ଲିଙ୍ଗରାଜ ମହୋତ୍ସବର ପଞ୍ଚମ ସନ୍ଧ୍ୟା : ଶିବସ୍ତୁତି ମନମୋହିଲା

ଭୁବନେଶ୍ୱର : ଲିଙ୍ଗରାଜ ଭଜନ ମଣ୍ଡପରେ ଆୟୋଜିତ ହୋଇଥିବା ଲିଙ୍ଗରାଜ ମହୋତ୍ସବର ଆଜି ଥିଲା ପଞ୍ଚମ ସନ୍ଧ୍ୟା। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରେମାଞ୍ଜଳି ମିଶ୍ରଙ୍କ ତତ୍ତ୍ୱାବଧାନରେ ଦେବଦାସୀ ନୃତ୍ୟାଳୟ ପକ୍ଷରୁ ଓଡ଼ିଶୀରେ ଶିବସ୍ତୁତି ପରିବେଷିତ ହୋଇଥିଲା। ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ଏହାବ୍ୟତୀତ କ୍ରିଏଟିଭ୍‌ ନୃତ୍ୟ, ମା’ ତାରିଣୀ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ନିର୍‌ତିକା ବୁଲେଟ ଟ୍ରୁପ୍‌ ପକ୍ଷରୁ ଅଜୟ ମଜୁମ୍‌ଦାର ଓ ସିଲୋଜିତ୍‌ଙ୍କ ଦ୍ୱାରା ଦେଶବନ୍ଦନା ଓ ଶିବ ବନ୍ଦନା କରାଯାଇଥିଲା। ଏଥିରେ ପୁରୀ ଡିଭାଇନ୍‌ ସ୍ପିରିଟ୍‌ ପକ୍ଷରୁ ମାଲଖମ୍ବ ପ୍ରଦର୍ଶନ କରାଯାଇଥିଲା। କୋଲକାତା ରିତାମ୍ବରା ଓ ଉଡ୍ର ପକ୍ଷରୁ କ୍ରିଏଟିଭ୍‌ ନୃତ୍ୟ ପରିବେଷିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆଣ୍ଡାମାନ୍‌ ଏକ୍ସପ୍ରେସର ମୁଖ୍ୟ ଗଦାଧର ଦାସ, ସୁରେଶ ରାଉତରାୟ, ସନତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଜନସମାଗମ ହୋଇଥିଲା।

ସମ୍ବନ୍ଧିତ ଖବର