ଶୋଇପାରୁନି ରାଜଧାନୀ

ବାତ୍ୟା ଛଡ଼ାଇନେଇଛି ସବୁ କିଛି। ନା ଖାଇବାକୁ ମିଳୁଛି। ନା ପିଇବାକୁ ମିଳୁଛି ପାଣି। ନା ଶୋଇହେଉଛି। ରାଜଧାନୀରେ ବଞ୍ଚିବା କଷ୍ଟକର ହୋଇଗଲାଣି। ବାତ୍ୟା କଷ୍ଟଠାରୁ ଆହୁରି ଯନ୍ତ୍ରଣା ଦାୟକ ହେଲାଣି ବିନା ବିଜୁଳିରେ ଜୀବନ। ସାରା ରାଜ୍ୟର ଶାସନ ଯେଉଁ ସହରରୁ ଚାଲିଛି ସେଠାରେ ୫ ଦିନ ହେଲା ବିଜୁଳି ନାହିଁ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ସଚିବ ରହୁଥିବା ଏହି ସହରରେ ବଞ୍ଚିବା ଏବେ ସଂଘର୍ଷମୟ। ଦିନ କଥା ଦୂରରେ ଥାଉ। ରାତିରେ ବି ଶୋଇପାରୁ ନାହାନ୍ତି ରାଜଧାନୀବାସୀ। କିଏ ମଧ୍ୟରାତି ପର୍ଯ୍ୟନ୍ତ ଘର ଅଗଣାରେ ବସି ଖଟି କରୁଛନ୍ତି ତ ଆଉ କିଏ ଆସନ୍ତାକାଲି ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି। ରାତି ୧୧ଟା ପରେ ଅନ୍ଧାର ରାତିରେ ରାଜଧାନୀ ସ୍ଥିତି ପରଖିଥିଲା ‘ସମ୍ବା‌ଦ’।
ରିପୋର୍ଟ: କେଶବ ପାଣି, ଫଟୋ: ସ୍ବଦେଶ ମହାନ୍ତି

ରାତିରେ ବି ପାଣି ପାଇଁ ଧାଡ଼ି

ପାଣି ମୁନ୍ଦାଏ ପାଇଁ ଲୋକଙ୍କୁ କେତେ କଷ୍ଟ କରିବାକୁ ପଡ଼ୁଛି ତାହା ଦେଖିବାକୁ ମିଳିଥିଲା ବୁଧବାର ରାତିରେ। ମଧ୍ୟରାତିରେ ରାଜଧାନୀର ସ୍ଥିତି ପରଖିବା ସମୟରେ ସାଲିଆସାହିର ମହିଳା ଓ ପୁରୁଷମାନେ ପାଣି ନେବା ଲାଗି ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ। ଜେନେରେଟର ଲାଗି ବୋରିଂରୁ ପାଣି ଉଠୁଥିଲା। ଜଣଙ୍କ ପରେ ଜଣେ ପାଣି ନେଉଥିଲେ। ଆଉ ପରିବାର ପିଛା ଆଦାୟ ହେଉଥିଲା ୫୦ ଟଙ୍କା। ପାଣି ପାଇଁ ଲୋକେ କେତେ ବିକଳ ହେଉଛନ୍ତି ତାହା ଏଥିରୁ ଜଳଜଳ ଦିଶୁଥିଲା।

ଆପାର୍ଟମେଣ୍ଟରେ ଅନ୍ତାକ୍ଷରୀ

କିଛି ଆପାର୍ଟମେଣ୍ଟରେ ଡିଜି ସେଟ୍‌ ଲଗାଇ ଫ୍ୟାନ୍‌ ଓ ଏସିରେ ଲୋକ ରହୁଛନ୍ତି। ହେଲେ ଆଉ କିଛି ଆପାର୍ଟମେଣ୍ଟରେ ଲୋକେ ଅନ୍ଧାରରେ ରାତି ବିତାଉଛନ୍ତି। ତେଣୁ ପରିବାରର ମହିଳାମାନେ ଏକାଠି ବସି ଅନ୍ତାକ୍ଷରୀ ଖେଳୁଛନ୍ତି। ନିକଟରେ ସେମାନଙ୍କ ପିଲାମାନେ ଖେଳୁଥିବା ଦେଖିବାକୁ ମିଳୁଛି।

ହିଟ୍‌ ଆଣ୍ଡ୍‌ ରନ୍‌କୁ ଡର ନାହିଁ

କ୍ଷତିଗ୍ରସ୍ତ ହୋଇଥିବା ବସ୍ତିବାସିନ୍ଦା ରାସ୍ତାପାର୍ଶ୍ବରେ କିଭଳି ‌ବିଶ୍ରାମ ନେଇଛନ୍ତି ତାହା ନଜରକୁ ଆସିଥିଲା। କିଏ ମଶାରି ଟାଙ୍ଗି ଶୋଇଥିଲେ ତ ଆଉ କିଏ ଜାତୀୟ ରାଜପଥ ପାର୍ଶ୍ବରେ ବିନା ଭୟରେ ରାତି କାଟୁଥିଲେ। ରସୁଲଗଡ଼ଠାର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ହେଉ ଅଥବା ବାଣୀବିହାରରୁ ରାଜମହଲ ଛକ ପର୍ଯ୍ୟନ୍ତ। ଜୟଦେବ ବିହାରରୁ କିଟ୍‌ ଛକ ଯାଏ। ସବୁଠି ସମାନ ଦୃଶ୍ୟ। ରାତିରେ କାର୍‌, ବସ୍‌, ଟ୍ରକ୍‌ ଯିବା ଆସିବା କରୁଥିବାରୁ ହିଟ୍‌ ଆଣ୍ଡ୍‌ ରନ୍‌ର ଭୟ ରହୁଛି। ତଥାପି ତାହାକୁ ଖାତିର ନ କରି ରାସ୍ତା ପାର୍ଶ୍ବରେ ରାତି କାଟୁଛନ୍ତି।

ସମ୍ବନ୍ଧିତ ଖବର