‘ଲାଲ୍‌ ଘୋଡ଼ାର ସଇସ’ ଲୋକାର୍ପିତ: ଆତ୍ମଜୀବନୀ ମାଧ୍ୟମରେ ସାମାଜିକ ଇତିହାସ ଲେଖାଯାଇପାରେ

ଭୁବନେଶ୍ବର: ଜୀବନ ଅନୁଭୂତିର ସିନ୍ଦୁକ। ଆତ୍ମଜୀବନୀ ଅନୁଭବର ସାମଗ୍ରୀ ହେଲେ ସଫଳ ହେବ। ଏହା ମାଧ୍ୟମରେ ସାମାଜିକ ଇତିହାସ ଲେଖାଯାଇପାରେ। ଜୀବନୀ ଓ ଆତ୍ମଜୀବନୀ ଆମ ସାହିତ୍ୟକୁ ସମୃଦ୍ଧ କରିଛି। ବିଶ୍ବ ସାହିତ୍ୟରେ ଯେତେ ରଚନା ରହିଛି; ସେଥିରୁ ଆତ୍ମଜୀବନୀ ହିଁ ସମାଜକୁ ଶିକ୍ଷା ପ୍ରଦାନ କରେ ବୋଲି କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର।

ଆଜି ପୂର୍ବାହ୍ନରେ ‌ପୁଲିସ ସେବା ଭବନ ପରିସରରେ ପୂର୍ବତନ ପୁଲିସ ଡିଜି ସୂର୍ଯ୍ୟମଣି ତ୍ରିପାଠୀଙ୍କ ଲିଖିତ ଆତ୍ମଜୀବନୀ ‘ଲାଲ୍‌ ଘୋଡ଼ାର ସଇସ’ ଓ ଗପଗୁଡ଼ିକର ଇଂରାଜୀ ଅନୁବାଦ ‘ସିଲେକ୍ଟେଡ୍‌ ଷ୍ଟୋରିଜ୍‌’ ଲୋକର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ପୁଲିସ ଡିଜି ବିପିନ ବିହାରୀ ମିଶ୍ର ସଭାରେ ସଭାପତିତ୍ବ କରିବା ସହ ପୁସ୍ତକର ଲୋକାର୍ପଣ କରିଥିଲେ। ଆତ୍ମଜୀବନୀରେ ଶ୍ରୀ ତ୍ରିପାଠୀ କ୍ଷମତାର ଚଉକିକୁ ‘ଲାଲ୍‌ ଘୋଡ଼ା’ ଭାବରେ ଚିତ୍ରିତ କରିଥିବା ବେଳେ କ୍ଷମତା ଉପଭୋଗ କରୁଥିବା ଅଧିକାରୀକୁ ସେ ‘ସଇସ’ ଭାବରେ ଚିତ୍ରଣ କରିଛନ୍ତି। ୪୫୬ ପୃଷ୍ଠାର ଏହି ପୁସ୍ତକରେ ଲେଖଙ୍କର ଚାକିରି କାଳରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୩ ହଜାର ଚରିତ୍ର ରହିଛନ୍ତି। କୌଣସି ଚରିତ୍ରକୁ ପ୍ରତୀକ ଭାବରେ ନିଆଯାଇ ନାହିଁ; ବରଂ ଚରିତ୍ରଗୁଡ଼ିକୁ ବାସ୍ତବ ନାମରେ ନେଇ ଲେଖକ ସାହସ ଦେଖାଇଛନ୍ତି। କ୍ଷମତାକୁ ବ୍ୟବହାର କରି କିଭଳି ଦୁର୍ନୀତି ହେଉଛି, ତାହା ଏହି ଜୀବନୀରେ ପ୍ରତିଫଳିତ ହୋଇଛି।

ଲେଖକଙ୍କର ଶିକ୍ଷାଗୁରୁ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଥିଲେ, ଆତ୍ମଜୀବନୀ ଲେଖୁଲେଖୁ ସମାଜର ଦୁର୍ନୀତିର ଚିତ୍ରକୁ ଉପସ୍ଥାପନ କରିବାରେ ସୂର୍ଯ୍ୟମଣି ଯେଉଁ ସାହସ ଦେଖାଇଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ। ଅନ୍ୟମାନଙ୍କ ମଧ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ ପଣ୍ଡା, ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବୈଷ୍ଣବ ଚରଣ ସାମଲ, ଲେଖଙ୍କ କେତେକ ନିର୍ବାଚିତ ଗଳ୍ପକୁ ଇଂରାଜୀ ଅନୁବାଦ କରିଥିବା ଡ. ବସନ୍ତ କୁମାର ତ୍ରିପାଠୀ, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଆତ୍ମଜୀବନୀ କେବଳ ବ୍ୟକ୍ତିର ପଞ୍ଜିକା ନୁହେଁ, ବରଂ ବ୍ୟକ୍ତିରୁ ବ୍ୟକ୍ତିତ୍ବ ହେବାର ଦଲିଲ ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡା. ଜଗନ୍ନାଥ ମହାପାତ୍ର, ପ୍ରଦ୍ୟୁମ୍ନ ଶତପଥୀ, ଡ. ହୃଷୀକେଶ ମଲ୍ଲିକ, ସୂର୍ଯ୍ୟ ମିଶ୍ର, ରକ୍ଷକ ନାୟକ, କ୍ଷଣପ୍ରଭା ମହାନ୍ତି, ସଞ୍ଜୟ ମହାନ୍ତି, ପ୍ରଦୀପ ବିଶ୍ବାଳ, ନଟବର ମହାନ୍ତି, ଯଶୋବନ୍ତ ସେଠୀ, ଶଶିଭୂଷଣ ବିଶ୍ବାଳ, ଦୁର୍ଗାଚରଣ ଷଡ଼ଙ୍ଗୀ, ଦେବେନ୍ଦ୍ରନାଥ ଦାଶ ଓ ପ୍ରଫୁଲ୍ଲ ବରାଳ ପ୍ରମୁଖ ଯୋଗ ଦେଇଥିଲେ। ମିନତି ମିଶ୍ର ପ୍ରାରମ୍ଭିକ ସରସ୍ବତୀ ବନ୍ଦନା ଗାନ କରିଥିବା ବେଳେ ଡ. ଦେବାଶିଷ ମହାପାତ୍ର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର