ରେଡ୍‌ ସ୍ବସ୍ତିକ୍ ସୋସାଇଟିର ବାର୍ଷିକ ଉତ୍ସବ

ଭୁବନେଶ୍ବର: ପରହିତ ପାଇଁ କାମ କରିବାରେ ରହିଛି ସୁଖ। ଅନ୍ୟର କଲ୍ୟାଣ କରିବା ମଣିଷର ପରମଧର୍ମ। ବିଶିଷ୍ଟ ବ୍ୟକ୍ତିମାନେ ଏହାକୁ ଭିନ୍ନ ଭିନ୍ନ ଲେଖା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଛନ୍ତି। ଆଜି ରେଡ୍‌ ସ୍ବସ୍ତିକ ସୋସାଇଟିର ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଉତ୍କଳ ମଣ୍ଡପରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ କହିଲେ ଯେ ଆମେ କେବଳ ନିଜକଥା ଭାବିଲେ ହେବନି। ଅନ୍ୟର ଖୁସି ପାଇଁ କିଛିନା କିଛି ତ୍ୟାଗ କରିବାକୁ ହେବ। ଅନ୍ୟର ଖୁସିପାଇଁ ଯେଉଁମାନେ ତ୍ୟାଗ କରନ୍ତି ସେ ହିଁ ପ୍ରକୃତ ମଣିଷ ଧର୍ମକୁ ପାଳନ କରନ୍ତି ବୋଲି ରାଜ୍ୟପାଳ କହିଥିଲେ। ଉତ୍ସବରେ ସମ୍ମାନିତ ଅତିଥିଭାବେ ରେଡ୍‌ ସ୍ବସ୍ତିକ୍‌ ସୋସାଇଟି ମୁମ୍ବାଇର ଉପସଭାପତି ପ୍ରମୋଦ ଚୋଗ୍‌ଲେ, ସିମ୍ପ୍‌ଲି‌ କେୟାରର ନିର୍ଦେଶକ ନିମାଇଁ ଚରଣ ପରିଜା ଓ ଉପଦେଷ୍ଟା ସ୍ମରଜିତ୍‌ ପଟ୍ଟନାୟକ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ୧୫୩ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା। ସେହିପରି ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ବିଜୟ ଆଚାର୍ଯ୍ୟ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଦେବାଶିଷ ପଟ୍ଟନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଶୁଭଜିତ୍‌ ପଣ୍ଡା ଓ କିରନ୍‌ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର