ରିମାଣ୍ଡରେ ଆସୁଛନ୍ତି ବାଂଲାଦେଶୀ ଡକାୟତ, ଆଜି ପହଞ୍ଚିବେ

ଭୁବନେଶ୍ୱର: ଓଡ଼ିଶାରୁ ଡକାୟତି କରି ଦିଲ୍ଲୀରେ ଧରାପଡ଼ିଥିବା ୨ ବାଂଲାଦେଶୀ ଓଡ଼ିଶା ଆସୁଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ ଦୁଇଜଣଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣୁଛି। ସେମାନେ ହେଉଛନ୍ତି ମହମ୍ମଦ ସାହିଦ୍‌ ଓ ମହମ୍ମଦ ମଜରୁଲ। ଆସନ୍ତାକାଲି ଅପରାହ୍‌ଣରେ ସେମାନେ ଓଡ଼ିଶା ପହଞ୍ଚିବେ। ଓଡ଼ିଶା ପହଞ୍ଚିବା ପରେ ସେମାନଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହା ପରେ ରିମାଣ୍ଡରେ ଅଣାଯାଇ ପଚରାଉଚରା ଆରମ୍ଭ ହେବ। ଏଥିରେ ଓଡ଼ିଶା-ବାଂଲାଦେଶୀ ଅପରାଧର ଲିଙ୍କ୍‌ ଖୋଲିବ ବୋଲି କମିସନରେଟ୍‌ ପୁଲିସ ଆଶା ବାନ୍ଧିଛି। ଏଠାରେ କେଉଁଠି ରହୁଥିଲେ, ସେମାନଙ୍କୁ ଅପରାଧରେ ଆଉ କିଏ କିଏ ସାହାଯ୍ୟ କରନ୍ତି, ଏ ସବୁର ଗୁମର ଖୋଲିବା ପାଇଁ ପୁଲିସ ପ୍ରସ୍ତୁତ ହୋଇଛି। ଗତ ଏପ୍ରିଲ ୬ ତାରିଖରେ ଏଫ୍‌ଡି-୧୨୨ ବିମାନରେ ବ୍ୟାଙ୍ଗକକ୍‌ରୁ ଆସିଥିବା ଆୟାନ ଶ୍ରମଣ ଓରଫ ବରୁଆ ଧରା ପଡ଼ିଥିଲା। ଜାଲ୍‌ ପାସ୍‌ପୋର୍ଟ ବଳରେ ଆସୁଥିବାରୁ ତାକୁ ଗିରଫ କରାଯାଇଥିଲା। ସେ ବାଂଲାଦେଶ ଚିଟ୍ଟାଗଙ୍ଗ୍‌ ଜିଲ୍ଲା ବଂଶକାଲି ଥାନା ଜଲ୍‌ଦି ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଥିଲା। ତେବେ ପୁଲିସ ତା’ର ଅପରାଧ ଲିଙ୍କ ପାଇ ନଥିଲା। ରିମାଣ୍ଡରେ ଆଣିବା ପରେ ମଧ୍ୟ ପୁଲିସକୁ ସଫଳତା ମିଳି ନଥିଲା। କୌଣସି ଖିଅ ନ ମିଳିବାରୁ ଅଧିକ ତଦନ୍ତ ପାଇଁ କ୍ରାଇମ୍‌ ବ୍ରାଞ୍ଚକୁ ଚିଠି ଲେଖିଥିଲା। ଏବେ ରିମାଣ୍ଡରେ ଆସୁଥିବା ଦୁଇଜଣ ଏହି ଜିଲ୍ଲାର ବୋଲି ଜଣାପଡ଼ିଛି। ସେହିଭଳି ବରୁଆ ଜଣେ ବାଂଲାଦେଶୀ ଦଲାଲଙ୍କ ଜରିଆରେ ଜାଲ୍‌ ପାସ୍‌ପୋର୍ଟ ତିଆରି କରିଥିବା କହିଥିଲା। ଏବେ ରିମାଣ୍ଡରେ ଆସୁଥିବା ଏହି ଦୁଇଜଣ ଅଭିଯୁକ୍ତ ମଧ୍ୟ ଏଭଳି ଏକ ଦଲାଲ ଜରିଆରେ ପାସ୍‌ପୋର୍ଟ ତିଆରି କରିଥିବା‌ କହିଛନ୍ତି।

ସମ୍ବନ୍ଧିତ ଖବର