ସଂକ୍ରାମକ ରୋଗର ବାହକ ପଞ୍ଚାୟତ ପୋଖରୀ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଅଧୀନ ରଣପୁର ଗ୍ରାମରେ ଥିବା ପଞ୍ଚାୟତ ପୋଖରୀ ଦୀର୍ଘ ବର୍ଷ ହେଲା ପରିତ୍ୟକ୍ତ ହୋଇପଡ଼ିଛି। ବିଭିନ୍ନ ଦଳ ଓ ଘାସ ଭର୍ତ୍ତି ହୋଇ ରହିଥିବା ଏହି ପୋଖରୀ ସଫା ହେଉନଥିବାରୁ ସଂକ୍ରାମକ ରୋଗର ବାହାକ ସାଜିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଆସୁଛନ୍ତି। ପ୍ରଦୂଷିତ ଏହି ପୋଖରୀ ଜଳ ଯୋଗୁ ଗ୍ରାମରେ ହଇଜା, ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ବ୍ୟାପୁଛି ବୋଲି ବୟସ୍କ ଲୋକମାନେ ଅଭିଯୋଗ କରିଛନ୍ତି। ସମ୍ପ୍ରତି କରୋନା ସଂକ୍ରମଣ ସମୟରେ ପୋଖରୀଟି ଗ୍ରାମବାସୀଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି ବୋଲି କୁହାଯାଉଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗାଁ ମଝିରେ ଥିବା ଏହି ପୋଖରୀ ଏବେ ବିଭିନ୍ନ ସଂକ୍ରାମକ ରୋଗର କାରଣ ସାଜିଛି। ପୋଖରୀ ଭିତରେ କଲିକତି ଦଳ ସହ ଅନାବନା ଘାସଲତା ଭର୍ତ୍ତି ହୋଇଯାଇଛି। ଫଳରେ ପୋଖରୀ ପାଣି ବିଷାକ୍ତ ହୋଇଯାଇଛି। ବର୍ଷ ବର୍ଷ ଧରି ପୋଖରୀ ଭିତରେ ଥିବା ଦଳ ଓ ଘାସ ସଫା ହେଉନଥିବାରୁ ସେସବୁ ‌ପଚିସଢ଼ି ଦୁର୍ଗନ୍ଧ ହେଲାଣି। ତେଣୁ ପୋଖରୀ ପାଣି ସଂପୂର୍ଣ୍ଣ ପ୍ରଦୂଷିତ ହୋଇଯାଇଛି। ପୋଖରୀରୁ ପଙ୍କ ବାହାର କରି ନିଲାମ କରିବା ଦିଗରେ ଗ୍ରାମ ପଞ୍ଚାୟତ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏନେଇ ବାଲିଅନ୍ତା ପଞ୍ଚାୟତ ସମିତି ଓ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ପୂର୍ବରୁ ବହୁବାର ଗ୍ରାମବାସୀ ଜଣାଇଆସୁଥିଲେ ବି ଫଳ ଶୂନ। ଏହା ମଧ୍ୟରେ ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ପୋଖରୀ ସମସ୍ୟା ସୁଧୁରି ପାରୁନାହିଁ। ପୋଖରୀ ସଫେଇ ଦିଗରେ କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର