ଶବର ସାହି‌ରେ ଆତଙ୍କ ମାମଲା : ଆଉ ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଖଣ୍ଡଗିରି ଥାନା ଅଧୀନ ଶିରିପୁର ଶବର ସାହିରେ ରାତି ଅଧରେ ପଶି ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଆଉ ୪ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ସେମାନେ ହେଲେ, ଏୟାରପୋର୍ଟ ଅଞ୍ଚଳର ରାକେଶ ବେହେରା, ସନାତନ ବେହେରା, ଜୀବିତେଶ ପାତ୍ର ଓ ସିଆରପି ଅଞ୍ଚଳର ନୀତୀଶ କୁମାର ବାରିକ। ପୂର୍ବରୁ ଏହି ମାମଲାରେ ଖଣ୍ଡଗିରି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଧନଞ୍ଜୟ ଧନି, ବିଭୁ ପ୍ରସାଦ ଜେନା, ଜୟନ୍ତ ଖୁଣ୍ଟିଆ, ତୁଷାର ରାଉତ, ଓମ୍‌ ପ୍ରକାଶ ସିଂକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ଆହୁରି ୧୦ରୁ ଅଧିକ ଅଭିଯୁକ୍ତ ଫେରାର୍‌ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ ଧନଞ୍ଜୟଙ୍କ ଝିଅକୁ ଶବରସାହିର ଜୟଦେବ ପ୍ରେମ ବିବାହ କରିଥିଲେ। ଏହାକୁ ନେଇ ଧନଞ୍ଜୟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଜୟଦେବ ଓ ଧନଞ୍ଜୟଙ୍କ ଝିଅକୁ ଥାନାକୁ ଡାକିଥିଲା। ଉଭୟ ସାବାଳକ ହୋଇଥିବାରୁ ଥାନାରେ ଆପୋଷ ବୁଝାମୁଣା ହୋଇଥିଲା। କିନ୍ତୁ ଝିଅ ଘରୁ ଚାଲିଯାଇ ବିବାହ କରିବା ଘଟଣାକୁ ସହଜରେ ହଜମ କରି ପାରି ନଥିଲେ ଧନଞ୍ଜୟ। ଜୁନ୍ ୨୬ ତାରିଖ ବିଳମ୍ବିତ ରାତିରେ ୩୫ରୁ ୪୦ପେସାଦାର ଅପରାଧୀଙ୍କ ସହ ଶିରିପୁର ଶବରସାହିରେ ଥିବା ଜୟଦେବଙ୍କ ଘରେ ପହଞ୍ଚିଥିଲେ। ସେମାନେ ଜୟଦେବକୁ ବାହାରକୁ ଡାକିଥିଲେ। କିନ୍ତୁ କେହି ନ ଶୁଣିବାରୁ କବାଟ ଭାଙ୍ଗି ଘର ଭିତରେ ପଶି ଝିଅକୁ ଉଠାଇ ନେଇ ଯିବାକୁ ଚାହିଥିଲେ। ବାଦଲଙ୍କ ଭାଇ, ପୁଅ ଓ ଅନ୍ୟ ସମ୍ପର୍କୀୟମାନେ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ଜଣକ ପରେ ଜଣଙ୍କୁ ହାଣି ପକାଇଥିଲେ। ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରି ଦଉଡ଼ି ପଳାଉଥିଲେ ମଧ୍ୟ ୩୫ରୁ ୪୦ଯୁବକ ସେମାନଙ୍କୁ ଗୋଡ଼ାଇ ହାଣିଥିଲେ। ତ୍ରିନାଥ, ସୁଦାମ, ଉମେଶ, ଆଦର, ପାର୍ବତୀ, ଗୁରୁଙ୍କ ସମେତ ସାହିର ଅନ୍ୟ ଜଣେ ଯୁବକ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର