ସଂସ୍କୃତି ଚର୍ଚ୍ଚା: ଗାନ୍ଧୀଜୀଙ୍କ ବହୁ ଆଦର୍ଶ ଯୁଗୋପଯୋଗୀ

ଭୁବନେଶ୍ବର: ଜାତିର ଜନକ ମହାତ୍ମା ଗାନ୍ଧୀ ଜଣେ ଆଦର୍ଶ ବ୍ୟକ୍ତିତ୍ବ। କିନ୍ତୁ ତା’ ଅର୍ଥ ଏହା ନୁହେଁ ଯେ, ଗାନ୍ଧୀଜୀଙ୍କର କିଛି ଦୋଷତ୍ରୁଟି ନଥିଲା। ତତ୍‌କାଳୀନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପରିସ୍ଥିତିକୁ ନେଇ ଗାନ୍ଧୀଜୀ କହିଯାଇଥିବା କିମ୍ବା‌ ଲେଖିଯାଇଥିବ‌ା କଥା ସେହି ସମୟ ପାଇଁ ଉପଯୋଗୀ ହୋଇଥିଲେ ବି ଏବେ ତାହାର ଗ୍ରହଣୀୟତା ନେଇ ପ୍ରଶ୍ନ ଉଠୁଛି। କିନ୍ତୁ ଗାନ୍ଧୀଜୀଙ୍କ ଅନେକ ଆଦର୍ଶ ଯୁଗ ପାଇଁ ସତ୍ୟ ଓ ଗ୍ରହଣୀୟ। ଯେଉଁ ସମୟରେ ଇଂରାଜୀ ଭାଷା, ପାଶ୍ଚାତ୍ୟ ସଭ୍ୟତା ଦେଶକୁ ଗ୍ରାସ କରିବାରେ ବସିଥିଲା ଗାନ୍ଧୀଜୀ ତାହାର ଘୋର ବିରୋଧ କରିଥିଲେ। ସେ ନିଜ ମାତୃଭାଷା ଓ ରାଷ୍ଟ୍ରଭାଷାର ବିକାଶ ଓ ଗୁରୁତ୍ବ ଉପରେ ଅଧିକ ଧ୍ୟାନ ଦେଉଥିଲେ। ଇଂରାଜୀରେ ଲିଖିତ ପୁସ୍ତକଗୁଡ଼ିକୁ ପଢ଼ିବା ପାଇଁ ଇଂରାଜୀ ଭାଷା ଶିଖିବା ଅପେକ୍ଷା ସେ ସବୁର ନିଜ ଭାଷାରେ ଅନୁବାଦିତ ରୂପ ପଢ଼ିବାକୁ ପରାମର୍ଶ ହେଉଥିଲେ। ପାଶ୍ଚାତ୍ୟ ସଭ୍ୟତାର ବ୍ୟାଧିରୁ ଆମେ ଭାରତୀୟ ସଭ୍ୟତାକୁ ରକ୍ଷା କରି ନପାରିଲେ କେବେ ହେଲେ ପ୍ରକୃତ ସ୍ବରାଜ ହାସଲ ହୋଇପାରିବ ନାହିଁ ବୋଲି ଗାନ୍ଧୀଜୀ ଦୃଢ଼ ମତପୋଷଣ କରିଥିଲେ ବୋଲି ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ କହିଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାରଠାରେ ଆଜି ଅନୁଷ୍ଠିତ ୩୪ତମ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇ ‘ହିନ୍ଦ୍‌ ସ୍ବରାଜ ଓ ଗାନ୍ଧୀଜୀଙ୍କ ଜୀବନ ଦର୍ଶନ’ ଶୀର୍ଷକ ଆଲୋଚନାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ସ୍ବାଧୀନତା ସଂଗ୍ରାମର ନେତୃତ୍ବ ନେବା ମଧ୍ୟରେ ଗାନ୍ଧୀଜୀ ଅହିଂସା, ସତ୍ୟ ଓ ଅସହଯୋଗର ସମସ୍ତ ପରୀକ୍ଷାକୁ ନିଜ ଜୀବନରେ ଗ୍ରହଣ କରିନେବା ସହିତ କୋଟି କୋଟି ଭାରତୀୟଙ୍କ ଆଦର୍ଶ ଭାବେ ଉଭା ହୋଇଥିଲେ। ହିନ୍ଦ ସ୍ବରାଜ ଗାନ୍ଧୀଜୀଙ୍କ ଲକ୍ଷ୍ୟ ଥିଲା ବୋଲି ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ। ସେ ବୃହତ ଶିଳ୍ପକୁ ଘୃଣା କରୁଥିବା ବେଳେ କୁଟୀର ଶିଳ୍ପକୁ ଗୁରୁତ୍ବ ଦେଉଥିଲେ। ଯାହାକି ଲୋକଙ୍କୁ ରୋଜଗାର ଦେବ ବୋଲି ତାଙ୍କର ଧାରଣା ଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ବର୍ତ୍ତମାନ ସାରା ଦେଶରେ ଉତ୍ସବ ପାଳିତ ହେଉଛି। ଏହି ଅବସରରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବାଧୀନତା ସଂଗ୍ରାମ ସମୟରେ ଗାନ୍ଧୀଜୀ ଓଡ଼ିଶା‌ର ଯେଉଁ ଯେଉଁ ସ୍ଥାନରେ ରାତ୍ରିଯାପନ କରିଥିଲେ ସେହିସବୁ ସ୍ଥାନରେ ଗାନ୍ଧୀ ସର୍କିଟ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି। ଏଥିସହ ସେହିସବୁ ସ୍ଥାନରେ ଉତ୍ସବର ଆୟୋଜନ ମଧ୍ୟ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର