ଶ୍ରୀଲିଙ୍ଗରାଜ ମନ୍ଦିରରେ ଜନ୍ମନେଲେ ଶ୍ରୀକୃଷ୍ଣ

ପୁରୁଣା ଭୁବନେଶ୍ୱର : ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ଅବସରରେ ଗୁରୁବାର ମଧ୍ୟରାତିରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ନାଭି କଟା ହୋଇଥିଲା। ପରମ୍ପରା ଅନୁଯାୟୀ ଦୁଇ ଜଣ ସେବାୟତ ଉଗ୍ରସେନ ଓ ବାସୁଦେବ ହୋଇ ବ୍ରାହ୍ମଣ ସାହିରୁ ଆସିଥିଲେ। ଏହି ସମୟରେ ମନ୍ଦିରରେ ସନ୍ଧ୍ୟା ଧୂପ, ନୀତି ପୂଜା ଓ ଆଳତି ସମାପନ ହୋଇଥିଲା। ପରେ ଦକ୍ଷିଣୀ ଗୃହରୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଅଣାଯାଇ ଜନ୍ମାଷ୍ଟମୀ ନୀତି ଆରମ୍ଭ ହୋଇଥିଲା। ଶ୍ରୀକୃଷ୍ଣଙ୍କୁ ପିତ୍ତଳ ପାତ୍ରରେ ଶୁଆଇ ମନ୍ଦିରକୁ ସମ୍ପୂର୍ଣ୍ଣ ଅନ୍ଧାର କରାଯାଇ ପଞ୍ଚ ଉପଚାରରେ ପୂଜା ଓ ଆଳତି କରାଯାଇଥିଲା।

ପରେ ପରମ୍ପରା ଅନୁଯାୟୀ ଶ୍ରୀକୃଷ୍ଣଙ୍କୁ ମନ୍ଦିର ପରିସରରେ ଥିବା କ୍ଷୁଦ୍ର ଗଙ୍ଗା ଯମୁନା ପୋଖରୀକୁ ପାର କରାଯାଇଥିଲା। ସେଠାରୁ ତାଙ୍କୁ ନାଭି କଟା ମଣ୍ଡପକୁ ନିଆଯାଇଥିଲା। ମହାପ୍ରଭୁଙ୍କୁ ଖଟୁଲିରେ ବସାଯାଇ ନାଭି କଟାଯିବା ସହ ପାନରେ ସେକ ଦିଆଯାଇଥିଲା। ପଞ୍ଚାମୃତରେ ପୂଜାପଣ୍ଡା ସ୍ନାନ କରାଇ ଠାକୁରଙ୍କୁ ନୂତନ ବସ୍ତ୍ର ପିନ୍ଧାଇଥିଲେ। ଏହାପରେ ଷୋଡ଼ଷ ଉପଚାରରେ ପୂଜା ଓ ଆଳତି ହୋଇ ପ୍ରଭୁଙ୍କୁ ଦକ୍ଷିଣୀ ଗୃହକୁ ନିଆଯାଇଥିଲା। ସେହିପରି ଏକାମ୍ର କ୍ଷେତ୍ରରେ ବିଭିନ୍ନ ମଠରେ ଜନ୍ମାଷ୍ଟମୀ ନିରାଡ଼ମ୍ବର ଭାବେ ପାଳନ ହୋଇଥିଲା। କାଠିଆ ମଠ, ରାଧାକୃଷ୍ଣ ମଠ, ରାଧାବଲ୍ଲଭ ମଠ, ଗୌଡ଼ୀୟ ମଠ, ଶ୍ୟାମା ଶଙ୍କର ମଠ ଆଦିରେ ନାଭି କଟା ପରମ୍ପରା କରାଯାଇ କୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା।

ସମ୍ବନ୍ଧିତ ଖବର