ଶାସ୍ତ୍ରୀୟ ଧୂନ୍‌ରେ ବିତିଲା ରାତି

ଭୁବନେଶ୍ବର: ଶାସ୍ତ୍ରୀୟ ଧୂନ୍‌ର ଗୁଞ୍ଜରଣରେ ବିଭୋର ହେଉଥିଲା ସମଗ୍ର ପରିବେଶ। ହିନ୍ଦୁସ୍ଥାନୀ କଣ୍ଠ ସଂଗୀତର ରାଗ ଓ ତାଳରେ ମଜି ଯାଉଥିଲେ ଶ୍ରୋତାବୃନ୍ଦ। ବଂଶୀର ମାଦକତା ସାଙ୍ଗକୁ ରୁଦ୍ର ବୀଣାର ମୋହିନୀ ସ୍ବରରେ ହଜିଯାଉଥିଲା ତନ ଓ ମନ। ଶାସ୍ତ୍ରୀୟ ଧୂନ୍‌ର ଏ ଗୁଞ୍ଜରଣରେ ବିତିଯାଇଥିଲା ସାରା ରାତି। ସ୍କିକ୍‌ ମାକେ ଓଡ଼ିଶା ଚାପ୍ଟର ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଫିଜିକ୍ସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ‘ୟାମିନୀ’ ଶ୍ରୋତାଙ୍କୁ ଏପରି ଅବକାଶ‌ ଭେଟି ଦେଇଥିଲା। ବିଶିଷ୍ଟ ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ବେଗମ୍‌ ପରୱିନ୍‌ ସୁଲ୍‌ତାନାଙ୍କ କଣ୍ଠ ସଂଗୀତରୁ ଆରମ୍ଭ ହୋଇଥିଲା ସନ୍ଧ୍ୟା। ବଲିଉଡ୍‌ରେ କଣ୍ଠଦାନ କରିଥିବା ଏହି ଶିଳ୍ପୀଙ୍କ ସଂଗୀତର ଯାଦୁକରୀ ସ୍ପର୍ଶ ଶ୍ରୋତାଙ୍କୁ ମୁଗ୍ଧ କରିଥିଲା। ପରେ ଉସ୍ତାଦ ବାହାଉଦ୍ଦିନ୍‌ ଡଗର ଧୃପଦରେ ରୁଦ୍ର ବୀଣା ବାଦନ କରିଥିଲେ। ତାଙ୍କ ପରେ ପଦ୍ମା ତଲ୍‌ୱାଲକର ହିନ୍ଦୁସ୍ଥାନୀ ସଂଗୀତ, ମହୀଶୂର ଏ ଚନ୍ଦନ କୁମାର କର୍ଣ୍ଣାଟକୀ ଧୂନ୍‌ରେ ବଂଶୀ ବାଦନ ଏବଂ ଶେଷରେ ଜୟତୀର୍ଥ ମେଭୁଣ୍ଡି ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଅଶୋକ ପରିଜା, ସିଏସ୍ଆଇଆର୍ ଆଇଏମ୍‌ଏମ୍‌ଟିର ନିର୍ଦେଶକ ପ୍ରଫେସର ଏସ୍‌ ବାସୁ, ଏନ୍‌ଆଇଟିର ପୂର୍ବତନ ନିର୍ଦେଶକ ପ୍ରଫେସର ସୁନୀଲ୍‌ ଷଡ଼ଙ୍ଗୀ, ସ୍ପିକ୍‌ ମାକେର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ କିରଣ ସେଠ୍‌, ସ୍ପିକ୍‌ ମାକେ ଓଡ଼ିଶା ଚାପ୍ଟରର ସଂଯୋଜିକା ବବିତା ମିଶ୍ର ପ୍ରମୁଖ ଉଦ୍‌ଘାଟନ କରିଥିଲେ। ଶୋଭା ଦାଶ, ସିଦ୍ଧେଶ୍ବର ନାୟକଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। ପ୍ରସନ୍ନ ଓ ପ୍ରିୟା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର