ଲୁଚକାଳି ଖେଳୁଛି ଲାଇନ୍

ଖଣ୍ଡଗିରି: ତିନି ଦିନ ହେଲା ବାତ୍ୟା‌ ଫନିକୁ ମାସେ ପୂରିଗଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନି ବିଦ୍ୟୁତ୍ ସେବା। ରାଜଧାନୀ ଉପକଣ୍ଠରେ ଲାଇନ୍‌ ଲୁଚକାଳି ଖେଳୁଛି। ଟିକିଏ ମେଘ ପବନ ଆସିଲେ, ବିଦ୍ୟୁତ୍ ଘଣ୍ଟା ଘଣ୍ଟା କଟୁଛି। ଯେତେବେଳେ ବି ଲାଇନ୍‌ ଆସୁଛି, ସେତେବେଳେ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ରହୁଛି। ଡିମ୍‌ ଆଲୁଅ ପାଇଁ ଉପଭୋକ୍ତାମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ଭିତରେ ରାଜଧାନୀ ଓ ଉପକଣ୍ଠରେ ଦୁଇ ଦୁଇ ଥର କାଳବୈଶାଖୀ ବର୍ଷା ହୋଇଯାଇଛି। ପ୍ରତିଥର ମେଘପବନ ଆସୁ ଆସୁ ବିଦ୍ୟୁତ୍ କାଟ୍‌ ହୋଇଛି। ମାତ୍ର ମେଘ ଚାଲିଯିବା ପରେ ଲାଇନ୍ ଆସିନାହିଁ। କେଉଁଠି ଘଣ୍ଟା ଘଣ୍ଟା ଲାଇନ୍ କଟିଛି ତ କେଉଁଠି ପୂରା ଗୋଟିଏ ଲେଖାଏଁ ଦିନ ଲୋକେ ଅନ୍ଧାରରେ ହନ୍ତସନ୍ତ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ବର୍ଷା କାରଣରୁ ଯାଁଳା ସେସୁ କାର୍ଯ୍ୟାଳୟ ଅଧୀନସ୍ଥ ସବୁ ଅଞ୍ଚଳରେ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଯାଇଥିଲା। ତେବେ କିଛି ଅଞ୍ଚଳକୁ ରାତି ପ୍ରାୟ ୩ଟା ବେଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ବେଳେ ବହୁ ଅଞ୍ଚଳକୁ ଗୁରୁବାର ଅପରାହ୍‌ଣରେ ବିଦ୍ୟୁତ୍ ସଂଯୋଗ ମିଳିଥିଲା। ସେହିଭଳି କଳିଙ୍ଗନଗର ସେସୁ କାର୍ଯ୍ୟାଳୟ ଅଧୀନ ପଞ୍ଚୁପଲ୍ଲୀ ପଞ୍ଚାୟତକୁ ବିଦ୍ୟୁତ୍ ସଂଯୋଗ ମିଳିଥିଲେ ବି ଲୋ-ଭୋଲ୍‌ଟେଜ୍‌ ଯୋଗୁଁ ବିଦ୍ୟୁତ୍ ଥାଇ ନଥିବା ପରି ଅବସ୍ଥା ହୋଇଥିଲା।

ସୂଚନାନୁସାରେ, ବାତ୍ୟା ଫନି‌ ପରେ ଯେଉଁ ମରାମତି କାମ ହୋଇଛି, ତାହା ପ୍ରାୟ ଅସ୍ଥାୟୀ। ଉପୁଡ଼ି ପଡ଼ିଥିବା ବହୁ ବିଦ୍ୟୁତ୍ ଖମ୍ବକୁ ତରବରିଆ ଭାବେ ଖାଲି ମାଟି ଖୋଳି ପୋତି ଦିଆଯାଇଛି। ଫଳରେ କାଳବୈଶାଖୀ ବର୍ଷା ପବନରେ ସେହି ଖମ୍ବ ସବୁ ପୁଣି ମାଟିରେ ଲୋଟୁଛି। ଭଲ ଭାବେ ତାର ଟଣା କାମ ହୋଇନଥିବାରୁ କାଳବୈଶାଖୀ ସମୟର ଝଡ଼ ତୋଫାନ ଜନିତ ପବନ ମାଡ଼ରେ ବହୁ ସ୍ଥାନ‌ରେ ତାର ଛିଣ୍ଡି ଯାଉଛି। ବହୁ ସ୍ଥାନରେ ବି ବିନା ବର୍ଷା ପବନରେ ଲାଇନ୍ କଟୁଥିବା ଅଭିଯୋଗ ହେଉଛି। ଯେଉଁ ସବୁ ଅଞ୍ଚଳକୁ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇଛି, ତାହାକୁ ପରେ ସ୍ଥାୟୀ ଭାବେ ମରାମତି କରାଯାଉ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ତେଣୁ ଚଳିତ ବର୍ଷ ବର୍ଷା ଦିନରେ ବିଦ୍ୟୁତ୍ ଏମିତି ଲୁଚକାଳି ଖେଳିବ ଓ ଉପ‌ଭୋକ୍ତାମାନେ ବଡ଼ ହନ୍ତସନ୍ତ ହେବେ ବୋଲି ଜଳଜଳ ଦିଶିଲାଣି। ଫଳରେ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ତେବେ ଏହି ସମସ୍ୟା ରହିବ ନାହିଁ ଓ ସ୍ଥିତି ସ୍ବାଭାବିକ ହେବାକୁ ଉଦ୍ୟମ ଜାରି ରହିଛି ବୋଲି ବିଭାଗୀୟ ଯନ୍ତ୍ରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର