‘ସଂସ୍କୃତି ଆଳାପ’ରେ ମତ ବିନିମୟ, ପ୍ରତି ଜିଲ୍ଲାରେ ଭାଷା ପ୍ରଚାରକ ନିଯୁକ୍ତ ହୁଅନ୍ତୁ

ଭୁବନେଶ୍ବର: ସଂସ୍କୃତି, ଭାଷା, ସାହିତ୍ୟ ଓ କଳା କ୍ଷେତ୍ରରେ ନୂଆନୂଆ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ସଂସ୍କୃତି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଭବନରେ ଆୟୋଜିତ ‘ସଂସ୍କୃତି ଆଳାପ’ରେ ସଂସ୍କୃତି ବିଶେଷଜ୍ଞ, କଳାକାରଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’କୁ ଗୁରୁତ୍ବ ଦେଇ କାମ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ମତ ବିନିମୟ ବେ‌ଳେ ରାଜ୍ୟରେ ପ୍ରଚଳିତ ବିଭିନ୍ନ ଶବ୍ଦକୁ ନେଇ ଏକ ସମୁଦାୟ ଅଭିଧାନ ପ୍ରସ୍ତୁତି, ପ୍ରତି ଜିଲ୍ଲାରେ ଭାଷା ପ୍ରଚାରକ ନିଯୁକ୍ତ, ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଂଗୀତ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା ନିମନ୍ତେ ଫେଲୋସିପ୍‌ ପ୍ରଦାନ, ବିଭିନ୍ନ ଏକାଡେମିର ପୁରସ୍କାର ସଂଖ୍ୟା ସମେତ ଅର୍ଥରାଶି ବୃଦ୍ଧି, ପ୍ରତି ଜିଲ୍ଲାରେ ସ୍ଥାନୀୟ ଚିତ୍ରଶିଳ୍ପୀଙ୍କୁ ସମ୍ପୃକ୍ତ କରି ଆର୍ଟ ଗ୍ୟାଲେରି ପ୍ରତିଷ୍ଠା, ୭୧ଟି ଲୋକକଳା ଉପରେ ଲିଖିତ ବିବରଣୀ ପ୍ରସ୍ତୁତି, ଓଡ଼ିଶା ଲଳିତ କଳା ଏକାଡେମି ସମ୍ବିଧାନର ପୁନଃ ପ୍ରଣୟନ, ଦେଶର ବିଭିନ୍ନ ରାଜ୍ୟର କାର୍ଯ୍ୟକ୍ରମରେ ଓଡ଼ିଶୀ ସଂଗୀତ ପରିବେଷଣ, ବିଶିଷ୍ଟ ଶିଳ୍ପୀ ସିଂହାରୀ ଶ୍ୟାମସୁନ୍ଦର କର ଓ ଚିତ୍ରଶିଳ୍ପୀ ରବି ନାରାୟଣ ନାୟକଙ୍କ ପ୍ରତିମୂର୍ତି ସ୍ଥାପନ, ଊର୍ଦୁ କବି ମୀର୍ଜା ଗାଲିବଙ୍କ ଜୀବନୀ ତଥା ଗଜଲ ସମ୍ବଳିତ ପୁସ୍ତକ ପ୍ରକାଶନ ସମ୍ପର୍କିତ ପ୍ରସ୍ତାବ ଆସିଥିଲା।

ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ କବି ହରପ୍ରସାଦ ଦାସ, ପ୍ରାକ୍ତନ ପ୍ରଶାସକ ସହଦେବ ସାହୁ, ଓଡ଼ିଶୀ ନୃତ୍ୟଶିଳ୍ପୀ ଡ. ଅରୁଣା ମହାନ୍ତି, ଚିତ୍ରଶିଳ୍ପୀ ରାମହରି ଜେନା, ଲଳିତ କଳା ଏକାଡେମି ପୂର୍ବତନ ସଚିବ ଚନ୍ଦ୍ରମଣି ବିଶ୍ୱାଳ, ସଂଗୀତ ନାଟକ ଏକାଡେମିର ପୂର୍ବତନ ସଚିବ ବିଜୟ ଜେନା, ଶାସ୍ତ୍ରୀୟ ସଂଗୀତ ଶିଳ୍ପୀ ଡ. ଚିତ୍ତରଞ୍ଜନ ପାଣି, ମୀନାକ୍ଷୀ ବେହେରା, ନାଟ୍ୟକାର ଡ. ଶୈଳେଶ୍ୱର ନନ୍ଦ, ନାଟ୍ୟ ନିର୍ଦେଶକ ଲାଲା ବୀରେନ୍ ରାୟ, ନୃତ୍ୟଗୁରୁ ଦୁର୍ଗାଚରଣ ରବୀର, ଊର୍ଦୁ କବି ଅବଦୁଲ୍ ହକ୍ ଓ ଶିକ୍ଷାବିତ୍ ଅର୍ସାଦ୍ ଜମିଲ୍ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ଶାସନ ସଚିବ ସଂଘମିତ୍ରା ଶତପଥୀ, ଲୁପ୍‌ସା ଦାସ, କଳା ସଂସ୍କୃତି ସଂଘର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲ‌ବିଷୋୟୀ ପ୍ରମୁଖ ବିଶେଷଜ୍ଞଙ୍କ ମତ ଶୁଣିବା ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର