁମା ହାଉସିଂ ବୋର୍ଡ କଲୋନି ଫେଜ୍‌-୩ର ବାସିନ୍ଦାମାନେ। ରାସ୍ତାରେ ସ୍ବେରେଜ୍‌ ପାଣି ଜମି ରହୁଥିବାରୁ ଲୋକେ ଗୃହବନ୍ଦୀ ହୋଇ ରହୁଛନ୍ତି। ସ୍ବେରେଜ୍‌ ବ୍ୟବସ୍ଥା ନଥିବାରୁ ଲୋକେ ଏମିତି ହନ୍ତସନ୍ତ ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଡୁମୁଡୁମା ଫେଜ୍‌ ୩ର ବାସିନ୍ଦାମାନଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୧୦ ବର୍ଷ ହେଲା ଏହି ସ୍ଵେରେଜ୍ ସମସ୍ୟାର ସମାଧାନ ହୋଇପାରୁନାହିଁ। ଘର ଆଗରେ ସ୍ୱେରେଜ୍ ଟାଙ୍କି ହେଇଛି, ହେଲେ ଘରର ପାଇଖାନା ଚାମ୍ବର ସହ ସଂଯୁକ୍ତ ହୋଇନି। ଡ୍ରେନ୍‌ ଲାଇନ୍ ଯାଇ ନଥିବାରୁ ନିଜେ ନିଜେ ସମସ୍ତେ ଟାଙ୍କି ତିଆରି କରିଛନ୍ତି। କିଛି ବ୍ୟକ୍ତି ଠିକ୍‌ ସମୟରେ ସଫା ନ କରିବାରୁ ପୂରା କଲୋନିର ମଇଳା ପାଣି ରାସ୍ତାରେ ଭାସୁଛି। ମଇଳା ପାଣି ଜମି ରହିବା ଫଳରେ ରାସ୍ତାର ବହୁ ସ୍ଥାନରୁ ପିଚୁ ଉଠିଗଲାଣି। ଫଳରେ ଖଣ୍ଡିଆ ଖାବରା ରାସ୍ତାରେ ଗାଡ଼ି ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏମିତିକି ଏହି ରାସ୍ତାରେ ପାଦରେ ଚାଲିକି ଯିବା ବି କଷ୍ଟକର ହୋଇ ପଡ଼ୁଛି। ଅନେକ ସମୟରେ ଛୋଟ ପିଲାମାନେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ନର୍ଦ୍ଦମା ପାଣି ଯୋଗୁଁ କଲୋନିରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ମଶା, ମାଛିଙ୍କ ଦାଉ ବଡ଼ ଅସହ୍ୟ ହୋଇପଡ଼ୁଛି। କଲୋନି ବାସିନ୍ଦା ପୁନର୍ବାସୀ ଆଚାର୍ଯ୍ୟଙ୍କ କହିବା କଥା ଗନ୍ଧ ଯୋଗୁଁ ଘରର ଝରକା ଖୋଲି ହେଉନି। ଦିନରାତି ଝରକା ବନ୍ଦ କରି ରହିବାକୁ ପଡ଼ୁଛି। ଜରୁରି କାମ ନଥିଲେ ଘର ବାହାରକୁ ଯିବାକୁ ଇଚ୍ଛା ହେଉନାହିଁ। ତେଣୁ ଏହି କଲୋନିର ବହୁ ଲୋକ ଏକ ପ୍ରକାର ଗୃହବନ୍ଦୀ ଅବସ୍ଥାରେ ରହୁଛନ୍ତି। ବିଏମ୍‌ସି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର