‘ଶତାବ୍ଦୀର କଳାକାର’ ପକ୍ଷରୁ ନାଟ୍ୟଚକ୍ର, ‘ବାର୍ତା ଦେବା ଲକ୍ଷ୍ୟ ରଖି ଲେଖେ ନାହିଁ’

ଭୁବନେଶ୍ବର: ନାଟ୍ୟାନୁଷ୍ଠାନ ‘ଶତାବ୍ଦୀର କଳାକାର’ ପକ୍ଷରୁ ବିଜୁ ନାଟ୍ୟ କେନ୍ଦ୍ର ପରିସରରେ ମାସିକ ‘ନାଟ୍ୟଚକ୍ର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଏହି ଅବସରରେ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କବି, ଗାଳ୍ପିକ ତଥା ନାଟ୍ୟକାର ଡ. ଜଗନ୍ନାଥ ପ୍ରସାଦ ଦାସ। ତାଙ୍କ ସହ ବାର୍ତାଳାପ କରିଥିଲେ ଅନୁବାଦକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ। ବିଶିଷ୍ଟ ନାଟ୍ୟକାର ପ୍ରଫେସର ରଜତ କର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ପ୍ରଫେସର ନାୟକ ପ୍ରଥମେ ଡ. ଦାସଙ୍କ ଲେଖକ ଜୀବନ ସମ୍ପର୍କରେ ମତ ରଖି କହିଲେ, ସାହିତ୍ୟ ମୋହ ଯୋଗୁ ପ୍ରଶାସକ ଚାକିରି ଛାଡ଼ି ଚିତ୍ର, କବିତା, ଗଳ୍ପ ଓ ନାଟକ ଲେଖାରେ ମଜି ରହିଥିବା ବେଳେ ଡ. ଦାସଙ୍କ ନାଟକ ‘ସୂର୍ଯ୍ୟାସ୍ତ ପୂର୍ବରୁ’, ‘ସବାଶେଷ ଲୋକ’, ‘ଅସଙ୍ଗତ ନାଟକ’, ‘ସାଧୁ ସୁନ୍ଦର’ ଆଦି ନାଟକ ହିନ୍ଦୀ ଓ ଇଂରାଜୀରେ ଅନୁଦିତ ହୋଇ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଲାଭ କରିଛି। ତାଙ୍କ ଉପରେ କୌଣସି ନାଟ୍ୟକାରଙ୍କ ପ୍ରଭାବ ପଡ଼ିଛି କି? ବୋଲି ପ୍ରଫେସର ନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଡ. ଦାସ କହିଲେ, ମୁଁ କାହା ଦ୍ବାରା ପ୍ରଭାବିତ ହୋଇନାହିଁ। ପଢ଼ିବା ସମୟରେ ପ୍ରାୟ ଯୁବକମାନେ ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥାଆନ୍ତି। ମୁଁ ବି ସେଥିରୁ ବାଦ ଯାଇନାହିଁ। ଏକ ନାଟକର ଅନୁଭୂତିକୁ ଅବତାରଣା କରି ସେ କହିଲେ, ମୁଁ ଆହ୍ଲାବାଦରେ ଥିବା ବେଳେ ପୃଥ୍ବୀରାଜ କପୁର ସେଠାକୁ ଏକ ନାଟକ ମଂଚସ୍ଥ କରିବାକୁ ଆସିଥାନ୍ତି। ନାଟକ ସରିବା ପରେ ପୃଥ୍ବୀରାଜ ଏକ ଝୁଲା ଧରି ଦର୍ଶକଙ୍କଠାରୁ ଭିକ୍ଷା ମାଗିଥିଲେ। ସେଠି କିଛି ଟଙ୍କା ଦେବା ପରେ ଆମେ ନିଜକୁ ଧନ୍ୟ ମଣୁଥିଲୁ। ଏବେ କିନ୍ତୁ ଦିଲ୍ଲୀ, କଲିକତା ଓ ବମ୍ବେରେ ନାଟକ ଦେଖିବା ପାଇଁ ଟିକଟ କରାଯାଉଥିବା ବେଳେ ଓଡ଼ିଶାରେ ବିନା ପୃଷ୍ଠପୋଷକରେ ନାଟକ ମଂଚସ୍ଥ କରିବା କଷ୍ଟକର ବ୍ୟାପାର ବୋଲି ସେ କହିଥିଲେ।

ସମାଜକୁ ବାର୍ତା ଦେବା ନାଟକର ଉଦ୍ଦେଶ୍ୟ କି? ‌ବୋଲି ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ, ମୁଁ ନାଟକ, କବିତା, ଗଳ୍ପ ଲେଖିବା ବେଳେ ସେମିତି କିଛି ଚିନ୍ତା କରି ନଥାଏ। ବରଂ ଦର୍ଶକ ସେଥିରୁ ଭିନ୍ନ ଭିନ୍ନ ସ୍ବାଦ ଗ୍ରହଣ କରିଥାଆନ୍ତି ବୋଲି ସେ କହିଥିଲେ। ଅନୁଷ୍ଠାନର ସଭାପତି ଗୌରହରି ଦାସ ସଭା ପରିଚାଳନା କରିଥିବା ବେଳେ ପ୍ରାରମ୍ଭିକ ସୂଚନା ଦେଇଥିଲେ ଅନୁଷ୍ଠାନର ସମ୍ପାଦକ ଧୀରେନ୍ଦ୍ରନାଥ ମଲ୍ଲିକ। ନାଟ୍ୟଚକ୍ର ‌ପରେ ‘ଶତାବ୍ଦୀର କଳାକାର’ର ପ୍ରଶିକ୍ଷାର୍ଥୀ ବିନୋଦ ମହାକୁଡ଼ ୨୦ ମିନିଟ୍‌ ଅବଧିର ଏକ ଏକକ ନାଟକ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର