ଲୋକାର୍ପିତ ହେଲା କବି ଅଜୟ ସ୍ବାଇଁଙ୍କ ତିନି ପୁସ୍ତକ, ସାହିତ୍ୟିକଙ୍କ ଉପରେ ଅଙ୍ଗୁଳି ଉଠାଇବାର ଅଧିକାର ନେତାଙ୍କର ନାହିଁ

ଭୁବନେଶ୍ବର: ସାହିତ୍ୟିକମାନଙ୍କ ଉପରକୁ ଅଙ୍ଗୁଳି ଉଠାଇବାର ଅଧିକାର କୌଣସି ରାଜନେତାଙ୍କର ନାହିଁ। ସାହିତ୍ୟିକ ଯେ ହୋଟେଲରେ ରହିପାରିବେ ନାହିଁ, ଛାମୁଣ୍ଡିଆ ବାନ୍ଧି ଭାତ ଡାଲମା ଖାଇବେ, ଏକଥା କହିବାର ଅଧିକାର ନେତାଙ୍କର ନାହିଁ। ଏ କଥା କହିବାର ଅଧିକାର ବି ନାହିଁ ଯେ ସାହିତ୍ୟ ଏକାଡେମିର ସଭାପତି ସିନେମାରେ ଗୀତ ଲେଖୁଛନ୍ତି କି ନାହିଁ। କାରଣ ଅଧିକାଂଶ ନେତା, ମନ୍ତ୍ରୀ ସେମାନଙ୍କ ଉପରେ ନ୍ୟସ୍ତ ସର୍ବନିମ୍ନ କାମ ବି କରୁନାହାନ୍ତି। କିନ୍ତୁ ସାହିତ୍ୟିକମାନେ ନିଜ ସାରସ୍ବତ ସୃଷ୍ଟିକୁ ବଜାୟ ରଖିବା ସହ ପ୍ରଶାସକ ବି ଅଛନ୍ତି, ସିନେମାରେ ଗୀତ ବି ଲେଖନ୍ତି। ନିକଟ ଅତୀତରେ ଓଡ଼ିଆ ସାହିତ୍ୟ ଏକାଡେମିର ଏକ କାର୍ଯ୍ୟକ୍ରମ ଅବସରରେ ଏକାଡେମିର ସଭାପତି ଅଭିମାନରେ ସାହିତ୍ୟିକମାନଙ୍କୁ କହିଥିବା କେଇ ପଦ କଥା ଉପରେ ବିଧାନସଭାରେ ଜଣେ ବିଧାୟକଙ୍କର ସମାଲୋଚନାଭରା ଉକ୍ତିକୁ କଟାକ୍ଷ କରି ଏହା କହିଛନ୍ତି ବିଶିଷ୍ଟ କଥାକାର ଗୌରହରି ଦାସ।

ଆଜି ‘ପକ୍ଷୀଘର ପ୍ରକାଶନୀ’ ସହଯୋଗରେ ‘ରାଇଟର୍ସ ପଏଣ୍ଟ’ ଓ ‘ଅଜୟ ଉତ୍ସବ କମିଟି’ ପକ୍ଷରୁ ଆୟୋଜିତ ‘ପୁସ୍ତକ ପାଠକାର୍ପଣ ଉତ୍ସବ’ ଅବସରରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାସ ଏହା କହିଛନ୍ତି। ସେ ଆହୁରି କହିଲେ, ଆମେ ଲେଖକମାନେ ଏହି ଭଳି ଆଭିମୁଖ୍ୟର ପ୍ରତିବାଦ କରିବା ସହ ପରସ୍ପରକୁ ଭଲପାଇବା ସହ ଆଦର ଓ ସ୍ନେହ କରିବା ଉଚିତ। ଭାରତୀୟ ବିଦ୍ୟାଭବନଠାରେ ଆୟୋଜିତ ଏହି ଉତ୍ସବରେ କବି ଅଜୟ ସ୍ବାଇଁଙ୍କର ତିନୋଟି ପୁସ୍ତକ ‘ଅଜୟ ଅଜସ୍ର’, ‘ଛପି ଛପି ବାସନ୍ତୀ ରାତି ଓ ଅନ୍ୟାନ୍ୟ’ ଏବଂ ‘ଶଶାଙ୍କ ଶେଖରର ଚୋରି ଡାଏରୀ’ ଲୋକାର୍ପିତ ହୋଇଛି। ବିଶିଷ୍ଟ ଅତିଥି ଭାବେ ଭିଜିଲାନ୍ସ ନି‌ର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଯୋଗଦେଇ କହିଲେ, କବି ଅଜୟ ସ୍ବାଇଁ ହେଉଛନ୍ତି ଓଡ଼ିଆ ଯୁବପିଢ଼ିଙ୍କ ଲାଗି ପ୍ରେରଣାର ଉତ୍ସ। ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ସଙ୍ଗୀତ ଗୁରୁ ରାମହରି ଦାସ କହିଲେ, କବି ତା’ର ସୃଜନ ସୃଷ୍ଟି କରେ। କିନ୍ତୁ ଏହି ସୃଷ୍ଟିକୁ ଗ୍ରହଣ ଓ ଲାଳନପାଳନ କରନ୍ତି ଧି-ସମ୍ପନ୍ନ ବ୍ୟକ୍ତି। କିନ୍ତୁ ଆଜିକା ଯୁଗରେ ପଠନ ଓ ପଠନଶୈଳୀ ପରିବର୍ତ୍ତନ ହୋଇଯାଇଛି। ଲେଖକ ଲେଖେ, ପ୍ରକାଶକ ଛାପେ କିନ୍ତୁ ଏହା କେତେ ଦୂର ଚାଲିବ, ତାହା ପାଠକର ଆଦୃତ୍ତି ସ୍ଥିର କରେ ବୋଲି ଶ୍ରୀ ଦାସ କହିଥିଲେ। କାର୍ଯ୍ୟକ୍ରମରେ ଲେଖିକା ବିୟତ୍‌ପ୍ରଜ୍ଞା ତ୍ରିପାଠୀ କହିଲେ, ସମାନ କଥାକୁ ଲେଖକ ଭିନ୍ନ ଢଙ୍ଗରେ ଉପସ୍ଥାପନା କରେ ଓ ସମାଜରେ ଏହାର ଏକ ପ୍ରଭାବ ଦେଖାଯାଏ। ବିଭିନ୍ନ ସମୟରେ ଲେଖକ ସମସାମୟିକ ସାମାଜିକ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନା କରି ଏହାର ସମାଧାନର ବାଟ ଖୋଜେ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ କବି ତଥା ଗୀତିକାର ଦେବଦାସ ଛୋଟରାୟ ଯୋଗ ଦେଇଥିଲେ। ପକ୍ଷୀଘର ପ୍ରକାଶନୀର ପ୍ରକାଶକ ବନୋଜ ତ୍ରିପାଠୀ ସ୍ବାଗତ ଭାଷଣ ଓ ଆର୍‌ଜେ କେପି ମଞ୍ଚ ସଂଯୋଜନା କରିଥିଲେ। ଅଜୟ ଉତ୍ସବ କମିଟିର ସଭାପତି ଅସୀମା ସ୍ବାଇଁ ଓ ରାଇଟର୍ସ ପଏଣ୍ଟର ପ୍ରିୟରଞ୍ଜନ ମହାନ୍ତି ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର